ଭୁବନେଶ୍ୱର: ମାନସ ରଞ୍ଜନ ମଙ୍ଗରାଜ ହେଲେ ବିଜେଡି ସଂସଦୀୟ ଦଳ ନେତା । ସେହିପରି ସୁଲତା ଦେଓ ବିଜେଡି ସଂସଦୀୟ ଦଳ ଉନେତା ସହ ମୁଖ୍ୟ ସଚେତକ । ଉଭୟଙ୍କ ଚୟନକୁ ଅନୁମୋଦନ ଦେବାକୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ ।ପ୍ରକାଶ ଯେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ରଙ୍କ ବିଜେଡିର ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେବା ପରେ କିଏ ହେବ ନୂଆ ନେତା ସେ ନେଇ ସ୍ପଷ୍ଟ ହେବା ବଦଳରେ ଦିନକୁ ଦିନ ସସପେନ୍ସ ଆହୁରି ବଢ଼ିଚାଲିଥିଲା । ସବୁଠି ସଂତୃପ୍ତ ମିଶ୍ର ବିଜେଡିର ନୂଆ ସଂସଦୀୟ ଦଳ ନେତା ହେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଶ୍ରୀ ମିଶ୍ର କହିଥିଲେ ମୋର ସଂସଦୀୟ ଦଳର ନେତା ହେବା ପାଇଁ ଦକ୍ଷତା ନାହିଁ । କିଏ ଦାୟୀତ୍ୱ ନେବ ତାହା ଦଳ ସଭାପତି ନିଷ୍ପତି ନେବେ ବୋଲି କହିଥିଲେ ।










