ଜଳେଶ୍ୱର: ମୃତ ଝିଅର ଶବକୁ ଟ୍ରଲିରେ ଡାକ୍ତରଖାନା ବୋହିଲେ ବାପା । ଆତ୍ମହତ୍ୟା କରିଥିବା ଝିଅର ଶବକୁ ପୋଲିସ ଜବଦ କରିଥିଲା । ମାତ୍ର ବ୍ୟବଚ୍ଛେଦ ପାଇଁ ନେବାକୁ ପରିବାର ଲୋକଙ୍କୁ କହିଦେଇ ଚାଲିଗଲା । ଗରୀବ ଆଦିବାସୀ ବାପା ପାଖରେ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ଟଙ୍କା ନଥିଲା । ଶେଷରେ ଗାଁରୁ ଜଣଙ୍କର ଟ୍ରଲି ମାଗି ଝିଅର ଶବକୁ ୬ କିଲୋମିଟର ବୋହି ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ପଡିଲା ।
ବାଲେଶ୍ବର ବାଲିଆପାଳ ଅଞ୍ଚଳରୁ ଆସିଛି ଏଭଳି ହୃଦୟ ବିଦାରକ ଘଟଣା। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦେଉଳା ପଞ୍ଚାୟତ ବିନ୍ଧାଣୀ ସାହିର ମଧୁ ବିନ୍ଧାଣୀଙ୍କ ଝିଅ ନନ୍ଦିନୀ ଗତକାଲି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଖବର ପାଇ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବଦ କରିବା ପରେ ବ୍ୟବଚ୍ଛେଦ ପାଇଁ ପରିବାର ଲୋକଙ୍କୁ ଦାୟିତ୍ବ ଦେଇ ଚାଲିଯାଇଥିଲା ।









