28.1 C
Bhubaneswar
Monday, February 9, 2026
Homeଓଡିଶା୧୨ ତାରିଖର ଧର୍ମଘଟକୁ କଂଗ୍ରେସର ସମର୍ଥନ ଘୋଷଣା

୧୨ ତାରିଖର ଧର୍ମଘଟକୁ କଂଗ୍ରେସର ସମର୍ଥନ ଘୋଷଣା

ଆସନ୍ତା ୧୨ ଫେବ୍ରୁଆରି ଗୁରୁବାର ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଡାକରା ଦିଆଯାଇଥିବା ଧର୍ମଘଟକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି। ଏହି ମର୍ମରେ ପିସିସି ସଭାପତି ଭକ୍ତଚରଣ ଦାସ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି, ଉପା ଅମଳରୁ ଚାଲିଆସିଥିବା କଲ୍ୟାଣକର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରି ଭିବି ଜି-ରାମ-ଜି ପରି ଶ୍ରମିବିରୋଧୀ ଯୋଜନା ଆରମ୍ଭ କରିଥିବାରୁ କଂଗ୍ରେସ ଦଳ ପକ୍ଷରୁ ଦେଶବ୍ୟାପୀ ନିରନ୍ତର ଧର୍ମଘଟ, ବିକ୍ଷୋଭ, ଅନଶନ ଚାଲିଆସିଛି। ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ଯଥା:- ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମଏସ, ସିଆଇଟିୟୁ, ଏଆଇଟିୟୁସି, ଏଆଇସିସିଟିୟୁ, ବିୟୁସିସି, ୟୁଟିୟୁସି, ଏଲ୍‌ପିଏଫ୍ ଓ ସେଓ୍ବା ସମେତ ବିଭିନ୍ନ ବ୍ୟାଙ୍କ, ବୀମା, ରାଜ୍ୟ ଓ କେନ୍ଦ୍ର କର୍ମଚାରୀ ସଂଗଠନ ପରି ୫୦ରୁ ଅଧିକ ସ୍ବାଧୀନ ମହାସଂଘ ଆାହ୍ବାନରେ ମନରେଗା ଉଚ୍ଛେଦ ବିରୋଧରେ ଓ ଶ୍ରମିକ-ବିରୋଧୀ ୪ ଶ୍ରମ-କୋଡ୍ ବାତିଲ ଦାବିରେ ଦେଶବ୍ୟାପୀ ଧର୍ମଘଟ କରାଯାଉଥିବାରୁ କଂଗ୍ରେସ ଏହାକୁ ସମର୍ଥନ କରୁଛି। ସୂଚନାଯୋଗ୍ୟ, ପିସିସିର ନିର୍ଦ୍ଦେଶ କ୍ରମେ ରାଜ୍ୟବ୍ୟାପୀ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜ୍ୟର ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି ଦେବା ଓ ଚାଷୀଙ୍କ ପାଇଁ ବିଜୁଳି ଦେୟ ସମ୍ପୂର୍ଣ୍ଣ ଛାଡ଼ କରିବା ଦାବିରେ ଗତ ଦୁଇମାସ ହେଲା ରାଜ୍ୟବ୍ୟାପୀ ଆନ୍ଦୋଳନ ହୋଇଆସୁଛି। ବିହନ, ସାର ଓ ଧାନସଂଗ୍ରହରେ ଅବ୍ୟବସ୍ଥା କରି ରାଜ୍ୟ ସରକାର ଚାଷୀକୁଳକୁ ଚରମ ଦୁର୍ଦ୍ଦିନକୁ ଠେଲିଦେଇଛନ୍ତି। ମନରେଗା, ବିଜୁଳି ଓ ଚାଷୀଙ୍କ ସମସ୍ୟା ପ୍ରସଙ୍ଗକୁ ୧୨ ତାରିଖର ଧର୍ମଘଟରେ ଉପରୋକ୍ତ ସଂଗଠନମାନେ ଗୁରୁତ୍ବ ଦେଉଥିବାରୁ ଓଡ଼ିଶା କଂଗ୍ରେସ ପକ୍ଷରୁ ସ୍ବାଗତ କରାଯାଉଛି ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି।

ଶ୍ରମିକ, ସାଧାରଣ ଉପଭୋକ୍ତା ଓ ଚାଷୀମାନଙ୍କର ସମୁହ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶାରେ କଂଗ୍ରେସର ତୃଣମୂଳ ସ୍ତର ଯାଏ ନେତା ଓ କର୍ମୀ ଏହି ଧର୍ମଘଟକୁ ସମର୍ଥନ କରିବା ପାଇଁ ପିସିସି ପକ୍ଷରୁ ଡିସିସି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ଦାସ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଆଇଏନଟିୟୁସି ସର୍ବଭାରତୀୟ ଉପସଭାପତି, ଓଡ଼ିଶା ରାଜ୍ୟଶାଖା ସଭାପତି ତଥା ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଣ୍ଟିଆଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଶନିବାର କଂଗ୍ରେସ ଭବନରେ ପିସିସି ସଭାପତି ଶ୍ରୀ ଦାସଙ୍କୁ ସାକ୍ଷାତ କରି ଧର୍ମଘଟ ବିଷୟରେ ଅବଗତ କରାଇବା ସହ ଦଳର ସମର୍ଥନ ଲୋଡ଼ିଥିଲେ। ଉକ୍ତ ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଏଆଇଟିୟୁସିର ରାଜ୍ୟ ସଂପାଦକ ଜୟନ୍ତ ଦାସ, ସିଆଇଟିୟୁର ଅନ୍ୟତମ ରାଜ୍ୟ ସଂପାଦକ ଦୁଷ୍ମନ୍ତ ଦାସ, ଏଆଇସିସିଟିୟୁର ରାଜ୍ୟ ସାଧାରଣ ସଂପାଦକ ମହେନ୍ଦ୍ର ପରିଡ଼ା, ଏଲ୍‌ପିଏଫର ମଧୁସୂଦନ, ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଅରବିନ୍ଦ ଦାସ, ଆଇଏନଟିୟୁସିର ଜାତୀୟ ସଂଗଠନ ସଂପାଦକ ସତ୍ୟବ୍ରତ ନାଏକ, ସମ୍ବଲପୁରର ବରିଷ୍ଠ କଂଗ୍ରେସ ନେତା ସୁଧୀର ପଣ୍ଡା (ହାଡ଼ୁ) ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking