27.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶହରିଆଣା ବିଧାନସଭା ନିର୍ବାଚନ: ଆୟୋଗଙ୍କୁ ପ୍ରଦେଶ ବିଜେପିର ଅନୁରୋଧ, ଭୋଟ୍‌ଗ୍ରହଣ ତାରିଖ ପରିବର୍ତ୍ତନ କରାଯାଉ

ହରିଆଣା ବିଧାନସଭା ନିର୍ବାଚନ: ଆୟୋଗଙ୍କୁ ପ୍ରଦେଶ ବିଜେପିର ଅନୁରୋଧ, ଭୋଟ୍‌ଗ୍ରହଣ ତାରିଖ ପରିବର୍ତ୍ତନ କରାଯାଉ

ଚଣ୍ଡିଗଡ଼: ନିକଟରେ କେନ୍ଦ୍ର ନିର୍ବାଚନ ଆୟୋଗ ଜମ୍ମୁ କାଶ୍ମୀର ସହ ହରିଆଣାରେ ମଧ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ନେଇ ତାରିଖ ଘୋଷଣା କରିଥିଲେ। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଅକ୍ଟୋବର ୧ରେ ଏଠାରେ ଏକକ ପର୍ଯ୍ୟାୟରେ ଭୋଟ୍‌ଗ୍ରହଣ କରାଯିବ। ତେବେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ନିର୍ବାଚନ ତାରିଖକୁ ବଦଳାଇବା ତଥା ଆଗକୁ ବଢ଼ାଇବା ପାଇଁ ହରିଆଣା ପ୍ରଦେଶ ବିଜେପି ପକ୍ଷରୁ ଏବେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଜରିଆରେ ଭାରତୀୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରୱାଲ ମଧ୍ୟ ପ୍ରଦେଶ ବିଜେପି ପକ୍ଷରୁ ମିଳିଥିବା ଚିଠିକୁ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇ ଦିଆଯାଇଥିବା ନିଶ୍ଚିତ କରିଛନ୍ତି। ତେବେ ଏହା ଉପରେ କେନ୍ଦ୍ର ନିର୍ବାଚନ ଆୟୋଗ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ପ୍ରଦେଶ ବିଜେପି ପକ୍ଷରୁ ଲେଖାଯାଇଥିବା ଚିଠିରେ ଅକ୍ଟୋବର ୧ ପୂର୍ବରୁ ଏବଂ ପରେ ଏକାଧିକ ଛୁଟିବାର ପଡ଼ୁଥିବାରୁ ଏହାଦ୍ୱାରା ନିର୍ବାଚନ ପ୍ରକ୍ରିୟା ପ୍ରଭାବିତ ହେବା ଆଶଙ୍କା ରହିଥିବା ଦର୍ଶାଯାଇଛି। ହରିଆଣା ବିଜେପି ମୁଖ୍ୟ ମୋହଲ ଲାଲ ବାଦୋଲି ଦର୍ଶାଇଛନ୍ତି ଯେ, ଲୋକମାନେ ଅକ୍ଟୋବର ୧ ପୂର୍ବରୁ ଓ ପରେ ଛୁଟି ଥିବାରୁ (ସେପ୍ଟେମ୍ବର ୨୮ ଓ ୨୯ ଯଥାକ୍ରମେ ଶନିବାର ଏବଂ ରବିବାର ରହୁଛି। ଅକ୍ଟୋବର ୧ରେ ନିର୍ବାଚନ ପାଇଁ ମଧ୍ୟ ଛୁଟି ରହିବ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ। ଅକ୍ଟୋବର ୩ ମହାରାଜ ଅଗ୍ରସେନ ଜୟନ୍ତୀ ପାଇଁ ଛୁଟି ରହିବ) ବାହାରକୁ ବୁଲିବାକୁ ଆଗ୍ରହ ଦେଖାଇଛନ୍ତି। ସେମାନେ ଛୁଟିରେ ଯିବାକୁ ଥିବାରୁ ଏହାର ପ୍ରଭାବ ଭୋଟିଂ ହାର ଉପରେ ପଡ଼ିପାରେ। ଏପରିକି ଭୋଟ୍ ହାର ମଧ୍ୟ କମ୍ ହେବାର ଆଶଙ୍କା ରହିଛି। ବିଜେପି ରାଜ୍ୟ ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ବରିନ୍ଦର ଗର୍ଗ ମଧ୍ୟ ସମାନ କଥା କହିଛନ୍ତି।

ଅନ୍ୟପକ୍ଷେ ବିଜେପିର ଏପରି ତାରିଖ ବଦଳାଇବା ଅନୁରୋଧକୁ କଂଗ୍ରେସ କଟାକ୍ଷ କରିଛି। ବିଜେପି ଏବେ ଠାରୁ ପରାଜୟ ସ୍ୱୀକାର କରିସାରିଥିବା ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ଦାବି କରିଛନ୍ତି। ସେ କହିଛନ୍ତି, “ନିର୍ବାଚନ ତାରିଖ ଘୋଷଣା ହେବାକୁ ସପ୍ତାହେ ବିତିଲାଣି। ଏବେ ସେମାନଙ୍କର ତାରିଖ ବଦଳାଇବା କଥା ମନେପଡ଼ୁଛି। ନିର୍ବାଚନ କମିଶନ ଧାର୍ଯ୍ୟ ତାରିଖରେ ନିର୍ବାଚନ କରନ୍ତୁ। କାରଣ ଲୋକମାନେ ଏସରକାର ଆଉ କ୍ଷମତାରେ ରହୁ ବୋଲି ଚାହୁଁନାହାନ୍ତି।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking