21.1 C
Bhubaneswar
Saturday, December 20, 2025
Homeଓଡିଶାମଧୁବାବୁଙ୍କ ଜନ୍ମସ୍ଥଳୀ ଓ କର୍ମସ୍ଥଳୀର ଉନ୍ନତିକରଣ ନେଇ ମନ୍ତ୍ରୀଙ୍କ ସମୀକ୍ଷା

ମଧୁବାବୁଙ୍କ ଜନ୍ମସ୍ଥଳୀ ଓ କର୍ମସ୍ଥଳୀର ଉନ୍ନତିକରଣ ନେଇ ମନ୍ତ୍ରୀଙ୍କ ସମୀକ୍ଷା

– ପୀଠର ସଂରକ୍ଷଣ ଉପରେ ଦିଆଯିବ ଅଧିକ ଗୁରୁତ୍ୱ
– ଏନ୍ତୁଡ଼ିଶାଳ, ମଧୁକୋଠୀ, ବାଲିପୋଖରୀ ଓ କର୍ମଭୂମିର ହେବ ନବୀକରଣ
– ପୁରାତନ ସ୍ମୃତିକୁ ସାଉଁଟିବା ପାଇଁ ରହିବା ବ୍ୟବସ୍ଥା
– ମଧୁବାବୁଙ୍କ ଜୀବନୀ ଜାଣିବା ନେଇ ଗବେଷକ ଓ ପର୍ଯ୍ୟଟକଙ୍କୁ ମିଳିବ ପର୍ଯ୍ୟାପ୍ତ ସୁଯୋଗ

ଭୁବନେଶ୍ୱର : ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଏବଂ ଆଦର୍ଶର ପଟାନ୍ତର ନାହିଁ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନଠାରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ ପର୍ଯ୍ୟନ୍ତ ସବୁଠି ମଧୁସୂଦନଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି । ଏହି ମହାନ ଯୋଗଜନ୍ମା ମହାପୁରୁଷଙ୍କ ଜନ୍ମ ଓ କର୍ମଭୂମିର ସଂରକ୍ଷଣ ଓ ବିକାଶ ରାଜ୍ୟ ସରକାରଙ୍କ ପ୍ରାଥମିକ ଦାୟିତ୍ୱ । ଏହି ଦାୟିତ୍ୱକୁ ସଠିକ୍‌ ରୂପେ ପାଳନ କରିବା ପାଇଁ ଆମ ସରକାର ବଦ୍ଧପରିକର ବୋଲି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଓ କର୍ମଭୂମିର ଉନ୍ନତିକରଣ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମତବ୍ୟକ୍ତ କରିଛନ୍ତି ।

ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମଧୁବାବୁଙ୍କ ଜନ୍ମଭୂମି, ଏନ୍ତୁଡ଼ିଶାଳ, ମଧୁକୋଠି, ବାଲିପୋଖରୀ ଏବଂ କର୍ମସ୍ଥଳୀ ଆଦିର ଉନ୍ନତିକରଣ ନେଇ କ’ଣ ସବୁ ପଦକ୍ଷେପ ନିଆଯିବା ଜରୁରୀ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଟ୍ରଷ୍ଟ ଏବଂ ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ । ଏଥି ସହିତ ଏଠାରେ ପାର୍କିଂସ୍ଥଳ, ଲାଇବ୍ରେରୀ, ବହୁମୁଖୀ କେନ୍ଦ୍ର, ଦୃଶ୍ୟଶ୍ରାବ୍ୟ ଗୃହ ଏବଂ ମ୍ୟୁଜିୟମ୍‌ ନିର୍ମାଣ ସହ ପୂର୍ବରୁ ଥିବା ସମସ୍ତ ଐତିହ୍ୟସ୍ଥଳୀର ପ୍ରାକୃତିକ ଶୈଳୀରେ ସଂରକ୍ଷଣ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଓଡ଼ିଶାବାସୀଙ୍କ ଭାବାବେଗ ଓ ସମ୍ମାନ ସହ ମଧୁବାବୁଙ୍କ ଜୀବନୀ ଜଡ଼ିତ ଥିବାରୁ ପୀଠର ନବୀକରଣ ସମୟରେ ସେ ସମୟର ସ୍ମୃତି ଯେପରି ବଜାୟ ରହେ, ତାହା ଉପରେ ଧ୍ୟାନଦେବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜିଲ୍ଲା ପ୍ରଶାସନ ଏବଂ ନିର୍ମାଣ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ମାହାଙ୍ଗା ବିଧାୟକ ଶ୍ରୀ ସାରଦା ପ୍ରସାଦ ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, ଓବିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସମୀର ହୋତା, ଉତ୍କଳଗାନ୍ଧୀ ସ୍ମାରକନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି, କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟର ଜାତୀୟ ଉପସଭାନେତ୍ରୀ ଗାୟତ୍ରୀ ଦାସ, ମଧୁସ୍ମୃତି କମିଟିର ସଭାପତି ଶ୍ରୀ ଗୋପାଳକୃଷ୍ଣ ବେହେରା, ସତ୍ୟଭାମାପୁର ମଧୁପୀଠ ଉନ୍ନୟନ କମିଟିର ସଂଯୋଜକ ଜଷ୍ଟିସ୍‌ ମନୋରଞ୍ଜନ ମହାନ୍ତି, କେନ୍ଦ୍ରୀୟ ଗାନ୍ଧୀ ସ୍ମାରକନିଧି ନୂଆଦିଲ୍ଲୀ ଟ୍ରଷ୍ଟି ଡା. ବିଶ୍ୱଜିତ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀ ବିରୁପାକ୍ଷ ତ୍ରିପାଠୀ, ମଧୁସ୍ମୃତି କମିଟି ସଦସ୍ୟା ପ୍ରଫେସର ସ୍ୱପ୍ନା ମହାପାତ୍ର, କସ୍ତୁରବା ଗାନ୍ଧୀ ପ୍ରତିନିଧି ସନ୍ଧ୍ୟାରାଣୀ ମଲ୍ଲିକ ଏବଂ ରାଷ୍ଟ୍ରୀୟ ଯୁବସଂଗଠନର ଶ୍ରୀ ସୂର୍ଯ୍ୟ ନାରାୟଣ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking