ଗାଜିଆବାଦ: ଶ୍ରମିକମାନଙ୍କ ହିଂସାତ୍ମକ ପ୍ରତିବାଦ ଯୋଗୁଁ ଗାଜିଆବାଦ-ନୋଏଡା ସୀମାରେ ପରିସ୍ଥିତି ଅଣାୟତ ହୋଇଛି। ନୋଏଡାରେ ମଜୁରୀ ବୃଦ୍ଧି ଦାବି କରି ଚାଲିଥିବା ଶ୍ରମିକଙ୍କ ପ୍ରତିବାଦ ଏବେ ଟ୍ରାଫିକ୍ ଜାମ୍ ଏବଂ ବିଶୃଙ୍ଖଳା ସୃଷ୍ଟି କରିଛି । ସୋମବାର ଦିନ, ପ୍ରଦର୍ଶନକାରୀମାନେ ଗାଜିଆବାଦ-ନୋଏଡା ସୀମାରେ ରାସ୍ତା ଅବରୋଧ କରିଛନ୍ତି । ଯାହା ଫଳରେ ସମଗ୍ର ଅଞ୍ଚଳରେ ଯାତାୟାତ ସମ୍ପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ ହୋଇଛି। ପରିସ୍ଥିତି ଏଭଳି ହୋଇଛି ଯେ, ଯାନବାହାନର ଲମ୍ବା ଧାଡ଼ି ଅନେକ କିଲୋମିଟର ପର୍ଯ୍ୟନ୍ତ ଲାଗି ରହିଛି। ଯାହା ଫଳରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଫସି ରହିଛନ୍ତି ।
ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ ଉତ୍ତର ପ୍ରଦେଶରେ ସର୍ବନିମ୍ନ ମଜୁରୀ ୧୩,୦୦୦ ଟଙ୍କା ରହିଛି। ଯେତେବେଳେ ହରିୟାଣାରେ ଏହା ୧୯,୦୦୦ ଟଙ୍କା ଅଛି। ଏହି ଭେଦଭାବ ଉପରେ ସେମାନଙ୍କର କ୍ରୋଧ ବୃଦ୍ଧି ପାଇଛି। ରବିବାର ଘଟିଥିବା ବିବାଦରେ ଜଣେ ମହିଳା ଶ୍ରମିକ ଆହତ ହେବା ପରେ ପରିସ୍ଥିତି ଆହୁରି ଖରାପ ହୋଇ ଯାଇଛି। ପରବର୍ତ୍ତୀ ସମୟରେ, ସୋମବାର ବହୁ ସଂଖ୍ୟକ ଶ୍ରମିକ ରାସ୍ତାକୁ ଓହ୍ଲାଇ ଟ୍ରାଫିକ୍ ଜାମ୍ ସୃଷ୍ଟି କରିଛନ୍ତି ।










