କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ଗତକାଲି ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଅପରାହ୍ନରେ ହଠାତ୍ କିଛି ମାତ୍ରାରେ ପବନ ବହିବା ସହିତ ପ୍ରବଳ ବର୍ଷା ଓ କୁଆପଥର ପଡ଼ିଥିଲା । ଏତେ କୁଆପଥର ବୃଷ୍ଟି ହୋଇଥିଲା ଯେ ବେଶ୍ କିଛି ସମୟ ପର୍ୟ୍ୟନ୍ତ ପୂରା ଅଞ୍ଚଳ କାଶ୍ମୀରର ଭ୍ରମ ସୃଷ୍ଟି କରିଥିଲା । କନ୍ଧମାଳ ଜିଲ୍ଲାରେ କିଛି ଦିନ ପୂର୍ବରୁ କଳିଙ୍ଗା ଠାରେ ମଧ୍ୟ କୁଆ ପଥର ବର୍ଷା ହୋଇଥିଲା । ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ କୁଆପଥର ବର୍ଷା ହୋଇଛି । କାଳବୈଶାଖୀ ଝଡ଼ରେ କୁଆପଥର ବର୍ଷାରେ ରାସ୍ତା ଭର୍ତ୍ତି ହୋଇଯାଇଥିଲା । ସମ୍ବଲପୁରରେ ପ୍ରବଳ ବର୍ଷା ସାଙ୍ଗକୁ କୁଆ ପଥର ମାଡ଼ । ସନ୍ଧ୍ୟାରେ ପ୍ରାୟ ଅଧଘଣ୍ଟା ଧରି ଛେଚିଲା ବର୍ଷା ।ହାଠତ୍ କଳାହାଣ୍ଡିଆ ମେଘ ଉଠାଇ ସନ୍ଧ୍ୟାରେ କୁଆ ପଥର ମାଡ଼ ସାଙ୍ଗକୁ ବର୍ଷା ହୋଇଛି । ପବନ ସହ ବର୍ଷା ଯୋଗୁଁ ସାରା ସହର ଠପ୍ ହୋଇଯାଇଥିଲା । ସେପଟେ ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଲରେ ପ୍ରବଳ କୁଆ ପଥର ମାଡ଼ । କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ କୁଆ ପଥର ମାଡ଼ ସହିତ ପ୍ରବଳ ବର୍ଷା ହୋଇଛି । କୁଆପଥର ମାଡ଼ ଯୋଗୁଁ ଚାଷ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି । ଚିନ୍ତାରେ ବରଗଡ଼ ଜିଲ୍ଲାର ପରିବା ଚାଷୀ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ଅଞ୍ଚଳରେ କାଳ ବୈଶାଖୀ ବର୍ଷା ।










