18.1 C
Bhubaneswar
Thursday, February 5, 2026
Homeଓଡିଶାଶିଳ୍ପ ଜରିଆରେ ଅର୍ଥନୈତିକ ବିକାଶ ଓ ଏମ୍ଏସଏମ୍ଇ ଜରିଆରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ...

ଶିଳ୍ପ ଜରିଆରେ ଅର୍ଥନୈତିକ ବିକାଶ ଓ ଏମ୍ଏସଏମ୍ଇ ଜରିଆରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଆମ ସରକାର ପ୍ରୟାସରତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶିଳ୍ପ ମାଧ୍ୟମରେ ରାଜ୍ୟରେ ଅର୍ଥନୈତିକ ବିକାଶ ହୋଇପାରିବ। କ୍ଷୁଦ୍ର, ମଧ୍ୟମ, ଲଘୁ ଶିଳ୍ପ ଜରିଆରେ ଅଧିକ ରୋଜଗାର ସୃଷ୍ଟି ହୋଇପାରିବ। ଆମ ସରକାର ଏହି ସମସ୍ତ ଦିଗରେ ପ୍ରୟାସ କରୁଛନ୍ତି। ଭାରତ ମସଲା ଭଳି ସଂସ୍ଥା ଏ କ୍ଷେତ୍ରରେ ପଥ ପ୍ରଦର୍ଶକ ଭଳି ଭୂମିକା ନେଇପାରିବେ ବୋଲି କଟକ ଜିଲ୍ଲା ବାରଙ୍ଗଠାରେ ଜୟ ଭାରତ ଫାଉଣ୍ଡେସନ ଓ ଭାରତ ମସଲା ପକ୍ଷରୁ ଅନୁଷ୍ଠିତ ୨୫ତମ ଭାରତ ପ୍ରତିଭା ସମ୍ମାନ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଶିଳ୍ପ ଏବଂ କ୍ଷୁଦ୍ର ଶିଳ୍ପ ଉଭୟ ଆମ ସରକାରଙ୍କ ପ୍ରାଥମିକତା। ଶିଳ୍ପ ଜରିଆରେ ଅର୍ଥନୈତିକ ବିକାଶ ଓ କ୍ଷୁଦ୍ର, ମଧ୍ୟମ, ଲଘୁ ଶିଳ୍ପ ଜରିଆରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ସରକାର ପ୍ରୟାସ କରୁଛନ୍ତି । ମାତ୍ର ୪୦୦ ଟଙ୍କା ମୂଳ ପୁଞ୍ଜିରୁ ଆରମ୍ଭ କରି ୬୦୦ କୋଟିରେ ପହଞ୍ଚିଥିବା ଭାରତ ମସଲା ଭଳି ସଂସ୍ଥା ଏ କ୍ଷେତ୍ରରେ ପଥ ପ୍ରଦର୍ଶକ ସାଜିଛି। ବ୍ୟକ୍ତିଗତ ଉଦ୍ୟମ କିପରି ସଫଳତାର ସ୍ତରକୁ ଛୁଇଁପାରେ ତାହା ଭାରତ ମସଲା କରି ଦେଖାଇଛି। ଷ୍ଟାର୍ଟ ଅପ୍ ଇଣ୍ଡିଆ ଏଵଂ ଇନ୍କ୍ୟୁବେସନ ସେଣ୍ଟର ଗୁଡ଼ିକ ଜରିଆରେ ପ୍ରତିବର୍ଷ ୧୦୦୦ ଉଦ୍ୟୋଗୀଙ୍କୁ ସହାୟତା ଦିଆଯିବ ଏହା ସହିତ ରାଜ୍ୟରେ ଖୁବଶୀଘ୍ର ୧୧ ଟି MSME Park ମଧ୍ୟ ପ୍ରତିଷ୍ଠା କରାଯିବ। ଆମ ସରକାର MSME unit ଗୁଡ଼ିକୁ ଆର୍ଥିକ ସହାୟତା, ସୁଧ ଫେରସ୍ତ ଓ ପୁଞ୍ଜି ପ୍ରବାହ ପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି। ୨୦୩୬ ମସିହାର ସମୃଦ୍ଧ ଓଡ଼ିଶା ଓ ୨୦୪୭ ମସିହାରେ ବିକଶିତ ଓଡ଼ିଶା ଲକ୍ଷ୍ୟ ହାସଲ ହେବାକୁ ଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଯୁବ ବର୍ଗଙ୍କୁ ଷ୍ଟାର୍ଟ ଅପ୍ ଓ MSME କ୍ଷେତ୍ରରେ ନୂତନ ଉଦ୍ୟୋଗ ପ୍ରତିଷ୍ଠା କରିବା ଆହ୍ବାନ କରିଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ ଶିଳ୍ପ ସଂସ୍ଥା ଗୁଡିକୁ ସମାଜର ନ୍ୟାସ ବା ଟ୍ରଷ୍ଟି ବୋଲି କହୁଥିଲେ। ସେମାନଙ୍କ ଲାଭ ସମାଜ କଲ୍ୟାଣରେ ବିନିଯୋଗ ହେଉ ବୋଲି ସେ ଚାହୁଁଥିଲେ। ଶିଳ୍ପପତି ଓ ଉଦ୍ୟୋଗୀ ମାନଙ୍କୁ ଗାନ୍ଧୀଜୀଙ୍କର ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ସେମାନଙ୍କର ସି.ଏସ୍.ଆର ପାଣ୍ଠି ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।

ଅନ୍ୟତମ ଅତିଥିଭାବେ ରାଜ୍ୟ ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ କହିଥିଲେ ଯେ ଆଗକୁ ବଢିବାର ମାନସିକତାକୁ ଧରି ଏହି ସଂସ୍ଥା ଆଜି ଏକ ବିରାଟ ବଟ ବୃକ୍ଷରେ ପରିଣତ ହୋଇଛି। ଓଡିଶାର ଚାଷୀମାନଙ୍କୁ ମସଲା ଜାତୀୟ ଦ୍ରବ୍ୟ ଉତ୍ପାଦନ କରିବା ପାଇଁ ଉତ୍ସାହିତ କରୁଛି ଭାରତ ମସଲା । ଏହି ଅନୁଷ୍ଠାନ ଛୋଟ ବ୍ୟବସାୟରୁ ଉଦ୍ୟୋଗୀ ବନିବା ପାଇଁ ଓଡିଶାର ଯୁବ ବର୍ଗଙ୍କ ପାଇଁ ପ୍ରେରଣା ବୋଲି ସେ କହିଥିଲେ।

ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ ଯେ ଏକ ଛୋଟିଆ ମେସିନରୁ ଆତ୍ମ ବିଶ୍ବାସର ସହ ଆରମ୍ଭ କରି ଆଗକୁ ବଢି ଆଜି ଭାରତର ଏକ ଅଗ୍ରଣୀ ମସଲା କମ୍ପାନୀ ଭାବେ ପ୍ରତିଷ୍ଠିତ ହୋଇ ଆମ ରାଜ୍ୟ ପାଇଁ ଉଦାହାରଣ ପାଲଟିଛି ଭାରତ ମସଲା। MSME କ୍ଷେତ୍ରରେ ଆମ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ଅନେକ ସୁବିଧା କରାଯାଇଛି। MSME ୟୁନିଟ୍ ଯେତେ ଅଧିକ ହେବ ଆମ ରାଜ୍ୟରେ ନିଯୁକ୍ତି ସେତେ ଅଧିକ ବଢିବ ବୋଲି ସେ କହିଥିଲେ।

କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, କମ୍ପାନୀର ପ୍ରତିଷ୍ଠାତା ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡା ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ପଣ୍ଡା କାର୍ଯ୍ୟକ୍ରମରେ ତାଙ୍କର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ଚିନ୍ମୟ ପାତ୍ରଙ୍କୁ ବିଦ୍ୟା ଭାରତ ସମ୍ମାନ, ସିଲ୍‌ଭା ସାହୁଙ୍କୁ ବିଦ୍ୟା ଭାରତ ବାଣିଜ୍ୟ ସମ୍ମାନ, ପ୍ରଜ୍ଞା ପାରମିତା ଗିରିଙ୍କୁ ବିଦ୍ୟା ଭାରତ ବିଜ୍ଞାନ ସମ୍ମାନ, ବିଭାରାଣୀ ପାତ୍ରଙ୍କୁ କ୍ରୀଡା ଭାରତ ସମ୍ମାନ, ସୀତା ରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କୁ ସଂସ୍କୃତି ଭାରତ ସମ୍ମାନ, ଡ. ରବି ନାରାୟଣ ସେନାପତିଙ୍କୁ ସେବା ଭାରତ ସମ୍ମାନ, ଡ. ଗାୟତ୍ରୀ ବାଳା ପଣ୍ଡାଙ୍କୁ କଥା ଭାରତ ସମ୍ମାନ ଏବଂ ଡ. ସରୋଜ କୁମାର ପାଣିଗ୍ରାହୀଙ୍କୁ ଭାରତ ଗୌରବ ସମ୍ମାନରେ ସମ୍ମାନିତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking