27.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶତିରୁପତିଙ୍କ ପ୍ରସାଦ ‘ଲଡ଼ୁ’ରେ ମିଶୁଥିଲା ପଶୁ ଚର୍ବି : ରିପୋର୍ଟ

ତିରୁପତିଙ୍କ ପ୍ରସାଦ ‘ଲଡ଼ୁ’ରେ ମିଶୁଥିଲା ପଶୁ ଚର୍ବି : ରିପୋର୍ଟ

ହାଇଦ୍ରାବାଦ୍‌ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରଭୁ ତିରୁପତିଙ୍କୁ ନିତିଦିନ ଲାଗି ହେଉଥିବା ପ୍ରସାଦ, ତଥା ଭକ୍ତି ଅର୍ପଣରେ ବ୍ୟବହାର କରାଯାଉଥିବା ଘିଅରେ ପଶୁ ଚର୍ବି ମିଶ୍ରଣ କରାଯାଉଥିବା ନେଇ ଏକ ଭୟଙ୍କର ତଥା ସାଂଘାତିକ ଅଭିଯୋଗ କରିଛନ୍ତି । ଏକ ଲ୍ୟାବ୍ ରିପୋର୍ଟରେ ଏନେଇ ମିଳିଥିବା ପ୍ରମାଣ ଆଧାରରେ ସେ ପୂର୍ବ ମୁଖ୍ୟମନ୍ତ୍ରୀ ୱାଇଏସ୍‌ଆର୍ ଜଗନ୍ ମୋହନ ରେଡ୍ଡୀଙ୍କୁ ତୀବ୍ର ଭର୍ତ୍ସନା ମଧ୍ୟ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀ ଏବଂ ତାଙ୍କ ନେତୃତ୍ୱାଧୀନ ସରକାର ତିରୁପତି ମନ୍ଦିର ଉପରେ ଆସ୍ଥା ରଖିଥିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ପ୍ରତି ବିଶ୍ୱାସ ଘାତ କରିଥିବା ଚନ୍ଦ୍ରବାବୁ କହିଛନ୍ତି ।
ଦିନକ ପୂର୍ବେ ଆହୂତ ହୋଇଯାଇଥିବା ଶାସକ ଏନ୍‌ଡିଏ ବିଧାୟକ ଦଳ ବୈଠକରେ ଉକ୍ତ ରିପୋର୍ଟକୁ ପ୍ରଦର୍ଶିତ କରିବା ପୂର୍ବକ ଚନ୍ଦ୍ରବାବୁ କହିଛନ୍ତି ଯେ, ତିରୁପତିଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଲଡୁ ମଧ୍ୟ ନିମ୍ନମାନର ଉପାଦାନ ସହିତ ତିଆରି କରାଯାଉଥିଲା । ପୂର୍ବ ସରକାର ଶୁଦ୍ଧ ଘିଅ ବଦଳରେ ପଶୁ ଚର୍ବିଯୁକ୍ତ ଘିଅ ବ୍ୟବହାର କରିଥିଲେ । ତେବେ ତାଙ୍କ ସରକାର ବର୍ତ୍ତମାନ ପ୍ରଭୁ ତିରୁପତିଙ୍କ ପାଇଁ ଉଚ୍ଚ ଗୁଣଯୁକ୍ତର ଘିଅ ବ୍ୟବହାର କରୁଛନ୍ତି ଏବଂ ମନ୍ଦିରରେ ଥିବା ସମସ୍ତ ଖାଦ୍ୟ ନୈବେଦ୍ୟ ଏବେ ଉନ୍ନତମାନର କରାଯାଇଛି । ଏହି ପ୍ରସଙ୍ଗରେ ଚନ୍ଦ୍ରବାବୁଙ୍କ ପୁଅ ତଥା ଆନ୍ଧ୍ରପ୍ରଦେଶ ଆଇଟି ମନ୍ତ୍ରୀ ନାରା ଲୋକେଶ ମଧ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତିରୁପତି ମନ୍ଦିର ଉପରେ କୋଟି କୋଟି ଭକ୍ତ ଆସ୍ଥା ପ୍ରକଟ କରୁଥିବା ବେଳେ ଏପରି କିଛି କରିବା ପାଇଁ ସେମାନଙ୍କୁ ଲଜ୍ଜାବୋଧ କରିବା ଉଚିତ ଥିଲା ।
ଗୁଜୁରାଟରେ ଥିବା ତଥା କେନ୍ଦ୍ର ସରକାରଙ୍କ ଅଧୀନ ରାଷ୍ଟ୍ରୀୟ ଦୁଗ୍ଧ ବିକାଶ ବୋର୍ଡର ଲ୍ୟାବ୍ ସେଣ୍ଟର ଅଫ୍ ଆନାଲିସିସ୍ ଆଣ୍ଡ୍ ଲଣ୍ଣିଂ ଇନ୍ ଲାଇଭ୍‌ଷ୍ଟକ୍ ଆଣ୍ଡ ଫୁଡ୍ (ସିଏଏଲଏଫ୍ ବା କାଫ୍‌) ପକ୍ଷରୁ ଗତ ଜୁଲାଇ ୧୭ ତାରିଖରେ ଆସିଥିବା ରିପୋର୍ଟରେ ପ୍ରସିଦ୍ଧ ତିରୁପତି ଲଡୁ ତିଆରି କରିବା ପାଇଁ ତଥା ଅନ୍ୟ ପୂଜା ବିଧାନରେ ବ୍ୟବହୃତ ହେଉଥିବା ଘିଅରେ ପଶୁ ଚର୍ବିର ଉପସ୍ଥିତି ସମ୍ପର୍କରେ ପମ୍ରାଣ ମିଳିଥିବା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଏହି ଘିଅରେ ମାଛ ତେଲ, ଗାଈ ଗୋରୁଙ୍କ ଚର୍ବି ଏବଂ ଘୁଷୁରି ଚର୍ବିର କଣିକା (ଫ୍ୟାଟି ଟିସୁରୁ ପ୍ରାପ୍ତ ଏକ ଅର୍ଦ୍ଧ-କଠିନ ଧଳା ଚର୍ବି ଉତ୍ପାଦ) ଠାବ କରାଯାଇଥିଲା । ପ୍ରକାଶ, ତିରୁପତିର ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିରରେ ଲଡୁ ପ୍ରସାଦ ରୂପେ ଭୋଗ ଲାଗି କରାଯାଇଥାଏ । ମନ୍ଦିରର ପରିଚାଳନା ଭାର ତିରୁମାଳା ତିରୁପତି ଦେବସ୍ଥାନମ୍ ଉପରେ ନ୍ୟସ୍ତ ରହିଛି ।
ଅନ୍ୟପକ୍ଷେ ଏଭଳି ସଂଗୀନ ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ୱାଇଏସ୍‌ଆର କଂଗ୍ରେସ । ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ୱାଇବି ରେଡ୍ଡି ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି । ଏପରି କରି ମୁଖ୍ୟମନ୍ତ୍ରୀ ମନ୍ଦିରର ପବିତ୍ରତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିବା ସେ କହିଛନ୍ତି । କାରଣ ତିରୁମାଳା ପ୍ରସାଦ ଉପରେ ଏପରି ଟିପ୍ପଣୀ ଖୁବ୍ ଅଶୋଭନୀୟ । କୌଣସି ବି ବ୍ୟକ୍ତି ପ୍ରସାଦକୁ ନେଇ ଏପରି ଶବ୍ଦ ପ୍ରୟୋଗ କରିବା କିମ୍ବା ଅଭିଯୋଗ ଉଠାଇବା ଉଚିତ ନୁହେଁ । ଚନ୍ଦ୍ରବାବୁ ନାଇଡୁଙ୍କ କଥା ପ୍ରମାଣିତ କରୁଛି ଯେ, ରାଜନୈତିକ ଲାଭ ନିମନ୍ତେ ସେ କୌଣସି ବି ସ୍ତରକୁ ଖସିଯାଇପାରନ୍ତି । ଲୋକଙ୍କ ମନରେ ତିରୁପତିଙ୍କ ପ୍ରତି ଥିବା ଆସ୍ଥାକୁ ପୁନଃ ସ୍ଥାପନ ନିମନ୍ତେ ମୁଁ ନିଜ ପରିବାର ସହ ପହଞ୍ଚି ଭଗବାନଙ୍କ ସମ୍ମୁଖରେ ଶପଥ ନେବାକୁ ପ୍ରସ୍ତୁତ । ଚନ୍ଦବାବୁ ନାଇଡୁ କ’ଣ ନିଜ ପରିବାର ସହ ଏପରି କରିବାକୁ ପ୍ରସ୍ତୁତ କି ବୋଲି ସାଂସଦ ୱାଇବି ରେଡ୍ଡି ପ୍ରଶ୍ନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking