ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶ କ୍ରମେ ଗଠିତ ପିସିସିର ଏକ ବରିଷ୍ଠ ନେତୃବୃନ୍ଦଙ୍କ ଅନୁଧ୍ୟାନ କମିଟି ସିଜିମାଳି ପୋଲିସ ଦମନଲୀଳାରେ ପ୍ରଭାବିତ ଅଞ୍ଚଳ ଗସ୍ତରୁ ଫେରିବା ପରେ, ଅନୁଧ୍ୟାନ କମିଟି ଅଧ୍ୟକ୍ଷ ମାନ୍ୟବର ସାଂସଦଶ୍ରୀ ସପ୍ତଗିରି ଶଙ୍କର ଉଲାକାଙ୍କ ନେତୃତ୍ୱରେ କମିଟି ସଦସ୍ୟଙ୍କ ସହିତ ଆଜି ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ସହ ସିଜିମାଳୀ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଗସ୍ତ ସମୟରେ ସଂଗ୍ରହ କରାଯାଇଥିବା ସମସ୍ତ ତଥ୍ୟ, ସ୍ଥାନୀୟ ଲୋକମାନଙ୍କର ସମସ୍ୟା, ଅଭିଯୋଗ ଓ ତାଙ୍କର ମତାମତ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ସିଜିମାଳି ଅଞ୍ଚଳରେ ଶାନ୍ତି ଓ ସୁସ୍ଥ ପରିବେଶ ନିଶ୍ଚିତ କରିବା ସହ ଲୋକମାନଙ୍କର ନ୍ୟାୟସଙ୍ଗତ ଦାବୀ ପୂରଣ ପାଇଁ ତୁରନ୍ତ ଓ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଉଠାଯାଇଥିଲା। ଏହା ସହ ପୁଲିସର ଅମାନବୀୟ ବଳ ପ୍ରୟୋଗ ଓ ନିରୀହଙ୍କ ବେଆଇନ ଗିରଫଦାରୀ ବନ୍ଦ କରିବା, ସମ୍ବିଧାନ ଅନୁସାରେ ଜଳ ଜଙ୍ଗଲ ଜମି ଆଇନ ମାଧ୍ୟମରେ ଆଦିବାସୀଙ୍କୁ ଅଧିକାର ପ୍ରଦାନ କରିବା ଓ ଆଇନ ସଙ୍ଗତ ଗ୍ରାମସଭା ଆୟୋଜନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ l ଅନୁଧ୍ୟାନ କମିଟିର ସଦସ୍ୟ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ରାୟଗଡା ବିଧାୟକ କାଦ୍ରାକ ଅପାଲା ସ୍ୱାମୀ, ବିଧାୟକ ସତ୍ୟଜିତ ଗମାଙ୍ଗୋ, ବିଧାୟକ ନୀଳ ମାଧବ ହିକକା ରାୟଗଡା ଜିଲ୍ଲାପାଳଙ୍କ ସହ ଆଲୋଚନାରେ ଭାଗ ନେଇଥିଲେ l










