ଯାଜପୁର: ପ୍ରଶାସନିକ ଭବନ ପଡିଆଠାରେ ଦୁଇ ଦିନ ଧରି ଆୟୋଜିତ ହେଉଥିବା ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଉଦଯାପିତ ହୋଇଯାଇଛି। ଏହି ମେଳାରେ ୨ଦିନରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ୧୦ଟି ବ୍ଲକ୍ ର ମୋଟ ୧୪୦୦ ପ୍ରାଣୀ ପାଳକ ଓ ମତ୍ସ୍ୟଚାଷି ଯୋଗ ଦେଇଥିଲେ । ଆଜି ଉଦଯାପନ ଅବସରରେ ଆୟୋଜିତ ସାଧାରଣ ସଭାରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ର ଶଲ୍ୟ ଚିକିତ୍ସା ବିଭାଗ ର ବିଭାଗୀୟ ମୁଖ୍ୟ ପ୍ରଫେସର ଡଃ ଜୟକୃଷ୍ଣ ଦାସ ମୁଖ୍ୟ ଅତିଥି , ରାଜ୍ୟ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ନିର୍ଦ୍ଦେଶାଳୟ ର ଉପ ନିର୍ଦ୍ଦେଶକ ଡାଃ ଅନ୍ତର୍ଯ୍ୟାମୀ ଖୁଣ୍ଟିଆ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବାବେଳେ, ଜିଲ୍ଲା ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରମାକାନ୍ତ ପରିଡା, ନାବାର୍ଡ ଡିଡିଏମ୍ ଶିଳ୍ପାଲିନି ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀକାମିନି ରଞ୍ଜନ ପଟ୍ଟନାୟକ, ମତ୍ସ୍ୟ ଉପ ନିର୍ଦ୍ଦେଶକ ବାଲେଶ୍ଵର ଶ୍ରୀ ଦୀପ୍ତି କୁମାର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ମେଳା ଆୟୋଜନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ଓ ରାଜ୍ୟ ସରକାରଙ୍କ ପ୍ରାଣୀ ପାଳକ ଓ ମତ୍ସ୍ୟ ଚାଷୀମାନଙ୍କ ହିତସାଧନ ପାଇଁ ପ୍ରଚଳିତ ବିଭିନ୍ନ ଯୋଜନାର ଲାଭ ଉଠାଇବା ପାଇଁ ଉପସ୍ଥିତ ଚାଷୀ ଭାଇ ଭଉଣୀ ମାନଙ୍କୁ ଉପଦେଶ ଦେଇଥିଲେ। ଏହି ଅବସରରେ ଅତିଥିମାନେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ପ୍ରୟାସକୁ ସାଧୁବାଦ ଜଣାଇଥିଲେ । ଏହି ସଭାରେ ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀ ଡ଼ଃ ସୁବ୍ରତ ମହାପାତ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ , ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତି ରଞ୍ଜିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ଆଜି ୨ୟ ଦିନରେ ମଧ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସହିତ ଅନ୍ୟ ବିଭାଗ ତଥା କୃଷି , ଜୀବିକା ମିଶନ, ମୃତ୍ତିକା ସଂରକ୍ଷଣ ବିଭାଗ, ବିଞ୍ଝାରପୁରୀ ଗୋ ପ୍ରଜାତି ପ୍ରୋତ୍ସାହକ ଓ ଉତ୍ପାଦକ ସମିତି, ଓମଫେଡ ଆଦି ବିଭାଗ ମାନଙ୍କ ଦ୍ଵାରା ୨୮ଟି ଷ୍ଟଲ୍ ରେ ପ୍ରଦର୍ଶିନୀ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ପ୍ରଦର୍ଶିତ ହୋଇଥିବା ବିଭିନ୍ନ ପ୍ରଜାତିର ଗାଈ, ମଇଁଷି, ଛେଳି, କୁକୁଡା , ଘୁସୁରି ଏବଂ ବିଭିନ୍ନ ପ୍ରଣାଳୀରେ ମାଛ ଚାଷ ଉପସ୍ଥିତ ଜନସାଧାରଣଙ୍କ ଆକର୍ଷଣର କେନ୍ଦ୍ର ହୋଇଥିଲା ।ଏହି ଅବସରରେ ପ୍ରାଣୀ ପାଳନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ବଡଚଣା ବ୍ଳକର ଅନିଲ ପାତ୍ର, ରସୁଲପୁର ବ୍ଲକର ପ୍ରଫୁଲ୍ଲ କୁମାର ପରିଡ଼ା ଏବଂ ମତ୍ସ୍ୟ ଚାଷ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଧର୍ମଶାଳା ବ୍ଲକର ମଧୁସ୍ମିତା ଜେନା, ବିଞ୍ଝାରପୁର ବ୍ଳକର ସର୍ବେଶ୍ଵର ସେଠୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆୟୋଜିତ ଚାଷୀ – ବିଶେଷଜ୍ଞ ଆଲୋଚନା ଚକ୍ରରେ ମତ୍ସ୍ୟ ଚାଷ ବିଶେଷଜ୍ଞ ଭାବେ, କୃଷି ବିଜ୍ଞାନ କେନ୍ଦ୍ର କେନ୍ଦ୍ରାପଡା ର ବୈଜ୍ଞାନିକ ଶ୍ରୀଯୂକ୍ତ ମାନସ ରଞ୍ଜନ ବେହେରା, ଯାଜପୁର କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଶ୍ରୀଯୁକ୍ତ ସୁବ୍ରତ ତ୍ରିପାଠୀ ଏବଂ ପ୍ରାଣୀ ପାଳନ ବିଶେଷଜ୍ଞ ଭାବେ, ଯାଜପୁରର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ଅନିରୁଦ୍ଧ ବିଶ୍ଵାଳ ଓ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ରଞ୍ଜିତ ସାହୁ ପ୍ରମୁଖ ଯୋଗ ଦେଇ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯିବା ସହିତ ଚାଷିମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।ପରିଶେଷରେ ଜିଲ୍ଲା କଳା ସଂସ୍କୃତି ସଂଘ ଦ୍ବାରା ସଚେତନତା ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।









