17.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶ୨୦୨୭ ସୁଦ୍ଧା ପଞ୍ଚମ ପର୍ଯ୍ୟାୟ ଏସ୍-୪୦୦ ଡେଲିଭରୀ

୨୦୨୭ ସୁଦ୍ଧା ପଞ୍ଚମ ପର୍ଯ୍ୟାୟ ଏସ୍-୪୦୦ ଡେଲିଭରୀ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ବିବାଦରେ ସବୁଠାରୁ ଚର୍ଚ୍ଚିତ ଏୟାର ଡିଫେନ୍ସ ସିଷ୍ଟମ ଏସ-400 ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା । ପ୍ରଥମ ଥର ପାଇଁ ଭାରତ ଏହାକୁ ବ୍ୟବହାର କରିଥିଲା ଏବଂ ଶତ୍ରୁ ପକ୍ଷ ଛାନିଆ ହୋଇଥିଲା । ଶତ୍ରୁ ଆକାଶ ମାର୍ଗରେ ଚେକ୍ ଦେଇଥିଲା ଭାରତର ଏସ୍-୪୦୦ ସୁଦର୍ଶନ ବାୟୁ ପ୍ରତିରକ୍ଷା ପ୍ରଣାଳୀ । ପାକିସ୍ତାନ ପଟୁ ଆସୁଥିବା ସମସ୍ତ ଡ୍ରୋନ୍, ମିସାଇଲକୁ ପଣ୍ଡ କରିଥିଲା ଭାରତର ସୁଦର୍ଶନ । ୨୦୧୮ ମସିହାରେ ଭାରତ ୫ଟି ସ୍କ୍ୱାଡ୍ରନ୍ ଏସ୍-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାଇଁ ରୁଷ ସହିତ ପ୍ରାୟ ୩୫,୦୦୦ କୋଟି ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଥିଲା । ଯାହା ପରେ ଭାରତ ପଡୋଶୀ ପାକିସ୍ତାନ ଏବଂ ଚୀନ୍ ଠାରୁ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଉଭୟ ସୀମାରେ ଏହି ଏସ୍-୪୦୦ ବା ସୁଦର୍ଶନ ଚକ୍ର ମୁତୟନ କରିଥିଲା। ଏସ୍-୪୦୦ ହେଉଛି ରୁଷ୍ ଦ୍ୱାରା ନିର୍ମିତ ଏକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ।

ଏହାକୁ ଭାରତ ଅପଗ୍ରେଡ୍ କରି ସୁଦର୍ଶନ ନାଁ ଦେଇଛି । ଏହା ବିଶ୍ୱର ସର୍ବୋତ୍ତମ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମଧ୍ୟରୁ ଗୋଟିଏ । ଭାରତ ମଗାଇଥିବା ୫ ୟୁନିଟ୍ ଏସ୍-୪୦୦ ଏଯାଏଁ ବିତରଣ ସମ୍ପୂର୍ଣ୍ଣ ହୋଇନାହିଁ। ଗତ ବର୍ଷ ଡିସେମ୍ବରରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ରୁଷ୍ ଗସ୍ତ ସମୟରେ ଏହା ଉପରେ ଆଲୋଚନା ହୋଇଥିଲା। ଏସ୍‌ସିଓ ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ରୁଷ୍ ପ୍ରତିରକ୍ଷା ମନ୍ତ୍ରୀ ଆଣ୍ଡ୍ରେ ବେଲୋସୋଭଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଶା କରାଯାଉଛି, ଚତୁର୍ଥ ୟୁନିଟ୍ ଆସନ୍ତା ବର୍ଷ ୨୦୨୬ ସୁଦ୍ଧା ଏବଂ ପଞ୍ଚମ ୟୁନିଟ୍ ୨୦୨୭ ସୁଦ୍ଧା ବିତରଣ କରାଯିବ।

ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏସ୍-୪୦୦ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିଲା। ଏହି ପ୍ରଣାଳୀର ବିଶେଷତ୍ୱ ହେଉଛି, ଏହାର ଲମ୍ବା ଦୂରତା ରାଡାର ୬୦୦କିଲୋମିଟର ଦୂରରୁ ଆସୁଥିବା ଯେକୌଣସି ଶତ୍ରୁର ବାୟୁ ଆକ୍ରମଣକୁ ଚିହ୍ନଟ କରିପାରିବ। ଏହା ଏକା ସମୟରେ ୧୦୦ରୁ ଅଧିକ ଉଡ଼ନ୍ତା ବସ୍ତୁକୁ ଚିହ୍ନଟ କରିପାରିବ। ଏହା ୪୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ରଣନୈତିକ ବୋମାବର୍ଷୀ ବିମାନ, ଯୁଦ୍ଧ ବିମାନ, ଗୁଇନ୍ଦା ବିମାନ, ପ୍ରାରମ୍ଭିକ ସତର୍କତା ରାଡାର ବିମାନ,ଲଢ଼ୁଆ ବିମାନ, ସଶସ୍ତ୍ର ଡ୍ରୋନ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣକୁ ମାରି ଖସାଇପାରିବ । ଶତ୍ରୁ ରେଞ୍ଜରେ ଆସିବା ମାତ୍ରେ, ଏହା ତାକୁ ଧ୍ୱଂସ କରିଦିଏ। ଏକ ସ୍କ୍ୱାଡନରେ ୩୨ଟି ମିସାଇଲ୍, ସହିତ କମାଣ୍ଡ ଏବଂ ନିୟନ୍ତ୍ରଣ ଏବଂ ଲମ୍ବା ଦୂରତା ରାଡାର ଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking