ରାଉରକେଲା: ରାଉରକେଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବ୍ରିଜ୍ ତଳକୁ ଖସିଲା ଟ୍ରକ୍ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତାହତଙ୍କ ପରିଚୟ ମିଳିପାରିନାହିଁ । ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ବୀରମିତ୍ରପୁର ଥାନା ସୀମା ଅନ୍ତର୍ଗତ ଯମୁନା ନାକି ସେତୁରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପ୍ରଥମେ ଟ୍ରକ୍ଟି ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ଡିଭାଇଡରରେ ପିଟି ହୋଇଥିଲା । ଏହା ପରେ ଟ୍ରକଟି ଓଲଟି ବ୍ରିଜ୍ ତଳକୁ ଖସି ପଡିଥିଲା । ଏହି ଦୁର୍ଘାଟଣାରେ ଟ୍ରକ୍ ହେଲପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣାସ୍ଥଳରୁ ହେଲପରଙ୍କ ମୃତଦେହ ଉଦ୍ଧାର କରି ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଡ୍ରାଇଭରଙ୍କୁ ଗୁରୁତର ଆବସ୍ଥାରେ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲା । ତେବେ କେଉଁ ପରିସ୍ଥିତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ସେନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।










