କେନ୍ଦ୍ରାପଡା: କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ହଜାରୀ ବଗିଚାଠାରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ପୌରସଂସ୍ଥା ପକ୍ଷରୁ ୨୦୧୮ ମସିହାର ଏକ ସଦୃଶ୍ୟ ରାତ୍ର ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି । ଘରଦ୍ୱାର ନ ଥିବା ଯେଉଁ ଅସହାୟ ଲୋକମାନେ ସହରର ରାସ୍ତାକଡରେ କିମ୍ବା ଦୋକାନ ପିଣ୍ଡାରେ ଆଶ୍ରୟ ନେଉଥିବେ ସେମାନଙ୍କୁ ରାତିରେ ଏହି ଆଶ୍ରୟସ୍ଥଳକୁ ଆଣି ଆଶ୍ରୟ ଦେବା ପାଇଁ ଏହା ନିର୍ମାଣ କରାଯାଇଛି । ଏହି ଆଶ୍ରୟସ୍ଥଳରେ ୨୦ ପୁରୁଷ ଏବଂ ୧୦ ମହିଳାଙ୍କୁ ଆଶ୍ରୟ ଦେବା ପାଇଁ ଖଟିଆର ବ୍ୟବସ୍ଥା ରହିଛି । ସେହି ଆଶ୍ରୟସ୍ଥଳରେ ସେମାନଙ୍କ ପାଇଁ ପୌରସଂସ୍ଥା ପକ୍ଷରୁ ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା ରହିଛି । ୨୦୧୮ ମସିହାରେ ପ୍ରଥମ ଯେତେବେଳେ ଏହି ଆଶ୍ରୟସ୍ଥଳ ନିର୍ମାଣ କରାଗଲା ସେ ସମୟରେ ରାତିରେ ଏଭଳି ଲୋକଙ୍କୁ ସହରସାରା ଖୋଜିବା ପାଇଁ ଦୁଇଜଣ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିଲା। କିନ୍ତୁ ଏବେ କେନ୍ଦ୍ରାପଡା ସହରର ବହୁ ଦୋକାନ ପିଣ୍ଡାରେ ନିରାଶ୍ରୟ ଲୋକମାନେ ପ୍ରବଳ ଶୀତରେ ରାତ୍ରିଯାପନ କରୁଥିବା ବେଳେ ସେମାନଙ୍କୁ ଖୋଜି ବାହାର କରିବା ପାଇଁ ରାତ୍ର ଆଶୟସ୍ଥଳରେ କେହି ଲୋକ ନାହାନ୍ତି । ଏହି ରାତ୍ର ଆଶ୍ରୟସ୍ଥଳୀରେ ରହିବା ଖାଇବା ଆଦି ପାଇଁ ମାଗଣାର ବ୍ୟବସ୍ଥା କରାଯାଇଛି।
ହେଲେ ଏ ସବୁର କାର୍ଯ୍ୟକାରୀ ହୋଇପାରୁନାହିଁ। ୨୦୧୮ ମସିହାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ମରାମତି ଓ ରକ୍ଷଣାବେକ୍ଷଣ ବାବଦରେ ୨୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି। ତିନିମୁହାଣି ଛକରେ ଥିବା ଏକ ଔଷଧ ଦୋକାନ ପିଣ୍ଢାରେ ଜଣେ ୩୦ ବର୍ଷୀଆ ମହିଳା ନିଜ ଲୁଗାପଟେ ମୁଣ୍ଡତଳେ ଦେଇ ଶୋଇଥିବା ଆଜି ସକାଳେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ କାଠୁଆ ଶୀତରେ ନିରାଶ୍ରୟ ମାନେ ରାସ୍ତାକଡ, ଦୋକାନ ପିଣ୍ଢା ଏବଂ ସରକାରୀ ବାରଣ୍ଡାରେ ଶୋଉଥିବାର ଦେଖିବାକୁ ମିଳିଛି। ଏହିଭଳି ଯଦି ସହରସାରା ରାତିରେ ଅସହାୟ ଲୋକଙ୍କୁ ଖୋଜାଯାଏ ତେବେ ବହୁ ଲୋକ ଦୋକାନ ପିଣ୍ଢାରେ ଶୋଇଥିବା ଦେଖିବାକୁ ମିଳବ।କିନ୍ତୁ ପୌରସଂସ୍ଥା କର୍ମଚାରୀଙ୍କୁ ଏହା ଦେଖାଯାଉ ନାହିଁ ।ପୌରସଂସ୍ଥା ଦ୍ୱାରା ପରିଚାଳିତ ଏହି ରାତ୍ର ଆଶ୍ରୟସ୍ଥଳରେ ୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି । ସେମାନେ ରୋଷେଇ କରିବା ସହିତ ରାତ୍ର ଆଶ୍ରୟସ୍ଥଳ ଗୃହର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି । ଏହି ଦୃଶ୍ୟ ରାତ୍ର ଆଶ୍ରୟସ୍ଥଳରେ ଗୋଟିଏ ସୈାଖିନ ପ୍ରକୋଷ୍ଠ ରହିଛି । ଯେଉଁ ଉଚ୍ଚସ୍ତରୀୟ ଅଧିକାରୀମାନେ କେନ୍ଦ୍ରାପଡ଼ାକୁ ବଦଳି ହୋଇଆସିବେ ସେମାନଙ୍କୁ ସେହି ସୈାଖିନ ପ୍ରକୋଷ୍ଠରେ କିଛି ଦିନ ରହିବା ପାଇଁ ବ୍ୟବସ୍ଥା ରହିଛି । ବାହାରେ ତାଙ୍କର ଗାଡି ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଡାକ୍ତରଖାନାକୁ ଆସିଥିବା ରୋଗୀଙ୍କ ସମ୍ପର୍କୀୟମାନେ ରାତିରେ ରହିବା ପାଇଁ ଘର ନ ପାଇ ଏହି ଆଶ୍ରୟସ୍ଥଳରେ ଦିନେ ଦୁଇଦିନ ରହୁଥିଲେ । ସେ ବ୍ୟବସ୍ଥା ମଧ୍ୟ ବନ୍ଦ ହୋଇଯାଇଛି ।
ତେବେ କୋଟିଏ ଟଙ୍କା ବ୍ୟୟରେ ସୁଦୃଶ୍ୟ କୋଠା ସହିତ ୩୦ଟି ଖଟିଆ ଗଦି, ତକିଆ, କାହା ପାଇଁ କିଣାଯାଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଆଶ୍ରୟସ୍ଥଳ ପ୍ରତିଷ୍ଠା ପରେ ଭୁବନେଶ୍ୱର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଯେଉଁ ଦୁଇଜଣ ସେଚ୍ଛାସେବୀ ସେଠାରେ ରହି ରାତିରେ ସହରସାରା ବୋଲି ରାସ୍ତାକଡରେ କିମ୍ବା ଦୋକାନ ପିଣ୍ଢାରେ ଶୋଇଥିବା ନିରାଶ୍ରୟ ଲୋକଙ୍କୁ ଏହି ରାତ୍ର ଆଶ୍ରୟସ୍ଥଳକୁ ଆଣୁଥିଲେ ସେମାନେ ଏଠାରୁ ଚାଲିଯିବା ପରେ ସେମାନଙ୍କ ଦାୟିତ୍ୱରେ କେହି ନାହାନ୍ତି । ଯାହା ଫଳରେ କି ରାତ୍ରରେ ସହରରେ ବୁଲି ନିରାଶ୍ରୟ ଲୋକଙ୍କୁ ଏହି ଆଶ୍ରୟସ୍ଥଳକୁ ଆଣିବା ବ୍ୟବସ୍ଥା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ଏହି ରାତ୍ର ଆଶ୍ରୟସ୍ଥଳ କେବଳ ଫଳକରେ ସୀମିତ ରହିଛି । ରାତ୍ର ଆଶ୍ରୟସ୍ଥଳଠାରୁ ଆରମ୍ଭ କରି ପାଖ ରାସ୍ତାରେ ସୁଦୃଶ୍ୟ ଫଳକ ଲାଗିବା ଦ୍ୱାରା କେବଳ ଏହି ରାତ୍ର ଆଶ୍ରୟସ୍ଥଳର ଅସ୍ତିତ୍ୱକୁ ବିଜ୍ଞାପନ ମାଧ୍ୟମରେ ବାହାରେ ପ୍ରଚାର କରାଯାଉଛି । ଏହି ବିଷୟରେ ପୌରନିର୍ବାହୀ ଅଧିକାରୀ କିମ୍ବା ପୌରାଧ୍ୟକ୍ଷାଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇନାହିଁ। ଭିତର ଅବସ୍ଥା ସଂପୂର୍ଣ୍ଣ ଓଲଟା । ଯେଉଁ ଉଦ୍ଦେଶ୍ୟରେ ଏହି ରାତ୍ର ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି ତାହାର ଉଦ୍ଦେଶ୍ୟ ପୂରଣ ହେଉନଥିବାରୁ ତୁରନ୍ତ ଏହି ରାତ୍ର ଆଶ୍ରୟସ୍ଥଳୀକୁ ଜନସାଧାରଣଙ୍କ କାର୍ଯ୍ୟରେ ଲଗାଇବାକୁ ସାଧାରଣରେ ଦାବି ହେଉଛି।










