27.2 C
Bhubaneswar
Thursday, June 4, 2026
Homeଓଡିଶାବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଗଠିତ ବ୍ରିକ୍ସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ

ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଗଠିତ ବ୍ରିକ୍ସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ

ଭୁବନେଶ୍ୱର: ଭାରତ ୨୦୨୬ ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀ ବୈଠକର ଅଧ୍ୟକ୍ଷତା କରୁଥିବା ବେଳେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ପକ୍ଷରୁ ପୁରୀ ଠାରେ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆୟୋଜନ କରାଯାଉଛି । ଆଜି ଠାରୁ ଆରମ୍ଭ ହୋଇଥିବା ଏହି ବୈଠକ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
‘‘ଦୀର୍ଘସ୍ଥାୟିତ୍ୱ, ନବସୃଜନ, ସହଯୋଗ ଏବଂ ସ୍ଥିରତା ଲାଗି ନିର୍ମାଣ’’ ଶୀର୍ଷକ ଏହି ବୈଠକରେ ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର) କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବ୍ରିକ୍ସ ସଦସ୍ୟ ଦେଶ ଯଥା ବ୍ରାଜିଲ, ଚୀନ୍, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବରିଷ୍ଠ ଅଧିକାରୀ ଏବଂ ବୈଷୟିକ ବିଶେଷଜ୍ଞମାନେ ଯୋଗ ଦେଉଛନ୍ତି ।
ମୁଖ୍ୟତଃ ଗୋଷ୍ଠୀ-ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ବିପର୍ଯ୍ୟୟ ବିପଦ ପରିଚାଳନା ପାଇଁ ଆର୍ଥିକ ସହାୟତା, ବହୁମୁଖି ବିପଦ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା, ଦୃଢ଼ ଭିତ୍ତିଭୂମି, ପ୍ରକୃତି-ଭିତ୍ତିକ ସମାଧାନ ଏବଂ ବିପର୍ଯ୍ୟୟ ସହନଶୀଳତାକୁ ମଜବୁତ କରିବା ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନର ବ୍ୟବହାର ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ବୈଠକରେ ବିଚାରବିମର୍ଶ କରାଯିବ ।
ଓଡ଼ିଶାରେ ବିଶ୍ୱ ସ୍ତରରେ ସ୍ୱୀକୃତିପ୍ରାପ୍ତ ବିପର୍ଯ୍ୟୟ ପ୍ରସ୍ତୁତି ବ୍ୟବସ୍ଥା ରହିଛି । ଏହା ବିଶେଷକରି ବାତ୍ୟା ପରିଚାଳନା, ପ୍ରାରମ୍ଭିକ ସତର୍କତା ପ୍ରସାରଣ, ସ୍ଥାନାନ୍ତର ଯୋଜନା ଏବଂ ଗୋଷ୍ଠୀ-ଭିତ୍ତିକ ପ୍ରତିକ୍ରିୟା ବ୍ୟବସ୍ଥାରେ ମୃତକଙ୍କ ସଂଖ୍ୟା ଶୂନ ସ୍ତରରେ ରଖିବାରେ ରାଜ୍ୟ ସଫଳ ହୋଇଛି । ଏହି ଉପଲବ୍ଧିକୁ ସ୍ୱୀକୃତି ଦେଇ ଓଡ଼ିଶାକୁ ଆୟୋଜକ ରାଜ୍ୟ ଭାବରେ ମନୋନୀତ କରାଯାଇଛି ।
ଏହି କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ, ପ୍ରତିନିଧିମାନେ ରାମଚଣ୍ଡୀଠାରେ ପାଣିରୁ ଉଦ୍ଧାର କାର୍ଯ୍ୟ ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ଉପରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (ଓଡ୍ରାଫ) ଦ୍ୱାରା ଏକ କାର୍ଯ୍ୟକ୍ରମର ପ୍ରଦର୍ଶନ ଦେଖିବେ। ପ୍ରତିନିଧିମାନେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଲିମପ୍ରାପ୍ତ ଗୋଷ୍ଠୀ ସ୍ୱେଚ୍ଛାସେବୀଙ୍କ ସହ ମଧ୍ୟ ଆଲୋଚନା କରିବେ। ଏହାଦ୍ୱାରା ଉପକୂଳ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଦୃଢ଼ତା ଏବଂ ଗୋଷ୍ଠୀ ଭିତ୍ତିକ ପ୍ରସ୍ତୁତିରେ ଓଡ଼ିଶାର ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ବିଷୟରେ ଜାଣିବା ଲାଗି ସୁଯୋଗ ମିଳିବ । ଏହା ସହିତ, ପ୍ରତିନିଧିମାନେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ କୋଣାର୍କ ପରିଦର୍ଶନ କରିବେ।
ଉଦଘାଟନୀ ଅଧିବେଶନ ଓ ପ୍ରମୁଖ କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଏନଡିଏମଏର ସଦସ୍ୟ ତଥା ବିଭାଗୀୟ ମୁଖ୍ୟ ଡକ୍ଟର କୃଷ୍ଣ ସ୍ୱରୂପ ବତ୍ସଙ୍କ ସମେତ ସ୍ୱରାଷ୍ଟ୍ର ଏବଂ ବିଦେଶ ମନ୍ତ୍ରଣାଳୟର ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking