କଟକ: ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅର୍ପିତା ଚୌଧୁରୀ । ସୋମେଶ ଶତପଥୀଙ୍କ ସହ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ସୋମେଶ, ଅର୍ପିତାଙ୍କ ସହ ୯ ଜଣଙ୍କ ନାଁରେ ଏତଲା କରିଛନ୍ତି ହ୍ୟୁମାନଙ୍କ ମାଆ । ଏତଲା ଆଧାରରେ ମାମଲା କରି ତଦନ୍ତ କରୁଛି ପୋଲିସ । ସୂଚନାଯୋଗ୍ୟ, ଗତକାଲି ଏହି ଘଟଣାର ସୂଚନା ଦେଇ କଟକ ଡିସିପି ଋଷିକେଶ ଖିଲାରୀ କହିଥିଲେ ଯେ ଡିସେମ୍ବର ୨୧ ତାରିଖରେ ମର୍କତ ନଗର ଥାନାରେ ହ୍ୟୁମାନ ସାଗରଙ୍କ ମା’ ଶେଫାଲି ସୁନାଙ୍କ ଅଭିଯୋଗ ଆଧାରରେ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଏତଲାରେ ଥିବା ପ୍ରତ୍ୟେକ ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବେ । ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଛି। ରିପୋର୍ଟ ଆସିବା ପରେ ତର୍ଜମା କରାଯିବ । ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଥିବାରୁ, ପୋଲିସ ମୃତ କଣ୍ଠଶିଳ୍ପୀଙ୍କ ଆର୍ଥିକ କାରବାର ବିବରଣୀ ଯାଞ୍ଚ ଜାରି ରଖିଛି । କମିଶନରେଟ୍ ପୋଲିସ ବିଭିନ୍ନ ବ୍ୟାଙ୍କକୁ ଅନୁରୋଧ ପଠାଇ ତାଙ୍କ ଆର୍ଥିକ କାରବାର ବିଷୟରେ ସୂଚନା ମାଗିଛି। କଣ୍ଠଶିଳ୍ପୀ ହ୍ୟୁମାନ ସାଗର ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।










