25.1 C
Bhubaneswar
Tuesday, February 3, 2026
Homeଓଡିଶାସ୍ୱାଧୀନତା ସଂଗ୍ରାମୀର ଅଗ୍ରଣୀ ମାଟି ଭଦ୍ରକରେ ଆଦର୍ଶ ରାଜନୀତିର ଅଧୋପତନ ବଡ଼ ଦୁଃଖଦାୟକ:- ନିରଞ୍ଜନ ପଟ୍ଟନାୟକ

ସ୍ୱାଧୀନତା ସଂଗ୍ରାମୀର ଅଗ୍ରଣୀ ମାଟି ଭଦ୍ରକରେ ଆଦର୍ଶ ରାଜନୀତିର ଅଧୋପତନ ବଡ଼ ଦୁଃଖଦାୟକ:- ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଭଦ୍ରକ ଏମିତି ଏକ ମାଟି ଯେଉଁ ମାଟିର ସନ୍ତାନ ମାନେ ସ୍ବାଧୀନତା ସଂଗ୍ରାମ ବେଳେ ଓଡ଼ିଶାକୁ ଦିଗଦର୍ଶନ ଦେଉଥିଲେ। ଅଭୂତପୂର୍ବ ତ୍ୟାଗ, ସେବା ଏବଂ ବଳିଦାନ ଦେଇ ଦେଶକୁ ସ୍ଵାଧୀନ କରିବା ପାଇଁ ଉଦ୍ୟମ କରିଥିଲେ। ଆଜି ସେଇ ଭଦ୍ରକ ମାଟିର ସନ୍ତାନ ମାନେ ଦିଗହରା ଏବଂ ଆଦର୍ଶ ବିହୀନ ରାଜନୀତି କରୁଛନ୍ତି ବୋଲି ମନେ ହେଉଛି। ସେଥିପାଇଁ ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ ବୋଲି ଏକ ପ୍ରେସବାର୍ତ୍ତାରେ ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି । ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପରିବାର ବିଜେପିରେ ମିଶିବା ନେଇ ଶ୍ରୀ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରଫୁଲ୍ଲ ବାବୁ ମୋର ଜଣେ ବ୍ୟକ୍ତିଗତ ବନ୍ଧୁ ଏବଂ ବହୁଦିନ ଧରି ରାଜନୀତି କରୁଛନ୍ତି। କଣ ପାଇଁ ତାଙ୍କ ପରିବାରରେ ଏପରି ପରିସ୍ଥିତି ହେଲା ସେ ବିଷୟରେ କହିପାରିବି ନାହିଁ କିନ୍ତୁ ବର୍ତ୍ତମାନ ଦେଶରେ ଦିଗହରା ଏବଂ ଆଦର୍ଶ ବିହୀନ ରାଜନୀତି କରାଯାଉଛି। ସେମାନେ ଯୁବକ ଲୋକ ତାଙ୍କର ଭବିଷ୍ୟତ ଅଛି। କଣ ପାଇଁ ସେମାନେ ଏପରି ଧର୍ଯ୍ୟହରା ରାଜନୀତି କରୁଛନ୍ତି ବୋଲି ଦୁଃଖ ପ୍ରକାଶ କରିଛନ୍ତି ଶ୍ରୀ ପଟ୍ଟନାୟକ।

ସତ୍ୟହିନ ରାଜନୀତି, ଆଦର୍ଶ ବିହୀନ ରାଜନୀତି ଆଜିର ଧର୍ମ ହୋଇଗଲାଣି। ସୁବିଧାବାଦୀ ରାଜନୀତି କରିବା, ରାଜନୀତି ମାଧ୍ୟମରେ ନିଜର ପ୍ରତିଷ୍ଠା ଲାଭ କରିବା ବା ଧନ ଉପାର୍ଜନ କରିବା ଆଦି ଏଭଳି ମାନସିକତା ଦେଶରେ ସୃଷ୍ଠି ହୋଇଛି। ବିଜେପି ଦଳ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଏ ଯେଉଁ କାର୍ଯ୍ୟ କରୁଛନ୍ତି ଏହା ପ୍ରତ୍ୟେକ ଦଳ ପାଇଁ ଏବଂ ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି କି ବରପଦା ଇଞ୍ଜିନିୟରିଂ କଲେଜ୍ ସେ ଶିଳ୍ପ ମନ୍ତ୍ରୀ ଥିବାବେଳେ ସୃଷ୍ଠି ହୋଇଥିଲା। ଓଡ଼ିଶାରେ ୧୯୯୫ ମସିହା ପରେ ପ୍ରାୟ ବହୁ ବେସରକାରୀ ଇଞ୍ଜିନିୟରିଂ କଲେଜ୍ ସୃଷ୍ଠି ହୋଇଥିଲା। ତା ମଧ୍ୟରେ ବରପଦା ଇଞ୍ଜିନିୟରିଂ କଲେଜ୍ ଅନ୍ୟତମ। ସେତେବେଳେ ପ୍ରଫୁଲ୍ଲ ବାବୁଙ୍କୁ ବରପଦା ଇଞ୍ଜିନିୟରିଂ କଲେଜ୍ ଦାଇତ୍ୱ ଦିଆଯାଇଥିଲା ଯଦି ଓ ସେ ଅନ୍ୟ ଦଳର ଥିଲେ। କାରଣ ସେତେବେଳେ ମୁଁ ଚାହୁଁଥିଲି କି ଯେଉଁ ଯୁବକ ମାନେ ଓଡ଼ିଶା ବାହାରକୁ ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଇଞ୍ଜିନିୟର ହେଉଥିଲେ , ସେମାନେ ଓଡ଼ିଶାରେ ରହି ଅଳ୍ପ ପଇସାରେ କିପରି ଇଞ୍ଜିନିୟର ହୋଇପାରିବେ। ଏବଂ ପୂର୍ବ ଭାରତରେ ଟେକନିସିଆନର ହବ କରିବା ମୂଳ ଲକ୍ଷ ଥିଲା ଏବଂ ସଫଳ ମଧ୍ୟ ହୋଇଥିଲା ବୋଲି ସେ କହିଛନ୍ତି।

ରାଜନୀତିକୁ ଯେତେ ଗୁରୁତ୍ଵ ଦେଉନାହାନ୍ତି ତା ଅପେକ୍ଷା ନିଜର ପ୍ରତିଷ୍ଠା ଏବଂ ଆୟର ଉପାୟ ପାଇଁ ବହୁ ଲୋକ ବର୍ତ୍ତମାନ ବିଜେପିରେ ମିଶୁଛନ୍ତି। କିନ୍ତୁ ଏ ଦେଶ ପାଇଁ ଯୁବକ ମାନଙ୍କ ପାଇଁ ବିଶେଷ କରି ଭଦ୍ରକ ଜିଲ୍ଲା ପାଇଁ ଶୁଭସୂଚନା ନୁହେଁ। ବେଳ ଥିଲା ବିଭିନ୍ନ ଦଳର ଲୋକ ଆସି କଂଗ୍ରେସରେ ମିସୁଥିଲେ। ବର୍ତ୍ତମାନ ଯେଉଁ ଲୋକ ଦେଖୁଛନ୍ତି ବିଜେଡି କ୍ଷମତାରୁ ଯାଉଛି ଏବଂ ବିଜେପି କ୍ଷମତାରେ ଅଛି ତେଣୁ ବିଜେପିରେ ମିସୁଛନ୍ତି। ପୁଣି ଯେ କିଏ ବିଜେପି ଛାଡ଼ି କଂଗ୍ରେସ କିମ୍ବା ବିଜେଡିରେ ନ ମିଶିବେ କିଏ କହିପାରିବ ? କାରଣ ବର୍ତ୍ତମାନ ବ୍ୟବସାୟୀ କରଣ ରାଜନୀତି ଏବଂ ଆଦର୍ଶ ବିହୀନ ରାଜନୀତିରେ ଭବିଷ୍ୟତରେ କଣ ହେବ କେହି କହିପାରିବେ ନାହିଁ। ଯେଉଁମାନେ ପ୍ରକୁତ ରାଜନୀତି କରୁଛନ୍ତି ସେମାନେ କର୍ମ କରିବା ସହ ଧର୍ଯ୍ୟ ଧରିବା ଉଚିତ୍। କର୍ମ ନ କରି ଏବଂ ଧର୍ଯ୍ୟ ନ ଧରି ଫଳ ଆଶା କରିବା ବୃଥା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking