କୋଲକାତା: ହଂସଖାଲି ଗଣଦୁଷ୍କର୍ମ ମାମଲାରେ ମଙ୍ଗଳବାର ରାଣାଘାଟ ଅତିରିକ୍ତ ଜିଲ୍ଲା ଜଜ୍ (ଏଡିଜେ) କୋର୍ଟ ନିଜ ରାୟ ଶୁଣାଇଛନ୍ତି। ଦିନକ ପୂର୍ବେ ଏହି ମାମଲାର ଶୁଣାଣି ଶେଷ କରିଥିବା ବେଳେ କୋର୍ଟ ନିଜ ରାୟକୁ ଆଜି ତାରିଖ ପାଇଁ ସଂରକ୍ଷିତ ରଖିଥିଲେ। ତେବେ କୋର୍ଟ ନିଜ ଦଣ୍ଡାଦେଶରେ ଦୋଷୀ ସାବ୍ୟସ୍ତ ୯ ଅଭିଯୁକ୍ତଙ୍କ ପାଇଁ ଦଣ୍ଡ ଧାର୍ଯ୍ୟ କରିଛନ୍ତି। ଏମାନଙ୍କ ମଧ୍ୟରୁ ଟିଏମ୍ସି ନେତା ସମରେନ୍ଦ୍ର ଗୟାଲିଙ୍କ ପୁଅ ସୋହେଲ ଗୟାଲି ଓରଫ୍ ବ୍ରଜ ଗୟାଲିଙ୍କୁ ଏହି ଅପରାଧିକ ଘଟଣାରେ ମୁଖ୍ୟ ଦୋଷୀ ଭାବେ କୋର୍ଟ ଦର୍ଶାଇଥିବା ବେଳେ ତାଙ୍କ ସହ ଅନ୍ୟ ୨ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସମସ୍ତ ୯ ଦୋଷୀଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଆଜି କୋର୍ଟରେ ହାଜର କରାଯାଇଥିଲା। ଅତିରିକ୍ତ ଜିଲ୍ଲା ଜଜ୍ ସୌମେନ ଗୁପ୍ତା, ସୋହେଲ ଗୟାଲି, ରଞ୍ଜିତ ମଲ୍ଲିକ ଏବଂ ପ୍ରଭାକର ପୋଦ୍ଦାରଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି। ପୋକ୍ସୋ ଆଇନ ଅନୁଯାୟୀ ଏହି ୩ ଜଣଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସେହିପରି ଏହି ୩ ଦୋଷୀଙ୍କ ସହ ମିଶି ପୀଡିତ ପରିବାରକୁ ଭୟଭୀତ କରିବା ଏବଂ ଅପରାଧୀଙ୍କୁ ଆଶ୍ରୟ ଦେବା ଆଦି ଅଭିଯୋଗ ପ୍ରମାଣିତ ହେବାରୁ କୋର୍ଟ ସମରେନ୍ଦ୍ର ଗୟାଲି (ଟିଏମ୍ସି ନେତା), ଦୀପ୍ତା ଗୟାଲି ଏବଂ ପୀୟୁଷକାନ୍ତି ଭକ୍ତ ନାମକ ଅନ୍ୟ ୩ଜଣଙ୍କୁ ମଧ୍ୟ ୫ ବର୍ଷ ଲେଖାଏ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ଅଂଶୁମାନ ବାଗ୍ଚୀ ନାମକ ଜଣେ ଯୁବକଙ୍କୁ କୋର୍ଟ ୩ ବର୍ଷ ପାଇଁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ଏହି ଘଟଣାର ଅନ୍ୟ ୨ ଦୋଷୀଙ୍କୁ ଜାମିନ ବଣ୍ଡ୍ ଆଧାରରେ ମୁକ୍ତ କରାଯାଇଛି। ପ୍ରକାଶ ଏହି ଘଟଣାରେ ଗତକାଲି ଅର୍ଥାତ୍ ସୋମବାର ଦିନ, କୋର୍ଟ ସମସ୍ତ ୯ ଅଭିଯୁକ୍ତଙ୍କୁ ଏକ ୧୪ ବର୍ଷୀୟ ଝିଅର ଗଣଦୁଷ୍କର୍ମ ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ।
ଘଟଣାଟି ୨୦୨୨ ଏପ୍ରିଲ ମାସରେ ହଂସଖାଲି ଥାନା ଅନ୍ତର୍ଗତ ଏକ ଗାଁରେ ଏକ ଜନ୍ମଦିନ ପାର୍ଟିରେ ହୋଇଥିଲା। ପ୍ରସିକ୍ୟୁସନଙ୍କ ଅନୁଯାୟୀ, ଝିଅଟିକୁ ପାର୍ଟିକୁ ଡକାଯାଇଥିଲା, ନିଶା ଦିଆଯାଇଥିଲା ଏବଂ ଯୌନ ନିର୍ଯାତନା ଦିଆଯାଇଥିଲା। ବ୍ରଜଗୋପାଳ ଗୟାଲି ଓରଫ ସୋହେଲ ଗୟାଲିଙ୍କ ପାଇଁ ଏହି ପାର୍ଟି ଆୟୋଜନ କରାଯାଇଥିଲା। ତେବେ ଘଟଣା ପରେ, ପୀଡିତା ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ଏବଂ ତାଙ୍କ ଠାରେ ପ୍ରଚୁର ରକ୍ତସ୍ରାବ ହେଉଥିଲା। ତଥାପି ଦୋଷୀମାନେ ପୀଡିତାଙ୍କ ପରିବାରକୁ ଭୟଭୀତ କରିଥିଲେ ଏବଂ ହସ୍ପିଟାଲ କିମ୍ବା ପୁଲିସ୍ ନିକଟକୁ ଯିବା ପାଇଁ ମନା କରିଥିଲେ। ଏସବୁ ମଧ୍ୟରେ ପୀଡିତା ନାବାଳିକାଙ୍କ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ହୋଇଯାଇଥିଲା। ଏପରିକି ଦୋଷୀମାନେ ପରିବାରର ଅନ୍ୟ ସଦସ୍ୟଙ୍କୁ ହତ୍ୟା କରିବାର ଧମକ ଦେଇ ପୀଡିତାଙ୍କ ମୃତଦେହକୁ ନିକଟସ୍ଥ ଏକ ଶ୍ମଶାନରେ ଗୁପ୍ତ ଭାବରେ ଦାହ କରାଇଥିଲେ। ତେବେ ପରବର୍ତ୍ତୀ ସମୟରେ ଏହି ମାମଲା କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।










