ପାଟନା: ଆଜିଠୁ ବିହାରରେ ପୁଣି ନୀତିଶ ଯୁଗ । ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର । ଏଥି ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା । ମନ୍ତ୍ରି ପରିଶଦର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଛନ୍ତି । ଜେଡିୟୁ କୋଟାରୁ ମନ୍ତ୍ରୀ ହେବାକୁ ଥିବା ବିଧାୟକମାନେ ହେଲେ ବିଜୟ କୁମାର ଚୌଧୁରୀ, ଅଶୋକ ଚୌଧୁରୀ, ଲେସି ସିଂହ, ଶ୍ରବଣ କୁମାର, ବିଜେନ୍ଦ୍ର ଯାଦବ, ଜମା ଖାନ ଏବଂ ମଦନ ସହନୀ ଶପଥ ନେଇଛନ୍ତି ।
ସେହିପରି ବିଜେପି କୋଟାରୁ ମନ୍ତ୍ରୀ ପଦରେ ଶପଥ ନେବାକୁ ଥିବା ନାଁ ମଧ୍ୟ ସାମ୍ନାକୁ ଆସିଛି । ଦୁଇ ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କୁ ଛାଡ଼ି ମଙ୍ଗଲ ପାଣ୍ଡେ, ଦିଲ୍ଲୀପ ଜୟସଓ୍ୱାଲ୍, ନୀତିନ ନବୀନ, ରାମକୃପାଳ ଯାଦବ, ସଞ୍ଜୟ ସିଂହ ‘ଟାଇଗର’, ଅରୁଣ ଶଙ୍କର ପ୍ରସାଦ, ସୁରେନ୍ଦ୍ର ମେହତା, ନାରାୟଣ ପ୍ରସାଦ, ରମା ନିଷାଦ, ଲଖେନ୍ଦ୍ର ପାସଓ୍ୱାନ୍, ଶ୍ରେୟସୀ ସିଂ ଏବଂ ପ୍ରମୋଦ କୁମାର ଚନ୍ଦ୍ରବଂଶୀ । ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ପାଟନା ଗାନ୍ଧୀ ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଅଛନ୍ତି । ସେଠାରେ ବିଶାଳ ଜନସମାଗମ ଦେଖାଦେଇଥିଲ।। ଚଳିତ ବିଧାନସଭା ନିର୍ବାଚନରେ ଇଣ୍ଡି ମେଣ୍ଟ ଏକପାଖିଆ ବିଜେତା ହୋଇଛି ।










