ମୁମ୍ବାଇ: ପାକିସ୍ତାନ ନିଜ ଛୋଟ ମାନସିକତାରୁ କେବେ ହେଲେ ବାହାରିପାରିବ ନାହିଁ । ଭାରତ ସହ ଶତ୍ରୁତା ପାକିସ୍ତାନକୁ ଏତେ ମାତ୍ରାରେ ପ୍ରତିଶୋଧପରାୟଣ କରିଦେଇଛି ଯେ, ଏହା ଭଲମନ୍ଦ ବିଚାର କରିବା ମଧ୍ୟ ଭୁଲିଯାଇଛି । ବୁଧବାର ଉଡାଣ ଭରିଥିବା ଏକ ଇଣ୍ଡିଗୋ ବିମାନଟି ଅମୃତସର ଉପରେ ଉଡ଼ୁଥିବା ସମୟରେ, ଆକାଶମାର୍ଗରେ ହଠାତ୍ ଟର୍ବୁଲାନ୍ସର ସମ୍ମୁଖୀନ ହୋଇଥିଲା । ଏହି ସମୟରେ ବିମାନର ପାଇଲଟ୍ ପାକିସ୍ତାନ ଏୟାର ସ୍ପେଶ୍ ବ୍ୟବହାର କରିବା ପାଇଁ ଲାହୋର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍କୁ ଅନୁମତି ମାଗିଥିଲେ । କିନ୍ତୁ ମଣିଷପଣିଆ ହରାଇସାରିଥିବା ପାକିସ୍ତାନ ପାଇଲଟ୍ଙ୍କ ଅନୁରୋଧକୁ ପ୍ରତ୍ୟାଖାନ କରିଦେଇଥିଲ । ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଉଡାଣ ଭରିଥିବା ଏହି ଇଣ୍ଡିଗୋ ବିମାନର ପାଇଲଟ୍ ଯାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପାକିସ୍ତାନ ଏୟାରସ୍ପେଶ୍କୁ କିଛି ସମୟ ପାଇଁ ବ୍ୟବହାର କରିବାକୁ ଅନୁମତି ମାଗିବା ସତ୍ତ୍ୱେ ଲାହୋର ଏଟିସି ଏହାକୁ ପ୍ରତ୍ୟାଖାନ କରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉତ୍ପନ୍ନ ହେବା ପରେ ପ୍ରଥମେ ପାକିସ୍ତାନ ଭାରତ ପାଇଁ ନିଜ ଏୟାରସ୍ପେଶ୍କୁ ବନ୍ଦ କରିଥିଲା । ତେବେ ଏବେ ଯେତେବେଳେ ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ଜାରି ରହିଛି ସେତେବେଳେ ଏୟାରସ୍ପେଶ୍କୁ ବନ୍ଦ ରଖିବାର କୌଣସି ଯଥାର୍ଥତା ନାହିଁ । ତଥାପି ଭାରତ ପକ୍ଷରୁ ପାକିସ୍ତାନ ଉପରେ ଲାଗୁ କରାଯାଇଥିବା କଟକଣା ଜାରି ରହିଥିବାରୁ ପାକିସ୍ତାନ ମଧ୍ୟ ନିଜ ଅନୁସାରେ କଟକଣା ଜାରି ରଖିବା ତା’ର ନିଜସ୍ୱ ଅଧିକାର । କିନ୍ତୁ ଏଠାରେ ଯେତେବେଳେ ଯାତ୍ରୀଙ୍କ ସୁରକ୍ଷା କଥା ଆସୁଛି ସେତେବେଳେ ଜରୁରିକାଳୀନ ପରିସ୍ଥିତିରେ ଏୟାରସ୍ପେଶ୍କୁ ବ୍ୟବହାର କରିବାକୁ ଅନୁମତି ଦେବା ପାକିସ୍ତାନ ପାଇଁ ଏକ ମାନବୀୟ କାର୍ଯ୍ୟ ହୋଇପାରିଥାନ୍ତା । ରିପୋର୍ଟ ଅନୁସାରେ ଇଣ୍ଡିଗୋ ଫ୍ଲାଇଟ୍ ନଂ ୬-ଇ ୨୧୪୨ ଗୁରୁତର ଅସ୍ଥିରତାର ସମ୍ମୁଖୀନ ହୋଇଥିବା ଘଟଣାର ତଦନ୍ତ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ଦ୍ୱାରା କରାଯାଉଥିବା ସୂଚନା ମିଳିଛି ।
ପ୍ରକାଶ, ଡେରେକ ଓ’ବ୍ରାଏନ୍, ନଡିମୁଲ୍ ହକ୍, ସାଗାରିକା ଘୋସ୍, ମାନସ ଭୁନିଆ ଏବଂ ମମତା ଠାକୁରଙ୍କ ଭଳି କିଛି ତୃଣମୂଳ କଂଗ୍ରେସ ସାଂସଦଙ୍କ ସମେତ ୨୨୦ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଏହି ବିମାନଟି ହଠାତ୍ ଆକାଶମାର୍ଗରେ ତୁଷାରପାତର ଶିକାର ହୋଇଥିଲା ଏବଂ ପାଇଲଟ୍ ଶ୍ରୀନଗର ବିମାନବନ୍ଦରରେ ବିମାନ ଟ୍ରାଫିକ୍ ନିୟନ୍ତ୍ରଣକୁ “ଜରୁରୀକାଳୀନ’ ସୂଚନା ଦେଇଥିଲେ । ବୁଧବାର ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବିମାନବନ୍ଦରରେ ଅବତରଣ କରିଥିଲେ । ତେବେ ବିମାନର ଅଗ୍ରଭାଗ ମାତ୍ରାଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଏପରି କୁହାଯାଇପାରେ ଯେ, ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି । ଟର୍ବୁଲାନ୍ସ ସମୟରେ ବିମାନରେ ଥିବା ଯାତ୍ରୀମାନେ ମାତ୍ରାଧିକ ଭାବେ ଭୟଭୀତ ହୋଇପଡିଥିଲେ, ଚିତ୍କାର କରିବା ଆରମ୍ଭ କରିଦେଇଥିଲେ ।
ଅପରେସନ ସିନ୍ଦୁର ପରେ ଉଭୟ ଭରାତ ଓ ପାକିସ୍ତାନ ପରସ୍ପରର ବାୟୁସୀମାକୁ ବନ୍ଦ କରିଦେଇଛନ୍ତି । ନିକଟରେ ପାକିସ୍ତାନ ଏହି କଟକଣାକୁ ଆଉ ମାସେ ବଢାଇଥିବାବେଳେ ଆଜି ଭାରତ ସମାନ ପଦକ୍ଷେପ ନେଇଛି । ଭାରତ ସରକାର ଜୁନ୍ ୨୩ ପର୍ଯ୍ୟନ୍ତ ପାକିସ୍ତାନୀ ବିମାନ ପାଇଁ ଆକାଶ ମାର୍ଗ ବନ୍ଦ କରିଦେଇଛନ୍ତି । ପୂର୍ବରୁ, ପାକିସ୍ତାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ସରକାର ୨୩ ମେ ୨୦୨୫ ପର୍ଯ୍ୟନ୍ତ ନୋଟାମ୍ (ନୋଟିସ ଟୁ ଏୟାରମ୍ୟାନ) ଜାରି କରିଥିଲେ ।










