34.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶସିଭିଲ୍ ଜଜ୍ ଆଶାୟୀଙ୍କୁ ସୁପ୍ରିମ୍ ଝଟ୍‌କା ଲ’ ଡିଗ୍ରୀ ସହ ୩ ବର୍ଷର ପ୍ରାକ୍ଟିସ୍ ବି...

ସିଭିଲ୍ ଜଜ୍ ଆଶାୟୀଙ୍କୁ ସୁପ୍ରିମ୍ ଝଟ୍‌କା ଲ’ ଡିଗ୍ରୀ ସହ ୩ ବର୍ଷର ପ୍ରାକ୍ଟିସ୍ ବି ଜରୁରି

ନୂଆଦିଲ୍ଲୀ: ଏଣିକି ଲ’ ଗ୍ରାଜୁଏଟ୍‌ମାନେ ସିଧାସଳଖ ସିଭିଲ୍ ଜଜ୍ ପାଇଁ ପରୀକ୍ଷା ଦେଇପାରିବେନି। ପରୀକ୍ଷା ଦେବା ପାଇଁ ସେମାନଙ୍କୁ କିଛି ଅତିରିକ୍ତ ଯୋଗ୍ୟତାର ଆବଶ୍ୟକ ପଡ଼ିବ। ନିମ୍ନ କୋର୍ଟଗୁଡ଼ିକରେ ନିଯୁକ୍ତ ହେଉଥିବା ବିଚାରପତି ଅର୍ଥାତ୍ ଜୁନିଅର ଡିଭିଜନ୍ ସିଭିଲ୍ ଜଜ୍ (ବିଚାରପତି)ଙ୍କ ନିଯୁକ୍ତି ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ପଦବୀଗୁଡ଼ିକ ପାଇଁ ପରୀକ୍ଷା ଦେବା ଲାଗି, ଜଣେ ପ୍ରାର୍ଥୀଙ୍କର ଅତି କମ୍‌ରେ ୩ ବର୍ଷର ଆଇନ ଅଭ୍ୟାସ ବା ଲ’ ପ୍ରାକ୍ଟିସ ଥିବା ଆବଶ୍ୟକ। ସିଧାସଳଖ କହିଲେ ଆଇନ୍ ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିବା ସିଭିଲ୍ ଜଜ୍ ହେବା ପାଇଁ ଯଥେଷ୍ଟ ନୁହେଁ। ଡିଗ୍ରୀ ହାସଲ କରିବା ପରେ ତିନି ବର୍ଷ ଧରି ଓକିଲାତି ଭାବେ ଅଭ୍ୟାସ କରିବାକୁ ହେବ। ଡିଗ୍ରୀ ହାସଲ ସହ ୩ ବର୍ଷର ପ୍ରାକ୍ଟିସ୍ କରିଥିବା ଆଶାୟୀଙ୍କୁ ହିଁ ସିଭିଲ୍ ଜଜ୍ ପାଇଁ ଉଦ୍ଦିଷ୍ଟ ପରୀକ୍ଷାରେ ବସିବାକୁ ସୁଯୋଗ ମିଳିବ। ମଙ୍ଗଳବାର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି (ସିଜେଆଇ) ଜଷ୍ଟିସ୍ ବିଆର ଗଭାଇ, ବିଚାରପତି ଏଜି ମସିହ ଏବଂ ବିଚାରପତି ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

ଖଣ୍ଡପୀଠଙ୍କ କହିବାନୁସାରେ ସିନିୟର ଡିଭିଜନ ସିଭିଲ ଜଜଙ୍କ ନିଯୁକ୍ତିରେ ଜୁନିଅର ସିଭିଲ ଜଜଙ୍କ ପାଇଁ ୨୫% ବିଭାଗଗତ ସଂରକ୍ଷଣ ରହିଛି। ଲ’ ପ୍ରାକ୍ଟିସ୍ କରିବା ପାଇଁ ନାମାଙ୍କନ କରାଯିବା ତାରିଖ ଠାରୁ ତିନି ବର୍ଷର ଅବଧିକୁ ବିଚାର କରାଯିବ। ଏହି ସର୍ତ୍ତ ସେହି ପରୀକ୍ଷାଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ ନାହିଁ ଯେଉଁଗୁଡ଼ିକର ପ୍ରକ୍ରିୟା ହାଇକୋର୍ଟଙ୍କ ଦ୍ୱାରା ଆରମ୍ଭ ହୋଇସାରିଛି। ସେହିପରି ବର୍ତ୍ତମାନ ସମୟରେ ସୁପ୍ରିମକୋର୍ଟଙ୍କ ଏହି ନିୟମ ପ୍ରଭାବୀ ଭାବେ ଆଗକୁ ହେବାକୁ ଥିବା ପରୀକ୍ଷା ପାଇଁ ଆଶାୟୀଙ୍କ କ୍ଷେତ୍ରରେ ମଧ୍ୟ ଲାଗୁହେବ ନାହିଁ। କିନ୍ତୁ ଆଗାମୀ ପରୀକ୍ଷାରେ ପ୍ରାର୍ଥୀମାନଙ୍କୁ ଏହି ସର୍ତ୍ତ ପୂରଣ କରିବାକୁ ପଡିବ। ଏହି ଅବସରରେ କୋର୍ଟ ପ୍ରାର୍ଥୀମାନଙ୍କୁ ଆଶ୍ୱସ୍ତି ଦେଇଛନ୍ତି ଯେ, ୧୦ବର୍ଷ ଧରି କାର୍ଯ୍ୟ କରିଥିବା ଆଡଭୋକେଟ୍‌ଙ୍କ ପକ୍ଷରୁ ସେମାନଙ୍କୁ ମିଳିବାକୁ ଥିବା ପ୍ରାକ୍ଟିସ୍ ପ୍ରମାଣପତ୍ର ହିଁ କେବଳ ବୈଧ ବିବେଚନା କରାଯିବ। ଏତଦ୍‌ବ୍ୟତୀତ ୩ ବର୍ଷ ଧରି ଆଇନ କ୍ଲର୍କ ଭାବରେ କାମ କରିଥିବା ପ୍ରାର୍ଥୀ ମଧ୍ୟ ପରୀକ୍ଷା ଦେଇପାରିବେ।

ଖଣ୍ଡପୀଠ କହିଛନ୍ତି, ସୁପ୍ରିମକୋର୍ଟ ବିଶ୍ୱାସ କରନ୍ତି ଯେ, ଜଣେ ଆଇନ ସ୍ନାତକ ଯିଏ ଗୋଟିଏ ଦିନ ପାଇଁ ମଧ୍ୟ ଆଇନ ଅଭ୍ୟାସ କରିନାହାଁନ୍ତି, ତାଙ୍କୁ ସିଭିଲ ଜଜ ଭଳି ପଦବୀରେ ସାମିଲ କରିବା ସମସ୍ୟା ସୃଷ୍ଟି କରିପାରେ। କୋର୍ଟ କହିଛନ୍ତି ଯେ ଏହି ପ୍ରଥା ୨୦ବର୍ଷ ଧରି ଚାଲିଆସିଛି, ଯାହାର ଭଲ ଫଳାଫଳ ଆସିନାହିଁ। ଆଇନ ସ୍ନାତକମାନଙ୍କୁ ସିଧାସଳଖ ଏପରି ପଦବୀରେ ନିଯୁକ୍ତି ଦେବା ଦ୍ୱାରା ଅନେକ ସମସ୍ୟା ଉପୁଜୁଛି। କୋର୍ଟ କହିଛନ୍ତି ଯେ କେବଳ ଆଇନ ପୁସ୍ତକ ପଢ଼ି କିମ୍ବା ତାଲିମ ଦ୍ୱାରା କୋର୍ଟ ବ୍ୟବସ୍ଥାର ଜ୍ଞାନ ହାସଲ କରାଯାଇପାରିବ ନାହିଁ, ଏହା କେବଳ ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ପ୍ରାର୍ଥୀ କୋର୍ଟର କାର୍ଯ୍ୟକାରିତା ଏବଂ କୋର୍ଟରେ ଓକିଲ ଏବଂ ବିଚାରପତିମାନେ କିପରି କାମ କରନ୍ତି ସେସମ୍ପର୍କରେ ବ୍ୟକ୍ତିଗତ ଅଭିଜ୍ଞତା, ଅନୁଭବ ହାସଲ କରିପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking