ମାଲକାନଗିରି: ମାଲକାନଗିରି କୋର୍ଟରେ ବୋମା ରହିଥିବା ନେଇ ଧମକପୂର୍ଣ୍ଣ ଇ-ମେଲ ମିଳିଛି । ବିଚାରପତିଙ୍କ ଠାରୁ ଓକିଲ ସମସ୍ତେ ଆସିଲେ ବାହାରକୁ । ମାଲକାନଗିରି ଜିଲ୍ଲା ଓ ଦୌରା ଜଜ କୋର୍ଟରେ ବୋମା ଥିବା ନେଇ ଏକ ଧମକପୂର୍ଣ୍ଣ ମେଲ ଆସିଥିଲା । ସମସ୍ତଙ୍କୁ କୋର୍ଟ ପରିସରରୁ ବାହାରକୁ ଚାଲିଆସିବାକୁ କହୁଥିଲା ପୋଲିସ । ସୂଚନା ଯୋଗ୍ୟ, ମାଲକାନଗିରି ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ ଭିତରେ ବୋମା ରହିଛି । ଏଭଳି କିଛି ଧମକପୂର୍ଣ୍ଣ ଇ- ମେଲ କୋର୍ଟ ମେଲକୁ ଆସିଥିଲା । ଯାହା ସାରା କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । କୋର୍ଟ ବିଚାରପତି, କର୍ମଚାରୀ, ଓକିଲଠୁ ଆରମ୍ଭ କରି କୋର୍ଟ ପରିସରରେ ଥିବା ସାଧାରଣ ଲୋକ ମଧ୍ୟ ଭୟଭୀତ ହୋଇଯାଇଥିଲେ । ଇ- ମେଲ ପାଇବା ପରେ ଭୟଭୀତ ହୋଇ କୋର୍ଟ କମ୍ପେ୍ଲକ୍ସରୁ ବାହାରକୁ ଚାଲିଆସିଥିଲେ ବିଚାରପତି, ଓକିଲ ଓ କୋର୍ଟ କର୍ମଚାରୀ । ଏନେଇ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା ଖବର ପାଇ ତୁରନ୍ତ କୋର୍ଟ ପରିସରରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା ପୋଲିସ । ବିଏସଏଫ ବାହିନୀର ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏମିତିକି ମାଇକ ଯୋଗେ ପୋଲିସ ପକ୍ଷରୁ କୋର୍ଟ ପରିସରରୁ ବାହାରକୁ ଚାଲି ଆସିବାକୁ ସମସ୍ତଙ୍କୁ କୁହାଯାଇଥିଲା । ତେବେ ଏଭଳି ଧମକପୂର୍ଣ୍ଣ ମେଲ କେଉଁଠୁ ଆସିଛି, କିଏ ପଠାଇଛି, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।










