21.1 C
Bhubaneswar
Wednesday, February 11, 2026
Homeଓଡିଶାଜିଲ୍ଲାସ୍ତରୀୟ ଡାହାଣୀ କୁପ୍ରଥା ସଚେତନତା କର୍ମଶାଳା ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ଡାହାଣୀ କୁପ୍ରଥା ସଚେତନତା କର୍ମଶାଳା ଅନୁଷ୍ଠିତ

ଯାଜପୁର: ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡାହାଣୀ ସନ୍ଦେହରେ ନିର୍ଯାତନା ଓ ବାଲ୍ୟ ବିବାହ ନିରାକରଣ ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପାର୍ବତୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋରେଇ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଅବନୀକାନ୍ତ ସାହୁ ଅତିଥି ରୂପେ ଯୋଗ ଦେଇ ଡାହାଣୀ କୁପ୍ରଥା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାହୁ କହିଥିଲେ ଯେ ଡାହାଣୀ ପ୍ରଥା ସମାଜର ଏକ ବ୍ୟାଧି । ନିଃସହାୟ ମହିଳା ଏଥିରେ ଶିକାର ହୁଅନ୍ତି, ନିର୍ଯାତିତା ହୁଅନ୍ତି। ସେମାନଙ୍କୁ ଡାହାଣୀ ଆଖ୍ୟା ଦେଇ ସେମାନଙ୍କ ସମ୍ପତ୍ତି ହଡ଼ପ କରାଯାଏ। ଶିକ୍ଷା ଓ ସଚେତନତାର ଅଭାବ ଯୋଗୁଁ ଏହା ହୁଏ। ଡାହାଣୀ, ତନ୍ତ୍ର ମନ୍ତ୍ର, ଚେଙ୍କ ଦେବା ଏସବୁ କୁପ୍ରଥା ଏବଂ ଅନ୍ଧ ବିଶ୍ୱାସ। ବରଂ ଶରୀରରେ ରୋଗ ହେଲେ ଡ଼ାକ୍ତରଖାନା ଯିବା ଉଚିତ ବୋଲି ସେ କହିଥିଲେ। ସେହିପରି କୋରେଇ ବିଡ଼ିଓ ଶ୍ରୀ ସାହୁ କହିଥିଲେ ଯେ ମହିଳା ଓ ଶିଶୁ ଏଥିରେ ବିଶେଷ ଭାବେ ପ୍ରଭାବିତ ହୁଅନ୍ତି। ଏହି ଅନ୍ଧବିଶ୍ୱାସକୁ ରୋକିବା ପାଇଁ  ବିଜ୍ଞାନ ଶିକ୍ଷାର ପ୍ରଚାର ପ୍ରସାର ସହ ତୃଣମୂଳ ସ୍ତରରେ ସଚେତନତାର ଆବଶ୍ୟକତା ରହିଛି। ଏହି କର୍ମଶାଳାରେ ବିଶେଷଜ୍ଞ ଏବଂ ଆଇନଜୀବୀ ଯୋଗ ଦେଇ ଓଡ଼ିଶା ପ୍ରିଭେନସନ୍ ଅଫ୍ ୱିଚ ହଣ୍ଟିଂ ଆକ୍ଟ, ୨୦୧୩, ଭାରତୀୟ ନ୍ୟାୟ ସଂହିତାରେ ଥିବା ପ୍ରାବଧାନ, ଆଇନ କାନୁନ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଡାହାଣୀ ନିର୍ଯାତନା ଏବଂ ବାଲ୍ୟ ବିବାହ ସମ୍ପର୍କିତ ମାମଲା ପାଇଁ ପୋଲିସ ହେଲ୍ପ ଲାଇନ୍, ମହିଳା ହେଲ୍ପ ଲାଇନ୍ – ୧୮୧, ଶିଶୁ ସହାୟତା ହେଲ୍ପ ଲାଇନ୍ – ୧୦୯୮ ସୁଭଦ୍ରା ହେଲ୍ପ ଲାଇନ୍ – ୧୪୬୭୮କୁ କଲ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ଆଶା ଓ ଅଙ୍ଗନୱାଡ଼ି କର୍ମୀ, ଆଇସିଡିଏସ ସୁପରଭାଇଜର, ସିଡିପିଓମାନେ ଯୋଗ ଦେଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking