ନୂଆଦିଲ୍ଲୀ: ନାଗପୁର ସ୍ଥିତ ଆରଏସ୍ଏସ୍ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖିବାକୁ ମିଳିଥିଲା। ବାସ୍ତବରେ ମୋଦୀ ଛତିଶଗଡ଼ ଯିବା କାର୍ଯ୍ୟକ୍ରମ ଥିବା ବେଳେ ଏହାପୂର୍ବରୁ ଆରଏସ୍ଏସ୍ ମୁଖ୍ୟାଳୟକୁ ଆସିଥିଲେ। ଏଠାରେ ସେ ଆରଏସ୍ଏସ୍ ପ୍ରତିଷ୍ଠାତା କେଶବ ବଳିରାମ ହେଡଗେୱାର ଏବଂ ଦ୍ୱିତୀୟ ସରସଂଘଚାଳକ ଗୋଲୱାଲକରଙ୍କ ସ୍ମୃତିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୋଦୀ ଏହି ଅବସରରେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ୍ଙ୍କ ସହ କିଛି ସମୟ ଆଲୋଚନା ମଧ୍ୟ କରିଥିଲେ। ପରେ ଆରଏସ୍ଏସ୍କୁ ଭାରତର ସାଂସ୍କୃତିକ ଏବଂ ଆଦର୍ଶ ଐତିହ୍ୟର ପ୍ରତିନିଧିତ୍ୱ କରୁଥିବା “ବଟବୃକ୍ଷ’ ବୋଲି କହି ମୋଦୀ ପ୍ରଶଂସା କରିଥିଲେ। ତେବେ ଦୀର୍ଘ ୧୦-୧୧ ବର୍ଷ ମଧ୍ୟରେ କେବେ ବି ଆରଏସ୍ଏସ୍ ମୁଖ୍ୟାଳୟକୁ ଆସିନଥିବା ବେଳେ ଅକସ୍ମାତ୍ ମୋଦୀଙ୍କ ଏପ୍ରକାର ଗସ୍ତକୁ ନେଇ ଏବେ ରାଜନୈତିକ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି।
ଶିବସେନା (ୟୁବିଟି) ସାଂସଦ ତଥା ବରିଷ୍ଠ ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଗପୁର ଗସ୍ତକୁ ତାଙ୍କର ଅବସର ଯୋଜନା ସହିତ ଯୋଡିଛନ୍ତି। ସେ କହିଛନ୍ତି ଯେ, ମୋଦୀ ବୋଧହୁଏ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍) ମୁଖ୍ୟ ମୋହନ ଭାଗବତଙ୍କୁ ଭେଟି ‘ଟା-ଟା, ବାଏ-ବାଏ’ କହିବାକୁ ଯାଇଛନ୍ତି। ଆରଏସ୍ଏସ୍ ନିର୍ଦ୍ଦେଶକ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ହୁଏତ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ନିଜ ପଦରୁ ଅବସର ନେବାକୁ ଯୋଜନା କରୁଛନ୍ତି। ଆଉ ଏହି କାରଣ ପାଇଁ ସେ ଏବେ ଆରଏସ୍ଏସ୍ ମୁଖ୍ୟାଳୟକୁ ଯାଇଛନ୍ତି। କେବଳ ସେତିକି ନୁହେଁ ମୋଦୀ ଏବଂ ଆରଏସ୍ଏସ୍ ମୁଖ୍ୟ ମୋହନ୍ ଭାଗବତ୍ ଏବେ ମୋଦୀଙ୍କ ଉତ୍ତରାଧିକାରୀଙ୍କ ସମ୍ପର୍କରେ ମଧ୍ୟ ହୁଏତ ଆଲୋଚନା କରିଥିବେ। ଯାହା ଅନୁମାନ କରାଯାଉଛି, ମୋଦୀଙ୍କ ଉତ୍ତରାଧିକାରୀ ମହାରାଷ୍ଟ୍ରରୁ ହିଁ ଜଣେ କିଏ ହେବେ ବୋଲି ସଞ୍ଜୟ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି। ସଞ୍ଜୟ ରାଉତ ଦାବି କରିଛନ୍ତି ଯେ, ଆରଏସ୍ଏସ୍ ଏବେ ଦେଶର ନେତୃତ୍ୱ ପରିବର୍ତ୍ତନ ଚାହୁଁଛି। ଆରଏସ୍ଏସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତରାଧିକାରୀ ଏବଂ ପରବର୍ତ୍ତୀ ବିଜେପି ସଭାପତି ନିର୍ଣ୍ଣୟ କରିବାକୁ ହୁଏତ ପ୍ରସ୍ତୁତି କରୁଛି।
ଅନ୍ୟପକ୍ଷେ ସଞ୍ଜୟଙ୍କ ଏପ୍ରକାର ବିବୃତ୍ତି ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ଫଡନଭୀସ କହିଛନ୍ତି, ବାପା ଥିବା ଯାଏ ଉତ୍ତରାଧିକାର ଖୋଜିବା କିମ୍ବା ଏସମ୍ପର୍କରେ ଆଲୋଚନା ମଧ୍ୟ କରିବାର ପରମ୍ପରା, ସଂସ୍କୃତି ଆମର ନୁହେଁ। ଫଡନଭୀସ ସଞ୍ଜୟ ରାଉତଙ୍କ ଦାବିକୁ ଖଣ୍ଡନ କରିବା ପୂର୍ବକ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ଅନେକ ବର୍ଷ ପର୍ଯ୍ୟନ୍ତ ଦେଶକୁ ନେତୃତ୍ୱ ଦେଇ ଚାଲିବେ। ଫଡନଭୀସ କହିଛନ୍ତି, “୨୦୨୯ ମସିହାରେ, ଆମେ ମୋଦୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବରେ ଦେଖିବୁ। ତାଙ୍କ ଉତ୍ତରାଧିକାରୀ ଖୋଜିବାର କୌଣସି ଆବଶ୍ୟକତା ନାହିଁ। ସେ (ମୋଦୀ) ଆମର ନେତା ଏବଂ ସେହିପରି ରହିବେ।