ରାୟଗଡା: ରାୟଗଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଠରେ ପିଟି ହେଲା ବାଇକ୍ । ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ସୋମବାର ବିଳମ୍ବିତ ରାତିରେ ଗୁଣପୁର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଗ୍ରାମ ମୁଖ୍ୟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ମୃତ ଯୁବକଙ୍କୁ ପାଲକା ଶ୍ରୀନୁ ଏବଂ ଆହତ ଯୁବକଙ୍କୁ ତାଣ୍ଡିଲି କିରଣା ବୋଲି ଚିହ୍ନଟ କରାଯାଇଛି । ଉଭୟ ରାମାନୁଗୁଡା ବ୍ଲକ ଅନ୍ତର୍ଗତ ଭାମିନୀ ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ୨ ଯୁବକ ବାଇକ ଯୋଗେ କୁଜେନ୍ଦ୍ରି ଅଞ୍ଚଳରୁ କାମ ସାରି ବିଳମ୍ବିତ ରାତିରେ ଘରକୁ ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଏକ ଜମିରେ ପଡି ରହିଥିଲେ । ସକାଳୁ ସ୍ଥାନୀୟ ବାସିନ୍ଦା ଦେଖି ଗୁଣପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ସହ ୨ ଯୁବକଙ୍କୁ ଉଦ୍ଧାର କରିଥିଲେ । ଦୁଇ ଯୁବକଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ଶ୍ରୀନୁଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଗୁରୁତର ତାଣ୍ଡିଲିଙ୍କ ଚିକିତ୍ସା ଜାରି ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










