17.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶପୁଣି ଦିନକ ପାଇଁ ସ୍ଥଗିତ ରହିଲା କୃଷକ ପଦଯାତ୍ରା

ପୁଣି ଦିନକ ପାଇଁ ସ୍ଥଗିତ ରହିଲା କୃଷକ ପଦଯାତ୍ରା

ଶମ୍ଭୁସୀମା: ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍‌ପି)ର ଆଇନଗତ ମାନ୍ୟତା ସହ ଅନ୍ୟାନ୍ୟ ଦାବି ନେଇ ଆଜି ପୁଣିଥରେ ପଞ୍ଜାବ-ହରିଆଣା ସୀମା ଶମ୍ଭୁ ଠାରୁ ପ୍ରାୟ ଶତାଧିକ ଚାଷୀ ଆରମ୍ଭ କରିଥିବା ଦିଲ୍ଲୀ ଚଲୋ ଯାତ୍ରାକୁ ପୁଣି ଗୋଟିଏ ଦିନ ପାଇଁ ସ୍ଥଗିତ ରଖାଯାଇଛି। ରବିବାର ମଧ୍ୟାହ୍ନ ସମୟରେ କୃଷକମାନେ ପଦଯାତ୍ରା ଆରମ୍ଭ ପୂର୍ବକ ଯେତେବେଳେ ଶମ୍ଭୁ ସୀମାନ୍ତରେ ଲାଗିଥିବା ବ୍ୟାରିକେଡ ନିକଟରେ ପହଞ୍ଚିଥିଲେ ସେଠାରେ ପୂର୍ବରୁ ମୁତୟନ ଥିବା ପୁଲିସ୍ ଟିମ୍ ସେମାନଙ୍କ ଉପରକୁ ପ୍ରଥମେ ଟିୟର ଗ୍ୟାସ ମାଡ଼ କରିଥିଲେ। ରିପୋର୍ଟ ଅନୁସାରେ ପୁଲିସ୍ ପକ୍ଷରୁ ଚାଷୀମାନଙ୍କୁ ଦିଲ୍ଲୀ ଚଲୋ ଯାତ୍ରା ପାଇଁ ମିଳିଥିବା ଅନୁମତିପତ୍ର ଦେଖାଇବାକୁ କୁହାଯାଇଥିଲା। ଏହାକୁ ନେଇ ପ୍ରଥମେ ଯୁକ୍ତିତର୍କ ଓ ପରେ ଧସ୍ତାଧସ୍ତି ସ୍ଥିତି ସୃଷ୍ଟି ହୋଇଥିଲା।

କିଛି ଚାଷୀ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ ଉଦ୍ୟମ କରିଥିଲେ। ତେବେ ବେଶ କିଛି ସମୟ ଉତ୍ତେଜନା ପରେ ଚାଷୀମାନେ ପୁଣି ବ୍ୟାରିକେଡ୍ ଠାରୁ ପଛକୁ ଘୁଞ୍ଚିଆସିଥିଲେ ଏବଂ ରାସ୍ତାରେ ବସି ବିକ୍ଷୋଭ ଆରମ୍ଭ କରିଦେଇଥିଲେ। ତେବେ ପୁଲିସର ଲୁହ ବୁହା ଗ୍ୟାସ ମାଡ଼ ଯୋଗୁ ପୁଣିଥରେ କିଛି ଚାଷୀ (୯/୧୦ ଜଣ) ଆହତ ହୋଇଛନ୍ତି। ସେମାନଙ୍କୁ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିପାଇଁ ଚାଷୀମାନେ ସେମାନଙ୍କ ଦିଲ୍ଲୀ ଚଲୋ ଯାତ୍ରାକୁ ଗୋଟିଏ ଦିନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଶମ୍ଭୁ ସୀମାନ୍ତରୁ ବିକ୍ଷୋଭ ପ୍ରତ୍ୟାହାର ହେଉଥିବା ଚାଷୀ ନେତା ସରବନ ସିଂହ ପାନ୍ଧେର ଘୋଷଣା କରିଛନ୍ତି। ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ଆଗାମୀ ଦିନରେ ନିର୍ଦ୍ଧାରଣ କରାଯିବ ବୋଲି ସେ କହିଛନ୍ତି। ଏହି ସମୟରେ ପୁଲିସ୍ ଟିମ୍ ପକ୍ଷରୁ ବିକ୍ଷୋଭକାରୀ ଚାଷୀମାନଙ୍କ ଉପରେ ଫୁଲ ବର୍ଷା କରାଯାଇଥିଲା। ଫୁଲ ପକାଇ ପୁଲିସ୍ ଚାଷୀମାନଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ନିବେଦନ କରିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ସଂସଦରେ ଏବେ ଶୀତକାଳୀନ ଅଧିବେଶନ ଜାରି ରହିଥିବା ବେଳେ ନିଜ ଦାବି ନେଇ ଚାଷୀମାନେ ଏବେ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିଛନ୍ତି। ଚାଷୀଙ୍କ ବିକ୍ଷୋଭକୁ ଦୃଷ୍ଟିରେ ରଖି ପଞ୍ଜାବ-ହରିୟାଣା ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଓ ଲୁହା ତାର ଲଗାଯାଇଛି। କେତେକ ସ୍ଥାନରେ ରାସ୍ତାରେ କଣ୍ଟା ଆଦି ବିଛାଯାଇଛି। ଏପରି କି ସୀମାନ୍ତରେ ୧୬୩ ଧାରା(ପୂର୍ବରୁ ୧୪୪ ଧାରା ଥିଲା) ଲାଗୁ କରାଯାଇଛି। ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ଶମ୍ଭୁ ବ୍ୟତୀତ ଖାନାଉରି ସୀମାନ୍ତକୁ ମଧ୍ୟ ସିଲ୍ କରାଯାଇଛି। ସୀମାନ୍ତରେ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଛି। ଏହାକୁ ନେଇ ଏବେ ବି ଶମ୍ଭୁ ସୀମାନ୍ତରେ ଉତ୍ତେଜନା ଲାଗି ରହିଛି। ଶତାଧିକ ଚାଷୀ ସୀମା ନିକଟରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking