ଉତ୍ତରପ୍ରଦେଶ : ଚଳନ୍ତା କାର୍ରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ବଳାତ୍କାର । ଏପରି ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ସିଭଙ୍ଗ ସିଂହ ହେଉଛନ୍ତି ତାଙ୍କ ସିନିୟର । ଗତ ୧୦ ତାରିଖରେ ଛାତ୍ରଜଣକ ପୀଡ଼ିତାଙ୍କୁ ଫୋନ୍ କରି ଭେଟିବାକୁ ଡାକିଥିଲେ। ଏହାପରେ ଏକ କାର୍ରେ ତାଙ୍କୁ ଜୋରଜବରଦସ୍ତ ଭାବେ ବସାଇ ନେଇ ଯାଇଥିଲେ। ଯୁବତୀଜଣକ ଛାଡ଼ି ଦେବାକୁ କାକୁତିମିନତି ହେଲେ ବି ସେ ଛାଡ଼ି ନ ଥିଲେ। ଏପରିକି ସେ କାର୍ରେ ଯୁବତୀଙ୍କ ହାତ ବାନ୍ଧି ତାଙ୍କୁ ବଳାତ୍କାର କରିଥିଲେ। ଏଥିସହ ଡ୍ରାଇଭରଙ୍କ ସମେତ କେହି ଯେପରି ନ ଜାଣି ପାରିବେ ଚାରିପଟକୁ କପଡ଼ାରେ ଘୋଡ଼ାଇ ଦେଇଥିଲେ। ଫଳରେ ଯୁବତୀଙ୍କ ଚିତ୍କାର ବାହାରେ କେହି ଜାଣି ପାରି ନ ଥିଲେ। ଏକଥା ବାହାରେ ପ୍ରଘଟ କଲେ ପୀଡ଼ିତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ଅଭିଯୁକ୍ତ । ଏହାପରେ ତାଙ୍କୁ ରାସ୍ତା ସାଇଡକୁ ଫୋପାଡ଼ି ପଳାଇଥିଲେ। ଗୁରୁତର ପୀଡ଼ିତା ଜଣକ ବହୁ କଷ୍ଟରେ ଥାନାରେ ପହଞ୍ଚି ଏନେଇ ଅଭିଯୋଗ କରିଥିଲେ। ପୁଲିସ୍ ତାଙ୍କ ଡାକ୍ତରୀ ମାଇନା କରାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ଫେରାର ହୋଇ ଯାଇଥିବାରୁ ପୁଲିସ୍ ତାଙ୍କୁ ଠାବ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଏହି ଖବର ପ୍ରଚାରତତ ହେବା ପରେ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି।










