ଭୁବନେଶ୍ବର: ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ତଥା ୱାଟକୋର ପ୍ରକଳ୍ପ ସମ୍ବନ୍ଧରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି l ଚଳିତ ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ପ୍ରତିଟି ଘର ପାଇଁ ଜଳଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି l ପ୍ରତିଟି ଘରକୁ ଶତ ପ୍ରତିଶତ ଜଳଯୋଗାଣ ସୁନିଶ୍ଚିତ କାରିବାକୁ ମାନ୍ୟବର ମନ୍ତ୍ରୀ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି l ସେହିପରି ବିଭିନ୍ନ ପ୍ରକଳ୍ପ ଦାୟିତ୍ଵରେ ଥିବା ଠିକାଦାର ଏବଂ ସଂସ୍ଥାମାନଙ୍କୁ ସଚ୍ଚୋଟତାର ସହ ଧାର୍ଯ୍ୟ ସମୟସୀମା ମଧ୍ୟରେ କାମ ସାରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ସାଧାରଣ ଲୋକଙ୍କ ପକ୍ଷରୁ କାମରେ ବିଳମ୍ବ, ଅବହେଳା କିମ୍ବା ଦୁର୍ନୀତିର ଅଭିଯୋଗ ଆସିଲେ ତୁରନ୍ତ ତଦନ୍ତ କରି ସମ୍ପୃକ୍ତ ସଂସ୍ଥା ଓ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ଚେତାବନୀ ଦେଇଛନ୍ତି l
ବ୍ରଜରାଜନଗର ଓ ବେଲପାହାଡ ପୌରାଞ୍ଚଳରେ ଚବିଶ ଘଣ୍ଟିଆ ଜଳଯୋଗାଣ ପ୍ରକଳ୍ପ ନିମନ୍ତେ ଉଦ୍ଦିଷ୍ଟ ଛଡାରମା ଠାରେ ୧୫୦୦ କିଲୋଭୋଲ୍ଟର ଜେନେରେଟର୍ ସଂସ୍ଥାପନ କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ସାରିବାପାଇଁ ନିର୍ଦ୍ଦେଶ ଦେବା ସହ ବ୍ରଜରାଜନଗର ଓ ବେଲପାହାଡ ସହରରେ ଯଥାକ୍ରମେ ୨୭କୋଟି ୭୮ ଲକ୍ଷ ଟଙ୍କା ଓ ୩୫ କୋଟି ୭୪ ଲକ୍ଷ ଟଙ୍କା ବ୍ୟୟରେ ଚାଲୁରହିଥିବା ଜଳବିଶୋଧନାଗାର ଓ ତତ୍ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବା ପାଇଁ ମାନ୍ୟବର ମନ୍ତ୍ରୀ ସବିଶେଷ ଆଲୋଚନା କରିଥିଲେ l
ସେହିପରି ଲଖନପୁର ବ୍ଲକରେ ୩୩ ଗୋଟି ପଞ୍ଚାୟତରେ ପ୍ରତ୍ଯେକ ଘରକୁ ନଳ ମାଧ୍ୟମରେ ଜଳ ଯୋଗାଇ ଦେବାକୁ ୨୧୮ କୋଟି ଟଙ୍କା ବ୍ୟୟରେ ଚାଲୁଥିବା ୨ଟି ପ୍ରକଳ୍ପ ମଧ୍ୟରୁ ଗୋଟିଏ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ୧୬ଟି ପଞ୍ଚାୟତର ୭୯ଟି ଗ୍ରାମକୁ ଜଳ ଯୋଗାଣ ଠିକ୍ ଭାବରେ ଚାଲିଥିବା ବେଳେ ଅନ୍ୟ ପ୍ରକଳ୍ପଟି ଆଂଶିକ କାର୍ଯ୍ୟକ୍ଷମ ହୋଇ ୧୭ଟି ପଞ୍ଚାୟତମଧ୍ୟରୁ ୧୨ଟି ପଞ୍ଚାୟତର ୪୨ଟି ଗ୍ରାମକୁ ଜଳ ଯୋଗାଇ ଦିଆଯାଉଛି। ଅବଶିଷ୍ଟ ୫ଟି ପଞ୍ଚାୟତର ୨୩ଟି ଗ୍ରାମକୁ ଏହି ମାସ ଶେଷସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷକରି ଜଳ ଯୋଗାଇ ଦେବାପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୫-୨୬ ବର୍ଷରେ ୬୧ଟି ଗଭୀର ନଳକୂପ ଖନନ କରି ଲୋକମାନଙ୍କ ବ୍ୟବହାର ନିମନ୍ତେ ଯୋଗାଇ ଦିଆଯାଇଥିବା ବେଳେ ଚଳିତ ବର୍ଷ ଆହୁରି ୬୫ଟି ନଳକୂପ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଝାରସୁଗୁଡ଼ା ବ୍ଲକରେ ୫ ଗୋଟି ପଞ୍ଚାୟତର ୩୪ଟି ଗ୍ରାମ ମଧ୍ୟରୁ ୨୬ଟି ଗ୍ରାମରେ ପ୍ରତ୍ଯେକ ଘରକୁ ନଳ ମାଧ୍ୟମରେ ଜଳ ଯୋଗାଣ ଠିକ୍ ଭାବରେ ଚାଲିଥିବା ବେଳେ ଅନ୍ୟ ୮ଟି ଗ୍ରାମକୁ ଚଳିତ ମାସ ଶେଷସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷକରି ଜଳ ଯୋଗାଇ ଦେବାପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୫-୨୬ ବର୍ଷରେ ଝାରସୁଗୁଡା ବ୍ଲକରେ ୫୩ଟି ଗଭୀର ନଳକୂପ ଖନନ କରି ଲୋକମାନଙ୍କ ବ୍ୟବହାର ନିମନ୍ତେ ଯୋଗାଇ ଦିଆଯାଇଥିବା ବେଳ ଚଳିତ ବର୍ଷ ଆଉ ୪୩ଟି ନଳକୂପ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଏଥିସହିତ ବୈଠକରେ ସରକାରଙ୍କ ତରଫରୁ ଯୋଗାଇଦିଆଯାଇଥିବା ଅର୍ଥ, ଅର୍ଥ କମିଶନଙ୍କ ଦ୍ଵାରା ପ୍ରଦତ୍ତ ଅର୍ଥ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ପାଣ୍ଠି ଏବଂ ସିଏସଆର୍ ପାଣ୍ଠି ଅଧୀନରେ ଚାଲିଥିବା ପ୍ରକଳ୍ପ ସବୁର ସମୀକ୍ଷା କରାଯାଇଥିଲା l ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ପ୍ରସ୍ତାବିତ ପ୍ରକଳ୍ପ ସବୁକୁ ତ୍ୱରାନ୍ୱିତ କରିବା ସହ ସେଥିନିମନ୍ତେ ବ୍ୟୟ ହେବାକୁଥିବା ପାଣ୍ଠିର ଶତପ୍ରତିଶତ ସଦୁପଯୋଗ କରିବା ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ l ସେହିପରି ଗ୍ରୀଷ୍ମପ୍ରବାହର ମୁକାବିଲା ଏବଂ ଜଳାକ୍ଳିଷ୍ଟ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବା ନେଇ ସେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ବିଶଦ ଆଲୋଚନା କରିଥିଲେ l ଜଳ ଜୀବନ ମିଶନ ଅନ୍ତର୍ଗତ ‘ହର୍ ଘର୍ ଜଲ୍’ ଯୋଜନାରେ ପ୍ରତିଟି ଘରକୁ ଆବଶ୍ୟକୀୟ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ନିର୍ଦ୍ଦେଶ ଦେବା ସହ ଖରାଦିନେ ପାନୀୟ ଜଳ ପାଇଁ ସାଧାରଣ ଲୋକେ ଯେପରି ହଇରାଣ ନ ହୁଅନ୍ତି, ସେଥିପ୍ରତି ଯତ୍ନବାନ୍ ହେବାକୁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ l ଆବଶ୍ୟକ ଥିବା ସ୍ଥାନରେ ସିନଟେକ୍ସ୍ ଟାଙ୍କି, ପାଣି ଟ୍ୟାଙ୍କର୍ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ l ବୈଠକରେ ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପ୍ରଦୀପ କୁମାର ସାହୁ, ବ୍ରଜରାଜନଗର ୱାଟକୋ ଜିଏମ୍, ଆସିଷ୍ଟାଣ୍ଟ୍ ମ୍ୟାନେଜର୍ ଉପସ୍ଥିତ ଥିବା ବେଳେ ଆଭାସୀ ମାଧ୍ୟମରେ ଝାରସୁଗୁଡ଼ା ଡିପିଏମୟୁ, ବ୍ରଜରାଜନଗର ଏବଂ ବେଲପାହାଡ଼ର କାର୍ଯ୍ୟନିର୍ବାହୀ ଅଧିକାରୀ, ଝାରସୁଗୁଡ଼ା ଏବଂ ଲଖନପୁରର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଆରଡବ୍ଲୁଏସଏସର ତତ୍ତ୍ଵାବଧାରକ ଯନ୍ତ୍ରୀ (ଏସଇ) ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l










