29.1 C
Bhubaneswar
Saturday, February 7, 2026
Homeଓଡିଶାକର୍ମଚାରୀ ଓ ସଂସ୍ଥା ପଞ୍ଜୀକରଣକୁ କୋହଳ କଲା ଇଏସ୍‍ଆଇସି: ସ୍ପ୍ରୀ ଯୋଜନାରେ ବକେୟା ଆଦାୟ ଛାଡ଼

କର୍ମଚାରୀ ଓ ସଂସ୍ଥା ପଞ୍ଜୀକରଣକୁ କୋହଳ କଲା ଇଏସ୍‍ଆଇସି: ସ୍ପ୍ରୀ ଯୋଜନାରେ ବକେୟା ଆଦାୟ ଛାଡ଼

ଭୁବନେଶ୍ୱର: କର୍ମଚାରୀ ରାଜ୍ୟ ବୀମା ନିଗମ ପକ୍ଷରୁ ଅଣ ପଞ୍ଜିକୃତ କର୍ମ ସଂସ୍ଥାନଗୁଡ଼ିକ ପାଇଁ ଏକ ବିଶେଷ ସୁଯୋଗ ଘୋଷଣା କରାଯାଇଛି। ନିଗମ ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ୍ର ‘ସ୍ପ୍ରୀ-୨୦୨୫’ ଯୋଜନା ମାଧ୍ୟମରେ ଅଣ ପଞ୍ଜିକୃତ ସଂସ୍ଥାମାନେ ସେମାନଙ୍କ କର୍ମଚାରୀଙ୍କୁ ବିନା କୌଣସି ବକେୟା ଦେୟ ବା ରେକର୍ଡ ଯାଞ୍ଚରେ ପଞ୍ଜିକୃତ କରିପାରିବେ। ଖାଲି ସେତିକି ନୁହେଁ, ଏହି ଯୋଜନାରେ ପଞ୍ଜିକୃତ କର୍ମଚାରୀ ବି ଅବିଳମ୍ବେ ଚିକିତ୍ସା ଓ ଦୁର୍ଘଟଣା ବୀମା ସୁବିଧା ପାଇପାରିବେ। ସମସ୍ତଙ୍କୁ ସାମାଜିକ ସୁରକ୍ଷା ପରିଧିରେ ଆଣିବା ପାଇଁ ଏହି ବିଶେଷ ଯୋଜନା ଲାଗୁ କରାଯାଇଛି।

ଏହି ଯୋଜନା ସମ୍ପର୍କରେ ଅଧିକ ସୂଚନା ଦେଇ ଇଏସ୍‍ଆଇସି ପକ୍ଷରୁ କୁହାଯାଇଛି, ସ୍ପ୍ରୀ-୨୦୨୫ ଯୋଜନା ୧ ଜୁଲାଇ ରୁ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରି ସଂସ୍ଥାମାନେ ସେମାନଙ୍କ କାରଖାନା ବା ସଂସ୍ଥା ଏବଂ ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ବୀମାଭୁକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ଇଏସ୍‍ଆଇସି। ଯେଉଁ କାରଖାନା କିମ୍ବା ବ୍ୟବସାୟିକ ସଂସ୍ଥା ଯେମିତି ଦୋକାନ, ହୋଟେଲ୍-ଭୋଜନାଳୟ, ସିନେମା ଗୃହ, ରାସ୍ତା ଯାନବାହନ ପରିବହନ ପ୍ରତିଷ୍ଠାନ, ସମ୍ବାଦପତ୍ର ପ୍ରତିଷ୍ଠାନ, ବେସରକାରୀ ଚିକିତ୍ସା ନିକେତନ, ଶିକ୍ଷା ସଂସ୍ଥା ଏବଂ ପୌର ସଂସ୍ଥାର ଅସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟା ୧୦ କିମ୍ବା ତାହାଠାରୁ ଅଧିକ ହୋଇଥିବେ କିନ୍ତୁ ପୂର୍ବରୁ ଇଏସ୍‍ଆଇସି ଅନ୍ତର୍ଭୁକ୍ତ ହୋଇ ନଥିବା ସେମାନେ ଏହି ସୁଯୋଗର ଲାଭ ଉଠାଇପାରିବେ। ପୁଣି ଯଦି କୌଣସି ସଂସ୍ଥାର କିଛି କର୍ମଚାରୀ ବାଦ୍‍ ପଡ଼ିଥିବେ ସେମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ।

ଏଥିଲାଗି ନିଯୁକ୍ତିଦାତାଙ୍କ ପୂର୍ବ ରେକର୍ଡ ଯାଞ୍ଚ କରାଯିବ ନାହିଁ ବା ବକେୟ ଆଦାୟ କରାଯିବ ନାହିଁ କି ଆଦାୟ ଦାୟିତ୍ୱ ବି ରହିବ ନାହିଁ ବୋଲି ଇଏସ୍‍ଆଇସି ପକ୍ଷରୁ କୁହାଯାଇଛି। ପୁଣି ପୂର୍ବରୁ ପଞ୍ଜିକୃତ ହୋଇ ନଥିବା ଯୋଗୁ କୌଣସି ଅପରାଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ଇଏସ୍‍ଆଇସି ସ୍ପଷ୍ଟ କରିଛି। ନିଯୁକ୍ତିକର୍ତ୍ତା ପଞ୍ଜୀକୃତ ହେବା ଦ୍ୱାରା ତାଙ୍କର କର୍ମଚାରୀମାନେ ନିଜର ଏବଂ ପରିବାର ପାଇଁ ସମ୍ପୂର୍ଣ୍ଣ ଚିକିତ୍ସା ସୁବିଧା ପାଇପାରିବେ। କୌଣସି ରୋଗ ହେଉ ବା ଗର୍ଭାବସ୍ଥା, କାର୍ଯ୍ୟ ସମ୍ବନ୍ଧୀୟ ଚୋଟ କିମ୍ବା ଦୁର୍ଘଟଣ ଅବସରରେ ନଗଦ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଇ.ଏସ୍‌.ଆଇ ଆଇନ, ୧୯୪୮ ଅନୁସାରେ ଦୀର୍ଘକାଳୀନ ସାମାଜିକ ସୁରକ୍ଷା ମିଳିପାରିବ। ପଞ୍ଜୀକୃତ ହେବାପରେ ନିଯୁକ୍ତିକର୍ତ୍ତାଙ୍କର ଆବର୍ତ୍ତନ ତାରିଖରୁ ଆରମ୍ଭ ହେବ । କର୍ମଚାରୀଙ୍କ ଆବର୍ତ୍ତନ ମଧ୍ୟ ନିଯୁକ୍ତିକର୍ତ୍ତାଙ୍କ ଘୋଷିତ ତାରିଖରୁ ହେବ। ପୂର୍ବ ଅବଧି ପାଇଁ କୌଣସି ବକାୟା ଅଦାୟ କିମ୍ବା ବ୍ୟାକ ଡେଟ୍ ସୁବିଧା ମିଳିବ ନାହିଁ ।

ପଞ୍ଜିକରଣ ପାଇଁ ନିଯୁକ୍ତିଦାତାଙ୍କୁ ଇଏସ୍‍ଆଇସି ପୋର୍ଟାଲ https://www.esic.gov.inକୁ ଯିବାକୁ ପଡ଼ିବ। ପୋର୍ଟାଲ୍ ମାଧ୍ୟମରେ ପଞ୍ଜୀକରଣ ସମ୍ବନ୍ଧରେ ସହାୟତା ପାଇଁ ସେମାନେ https://portal.esic.gov.in/ESICInsurance/ESICInsurancePortal/EmployerEmployee_registration_through_portal.pdf ଲିଙ୍କରେ ଆବଶ୍ୟକ ସହାୟତା ପୁସ୍ତିକା ଡାଉନଲୋଡ କରିପାରିବେ। ପଞ୍ଜିକରଣ ପାଇଁ ନିଯୁକ୍ତିଦାତାମାନେ ଶ୍ରମ ସୁବିଧା ପୋର୍ଟାଲ୍ https://registration.shramsuvidha.gov.in/user/registerର ସହାୟତା ବି ନେଇପାରିବେ। ଏପରିକି ଏମ୍‍ସିଏ ପୋର୍ଟାଲରେ ମଧ୍ୟ ଏ ସୁଯୋଗ ଉପଲବ୍ଧ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking