କଟକ: ରାଉରକେଲା ବିଧାୟକ ସାରଦା ନାୟକଙ୍କ ବିରୋଧରେ ହାଇକୋର୍ଟରେ ଦାୟର ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି ମଙ୍ଗଳବାର ହୋଇଛି । ସାରଦାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଥ୍ୟ ପ୍ରଦାନ ପାଇଁ ସମୟ ଦେବା ନିମନ୍ତେ ହାଇକୋର୍ଟଙ୍କୁ ଆବେଦନ କରାଯାଇଥିଲା । ବିଚାରପତି ଶଶିକାନ୍ତ ମିଶ୍ର ମାମଲାର ଶୁଣାଣି କରି ସାରଦାଙ୍କୁ ଏନେଇ ଅନୁମତି ପ୍ରଦାନ କରିଛନ୍ତି । ମାମଲାର ପରବର୍ତ୍ତି ଶୁଣାଣି ନିମନ୍ତେ ଅକ୍ଟୋବର ୧ ତାରିଖକୁ ଦିନ ଧାର୍ଯ୍ୟ ହୋଇଛି । ମାମଲାର ବିବରଣୀ ଅନୁଯାୟୀ, ରାଉରକେଲା ବିଧାୟକ ବିଜେଡିର ଶ୍ରୀ ନାୟକଙ୍କ ବିଜୟକୁ ଅସିଦ୍ଧ ଘୋଷଣା ପାଇଁ ଭାଜପା ନେତା ଦିଲ୍ଲୀପ ରାୟ ଗତ ଜୁନ୍ ୨୧ ତାରିଖରେ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ବିଧାୟକ ଶ୍ରୀ ନାୟକ ପ୍ରାର୍ଥିପତ୍ର ଦାଖଲ ବେଳେ ସତ୍ୟପାଠରେ ସମସ୍ତ ସୂଚନା ପ୍ରଦାନ କରିନାହାନ୍ତି । ସେ ଅନେକ ସୂଚନାକୁ ଚପାଇ ଦେଇ ଅନିୟମିତତା କରିଥିବା ଆବେଦନକାରୀ ରାୟ ତାଙ୍କ ପିଟିସନ୍ରେ ଦର୍ଶାଇଛନ୍ତି । ସେହିପରି ଗତ ଜୁନ୍ ୧୦ ତାରିଖରେ ସାରଦାଙ୍କ ବିରୋଧରେ ପରାଜିତ ଏନ୍ସିପି ପ୍ରାର୍ଥୀ ରାଜ କୁମାର ଯାଦବ ହାଇକୋର୍ଟରେ ନିର୍ବାଚନୀ ଅନିୟମିତତା ପିଟିସନ୍ ଦାଖଲ କରିଥିଲେ । ବିଧାୟକ ଶ୍ରୀ ନାୟକ ପ୍ରାର୍ଥିପତ୍ର ଦାଖଲ ବେଳେ ମିଥ୍ୟା ସତ୍ୟପାଠ ଦେଇଥିବା ଯାଦବ ପିଟିସନ୍ରେ ଦର୍ଶାଇଥିଲେ । ସତ୍ୟପାଠରେ ସାରଦା ନିଜ ସମ୍ପତ୍ତି ସଂକ୍ରାନ୍ତୀୟ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିନାହାନ୍ତି । ଏଥିସହ ତାଙ୍କ ନାମରେ ରହିଥିବା ବିଭିନ୍ନ ଅପରାଧିକ ମାମଲାର ଠିକ ତଥ୍ୟ ମଧ୍ୟ ସେ ଦେଇନାହାନ୍ତି । ତେଣୁ ସାରଦାଙ୍କ ସଭ୍ୟପଦ ରଦ୍ଦ କରାଯିବା ନେଇ ସେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।