21.1 C
Bhubaneswar
Tuesday, February 3, 2026
Homeଓଡିଶାସୁଭଦ୍ରା ଯୋଜନା ହେବ ଆମ ଅସ୍ମିତାର ପରିଚୟ : ମୁଖ୍ୟମନ୍ତ୍ରୀ

ସୁଭଦ୍ରା ଯୋଜନା ହେବ ଆମ ଅସ୍ମିତାର ପରିଚୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ୧୭ ତାରିଖରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା। ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ। ଏହି ଯୋଜନା ସମ୍ପର୍କରେ ରାଜ୍ୟବ୍ୟାପୀ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗଠାରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଦବୋଧନ ଦେଇ କହିଥିଲେ ଯେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ନିଜର ସ୍ବପ୍ନ ପୂରଣ ପାଇଁ ସୁଯୋଗ ପ୍ରଦାନ କରିବା ସହିତ ସେମାନଙ୍କୁ ସ୍ବୀକୃତି ଦେବା ହେଉଛି ଆମର ଏହି ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ। ଏହା କେବଳ ଏକ ସରକାରୀ ଯୋଜନା ନୁହେଁ, ଏହା ଆମ ଅସ୍ମିତାର ପରିଚୟ ହେବ। ପ୍ରତ୍ୟେକ ମା ଓ ଭଉଣୀ ମାନଙ୍କର ମନକୁ ବୁଝି ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପ୍ରତିଶ୍ରୁତିକୁ ପୂରଣ କରିବ ଏହି ଯୋଜନା। ଏହି ଯୋଜନାର ସୁଫଳ ସମ୍ପର୍କରେ ସମଗ୍ର ରାଜ୍ୟର ମହିଳା ମାନଙ୍କୁ ସଚେତନ କରିବ ଏହି ସୁଭଦ୍ରା ରଥ। ରାଜ୍ୟର ସମସ୍ତ ମହିଳାଙ୍କ ସ୍ବପ୍ନ ଓ ଆକାଂକ୍ଷା ପୂରଣ ଦିଗରେ ଏହା ହେଉଛି ଆମ ସରକାରଙ୍କ ଏକ ନିଷ୍ଠାପର ଉଦ୍ୟମ। କୌଣସି ଯୋଗ୍ୟ ମହିଳା ଯେପରି ଏହି ଯୋଜନାରୁ ବାଦ୍ ନପଡନ୍ତି ତାହାକୁ ମଧ୍ୟ ପ୍ରଥମିକତା ଦିଆଯିବ ବୋଲି ସେ କହିଥିଲେ।

ସେହିପରି ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଯୋଗଦେଇ ସୁଭଦ୍ରା ଭଳି ଏକ ଯୁଗାନ୍ତକାରୀ ଯୋଜନା ପରିକଳ୍ପନା କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ସରକାରକୁ ଆସିବାର କିଛି ସମୟ ମଧ୍ୟରେ କ୍ୟାବିନେଟ୍ ରେ ସୁଭଦ୍ରା ଯୋଜନା ପାସ୍ ହେଲା। ପ୍ରତିଶ୍ରୁତିକୁ ପ୍ରତିବଦ୍ଧତାରେ ପରିଣତ କରାଯାଇ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ସୁଭଦ୍ରା ରଥ ସମସ୍ତଙ୍କୁ ଏହି ଯୋଜନା ବିଷୟରେ ସଚେତନ କରିବ। ଶେଷ ହିତାଧିକାରୀ ଯୋଜନାରେ ଅନ୍ତର୍ଭୁକ୍ତ ନହେବା ପର୍ଯ୍ୟନ୍ତ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଥିଲେ।

ଏହି ଅବସରରେ ସୁଭଦ୍ରା ଯୋଜନା ସମ୍ପର୍କିତ ଏକ ସ୍ବତନ୍ତ୍ର ଭିଡିଓ ପ୍ରଦର୍ଶିତ ହୋଇଥିବା ବେଳେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ସୁଭଦ୍ରା ସଚେତନତା ସଂଗୀତ ମଧ୍ୟ ଲୋକାର୍ପଣ ହୋଇଥିଲା। କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବାବୁ ସିଂ, ମେୟର ଶ୍ରୀମତୀ ସୁଲୋଚନା ଦାସ, ମୁଖ୍ୟଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking