19.1 C
Bhubaneswar
Thursday, December 12, 2024
Homeଓଡିଶାଦାଦନଙ୍କ ଦୁଃଖ ବୁଝିବାକୁ ସରକାରଙ୍କ ନାହିଁ ଆନ୍ତରିକତା, ଘେରିଲେ ବିରୋଧୀ

ଦାଦନଙ୍କ ଦୁଃଖ ବୁଝିବାକୁ ସରକାରଙ୍କ ନାହିଁ ଆନ୍ତରିକତା, ଘେରିଲେ ବିରୋଧୀ

ଭୁବନେଶ୍ୱର: କାମ ଓ ରୋଜଗାର ପାଇଁ ପଡ଼ୋଶୀ ରାଜ୍ୟକୁ ଯାଉଛନ୍ତି ରାଜ୍ୟରୁ ହଜାର ହଜାର ଲୋକ। ଦାଦନଙ୍କ ଦୁଃଖ ଓ ସମସ୍ୟା ବୁଝିବା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ। ବିରୋଧୀ ଏହି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ସରକାରଙ୍କୁ ଘେରିଥିଲେ। ହେଲେ ଶାସକ ଦଳ ସଭ୍ୟ ଓ ଖୋଦ୍ ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସବୁ ଅଭିଯୋଗ ଅସତ୍ୟ, ତଥ୍ୟ ଉପରେ ଆଧାରିତ ନୁହେଁ ବୋଲି କହିଥିଲେ। ମଙ୍ଗଳବାର କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା। ମୁଲତବୀ ଆଲୋଚନାରେ ଭାଗ ନେଇ ବିଜେଡ଼ି ବିଧାୟକ କଳିକେଶ ସିଂଦେଓ କହିଥିଲେ, ରାଜ୍ୟରେ ୬୦ ହଜାର ପଞ୍ଜୀକୃତ ଶ୍ରମିକ ଥିଲେ ବି ଏହାଠୁ ୧୦ ଗୁଣା ଅଧିକ। ଏହା ଏବେକାର ସମସ୍ୟା ନ ହେଲେ ବି ସରକାର ଏ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ପ୍ରାୟ ୨୦ ଲକ୍ଷ ଲୋକ ଦାଦନ ଯାଉଛନ୍ତି। କୋଭିଡ୍ ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଲା। କିନ୍ତୁ ମନ୍ତ୍ରୀ ଏ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ କଲେନି ଦାଦନ ରୋକିବାକୁ କଣ ପଦକ୍ଷେପ ନେଉଛନ୍ତି। ସରକାର କହୁଛନ୍ତି ଦାଦନ ରୋକିବାକୁ ଟାସ୍କ ଫୋର୍ସ କରାଯାଇଛି। କିନ୍ତୁ ଟାସ୍କ ଫୋର୍ସ ଏବେ ସୁଦ୍ଧା କଣ କରିଛି। ସରକାର ଯାହା ପଦକ୍ଷେପ ନେଇଛନ୍ତି ବୋଲି ମନ୍ତ୍ରୀ କହୁଛନ୍ତି ତାହା ପୂର୍ବ ସରକାର କରିଥିଲେ। ବିଜେପି ସରକାର ଆସିବା ପରେ ମାନରେଗାରୁ ୪୦ ଲକ୍ଷ ଶ୍ରମିକଙ୍କ ନାଁ କଟିଛି। ବିଜେପି ସରକାର ରାଜନୀତିକ ଉଦ୍ଦେଶ୍ୟ ରଖି ଲୋକଙ୍କ ଭବିଷ୍ୟତ ସହ ଖେଳ ନ ଖେଳନ୍ତୁ। ଆନ୍ଧ୍ର ପ୍ରଦେଶରେ ୧୬ ଜଣ ଦାଦନ ଶ୍ରମିକଙ୍କୁ ନିର୍ଯ୍ୟାତନା ଦିଆଯାଉଛି। ସେମାନେ ତାଙ୍କ ପରିବାର ଲୋକଙ୍କୁ ଫୋନ କରି ଜଣାଉଛନ୍ତି। ସରକାରଙ୍କ ପାଖରେ ତଥ୍ୟ ଥିଲେ ବି କିଛି ପଦକ୍ଷେପ ନେଉ ନାହାନ୍ତି। କାରଣ ଲେବର ସରଦାରଙ୍କ ସହ ରାଜ୍ୟ ସରକାରଙ୍କ ସମ୍ପର୍କ ରହିଛି। ସେଥିପାଇଁ ଏପର୍ଯନ୍ତ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି କଳିକେଶ।

ମୁଲତବୀ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଅଶୋକ କହିଥିଲେ, ଦାଦନଙ୍କ ଦୁଃଖ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ । ଯେଉଁଥିପାଇଁ ସ୍ଥାୟୀ ସମସ୍ୟା ଦିଗରେ ଗୁରୁତ୍ୱ ଦେଇନାହାନ୍ତି ସରକାର । ଭୁଲ କରିଥିବା ଲୋକ ଏପଟେ ବସିଛି କିନ୍ତୁ ତୁମେ ତ ଆଜି ସେପାଖେ ବସିଛ କିନ୍ତୁ କରୁଛ କଣ ଦାଦନଙ୍କ ପାଇଁ । ଦାଦନ ମୁକ୍ତ ଓଡ଼ିଶା ଗଠନ ପାଇଁ କହିଥିଲେ କିନ୍ତୁ କଣ କଲେ । ନିର୍ବାଚନ ଇସ୍ତାହାରରେ କହିଥିଲେ କି ପ୍ରତିବର୍ଷ ଦୁଇ ଲକ୍ଷ ନିଯୁକ୍ତି ଦେବେ କିନ୍ତୁ ଛଅ ମାସ ମଧ୍ୟରେ କେତେ ନିଯୁକ୍ତି ଦେଇଛି? ଆମ ରାଜ୍ୟରେ ଖଣି ପାଣି ଥିବା ସ୍ୱତେ କାହିଁକି ବାହାର ରାଜ୍ୟକୁ ଖଟିବାକୁ ଯିବେ ଆମ ଲୋକେ । ନିଯୁକ୍ତି କଥା ଗୃହରେ ଉଠାଇଲେ ହଟ୍ଟଗୋଳ କରିବା ଛାଡିଦେଲେ ନିଯୁକ୍ତି ଦେବାରେ ବିଫଳ ଆପଣ। ଦାଦନଙ୍କ ଚିନ୍ତା ନା ବିଜେଡିର ଥିଲା ନା ଏବେ ବିଜେପି ସରକାରର ଅଛି। କେବଳ କଂଗ୍ରେସ ହିଁ ଦାଦନଙ୍କ ଚିନ୍ତା କରେ ଆଗକୁ କରିବ। ସେହିପରି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଶ କହିଥିଲେ, ୪୫ବର୍ଷ ପରେ ବି ଆମ ରାଜ୍ୟରେ ଦାଦନ ବୃଦ୍ଧି ପାଉଛି। କିନ୍ତୁ ଆମ ରାଜ୍ୟର ଲୋକ ଯାଇ ଅନ୍ୟ ରାଜ୍ୟର ଉନ୍ନତି କରୁଛନ୍ତି ତେବେ ଆମେ କାହିଁକି ତାଙ୍କୁ ନିଯୁକ୍ତି ଦେଇ ଆମ ରାଜ୍ୟର ଉନ୍ନତି ନକରିବା ତାହାର ଉତ୍ତର ରଖୁ ସରକାର । ଡବଲ ଇଞ୍ଜିନ ସରକାର ଡବଲ ଇଞ୍ଜିନ ଦମରେ ଦାଦନ ରୋକିବା ଦିଗରେ କାର୍ଯ୍ୟ କରିବା କଥା। ଖାଲି ଦୋଷ ଦେବାରେ ଦମ୍ ଦେଖାଇଲେ ହେବ ନାହିଁ କାମରେ ବି ଦମ୍ ଦେଖାଅ। ସିଷ୍ଟମକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଛନ୍ତି ଆଉ ଆମ ଓଡ଼ିଆ ଅସ୍ମିତାକୁ ଗୋତି ଶ୍ରମିକ ନ କରନ୍ତୁ। ଡବଲ ଇଞ୍ଜିନ ସରକାର ଦାଦନ ବନ୍ଦ ଦିଗରେ କାର୍ଯ୍ୟ କରୁ ବୋଲି ଗୃହରେ ସେ ଦାବି କରିଛନ୍ତି।

ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ତତ୍କାଳୀନ ବିଜେଡ଼ି ସରକାରକୁ ଟାର୍ଗେଟ କଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ। ସେ କହିଛନ୍ତି, ଯୁବକଙ୍କୁ ତାଲିମ ଦେଇ ଉପହାସ କରିଛନ୍ତି ପୂର୍ବ ସରକାର। ୧୮ ଲକ୍ଷ ପିଲାଙ୍କୁ ତାଲିମ ଦେଲେ, କିନ୍ତୁ ମାତ୍ରା ୧ ଲକ୍ଷ ପିଲାଙ୍କୁ ନିଯୁକ୍ତି ଦେଲେ। ସେହିପରି ୨୨୬ଟି ନିଯୁକ୍ତି ମେଳା କରିଥିଲେ । ଯେଉଁଥିରେ ୩ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କଲେ। କିନ୍ତୁ ନିଯୁକ୍ତି ନାହିଁ । ଏଫ୍ ଏଲ ଏଫ୍ ଏସ ଡାଟା ଅନୁସାରେ, ସର୍ବ ଭାରତୀୟ ସ୍ତରରେ ବେକାରୀ ହାର ୧୭.୩ %ଥିବା ବେଳେ ଓଡ଼ିଶାରେ ୨୦.୯ % ରହିଛି। ପୁରୁଷଙ୍କ କ୍ଷେତ୍ରରେ ବେକାରୀ ହାର ୧୫.୫% ଥିବା ବେଳେ ଓଡ଼ିଶାରେ ୧୬.୯%। ମହିଳା ସଶକ୍ତିକରଣ କଥା କହୁଛନ୍ତି । କିନ୍ତୁ ମହିଳାଙ୍କ କ୍ଷେତ୍ରରେ ସର୍ବ ଭାରତୀୟ ସ୍ତରରେ ବେକାରୀ ହାର ସବୁଠୁ ଅଧିକ । ସର୍ବ ଭାରତୀୟ ସ୍ତରରେ ୨୨.୯% ଥିବା ବେଳେ ଓଡ଼ିଶାରେ ୩୧.୯ %। ସେହିପରି ଆଇ ଏଲ ଏ ରିପୋର୍ଟ ଅନୁଯାୟୀ ଶ୍ରମ ନିୟୋଜନ ହାର ୨୦୦୫ରେ ୫୪ ପ୍ରତିଶତ ଥିବା ବେଳେ ୨୦୨୨ରେ ୪୬.୨୩%। ସବୁଠୁ ଅଧିକ ଦାଦନ ଶ୍ରମିକ ହିଞ୍ଜିଳିକାଟୁରୁ ଯାଉଛନ୍ତି । ୨୪ ବର୍ଷ ଧରି ହିଞ୍ଜିଳିକାଟୁର କିଏ ପ୍ରତିନିଧିତ୍ୱ ନେଉଥିଲେ ବୋଲି ପ୍ରଶ୍ନ କରିଛନ୍ତି। ତାହେଲେ କିଏ ଥିଲା ଦାଦନ ସର୍ଦ୍ଦାର। ଅମାପ ଖଣିଜ ସଂପଦ, ଦୀର୍ଘ ବେଳା ଭୂମି, ଆଉ ମାନବ ସମ୍ବଳ ଥାଇ ମଧ୍ୟ ବିଜେଡ଼ି ସରକାର ଯୁବକଙ୍କ ମୁଣ୍ଡରେ ଦାଦନର କଳଙ୍କ ଉପାଧି ଦେଇଛି। ଏହି ପାପର ପ୍ରାୟଶ୍ଚିତ କରିବ ବିଜେପି ସରକାର । ୨୦୩୬ ସୁଦ୍ଧା ଦକ୍ଷିଣ ଏସିଆର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ଗଢ଼ିବ ବିଜେପି ସରକାର ବୋଲି ସେ କହିଥିଲେ।

ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ କହିଥିଲେ, ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିଛନ୍ତି ବିଜେପି ସରକାର। ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ବଢ଼ା ଯାଇଛି। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ କରାଯାଇଛି । ୮ ଟି ବିଭାଗର ମନ୍ତ୍ରୀ ଏଥିରେ ସଦସ୍ୟ ଅଛନ୍ତି । ଓଡ଼ିଶାରୁ ମୁଖ୍ୟତଃ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, କୋରାପୁଟ ଏବଂ ଗଞ୍ଜାମ, ଗଜପତି ଓ ଖୋର୍ଦ୍ଧା ଜିଲ୍ଲାଗୁଡ଼ିକରୁ ନିକଟସ୍ଥ ରାଜ୍ୟ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣାଟକ, ତାମିଲନାଡ଼ୁ, କେରଳ, ନୂଆଦିଲ୍ଲୀ ଓ ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟଗୁଡ଼ିକୁ ଶ୍ରମିକମାନେ ଯାଇଥାନ୍ତି। ସେହିପରି ଭାବେ ଅନ୍ୟ ରାଜ୍ୟ ଯଥା ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ ଏବଂ ଛତିଶଗଡ଼ ଇତ୍ୟାଦିରୁ ଶ୍ରମିକମାନେ ମଧ୍ୟ ଆମ ରାଜ୍ୟକୁ କାର୍ଯ୍ୟ କରିବାକୁ ଆସିଥାନ୍ତି। ୨୦୨୨ରେ ବାହାର ରାଜ୍ୟରେ ୯୪, ୪୮୨ଜଣ ପ୍ରବାସୀ ଶ୍ରମିକଙ୍କୁ ନିୟୋଜନ ପାଇଁ ଏବଂ ୨୦୨୩ରେ ୮୧, ୨୩୨ ଜଣ ପ୍ରବାସୀ ଶ୍ରମିକଙ୍କୁ ବାହାର ରାଜ୍ୟରେ ନିୟୋଜନ ପାଇଁ ଲାଇସେନ୍ସ ଦିଆ ଯାଇଥିଲା। ୨୦୨୪ରେ ଏବେ ସୁଦ୍ଧା ୬୦, ୬୮୩ ଜଣ ପ୍ରବାସୀ ଶ୍ରମିକଙ୍କୁ ବାହାର ରାଜ୍ୟରେ ନିୟୋଜନ ପାଇଁ ଲାଇସେନ୍ସ ଦିଆଯାଇଛି। ଓଡ଼ିଶାର ୧୪ଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ବଲାଙ୍ଗିର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧାକୁ ଚିହ୍ନଟ କରାଯାଇଅଛି।

ମନ୍ତ୍ରୀ କହିଥିଲେ, ୨୦୨୪ ଜାନୁଆରୀ ମାସ ଠାରୁ ଏବେ ଯାଏଁ ବା ନଭେମ୍ବର ୨୦୨୪ ମଧ୍ୟରେ ବାହାର ରାଜ୍ୟରୁ ୧୧୨ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ ଶରୀର ସରକାରଙ୍କ ତତ୍ୱାବଧାନରେ ଅଣା ଯାଇଛି। ଏ ସଂକ୍ରାନ୍ତରେ ତ୍ୱରିତ ପଦକ୍ଷେପ ନିମନ୍ତେ ୧୪ଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲାଗୁଡିକୁ ୧୫ଲକ୍ଷ ଟଙ୍କାର ସହାୟତା ରାଶି ସେପ୍େଟମ୍ବର ୨୦୨୪ ରେ ଯୋଗାଇ ଦିଆଯାଇଅଛି। ଓଡ଼ିଶାରେ ମନରେଗା ଯୋଜନାରେ କାର୍ଯ୍ୟ ଦିବସକୁ ବଲାଙ୍ଗିର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ୨୦ଟି ବ୍ଲକର ୪୭୭ଟି ପଂଚାୟତରେ ୩୦୦ ଦିନକୁ ବୃଦ୍ଧି କରାଯାଇଅଛି। ଏହା ଅନ୍ତର୍ଗତ ଦିଆଯାଉଥିବା ମଜୁରୀକୁ ଓଡ଼ିଶାରେ ଦିଆଯାଉଥିବା ସର୍ବନିମ୍ନ ମଜୁରୀ ସହ ସମାନ କରାଯାଉଛି, ଯାହାକି ମନରେଗା ମଜୁରୀ ଠାରୁ ପ୍ରାୟ ୧୦୦ ଟଙ୍କା ଅଧିକ ଓ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହାକୁ ବହନ କରୁଛନ୍ତି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking