ନିିଶ୍ଚିନ୍ତକୋଇଲି: ନିଜର ଭୁଲ୍କୁ ଲୁଚାଇବା ନିମନ୍ତେ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ ତରଫରୁ ପ୍ରୟାସ କରାଯିବା ଘଟଣାକୁ ନେଇ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଏହାର ନିରପେକ୍ଷ ତଦନ୍ତ ଦାବି ହୋଇଛି। କଟକ ସଦର ନିର୍ବାଚନମଣ୍ଡଳୀ ତଥା ନିଶ୍ଚିନ୍ତକୋଇଲି ବ୍ଲକ ତିଳକଣା ଗ୍ରାମପଞ୍ଚାୟତ ଦେମାଣ୍ଡୋ ଗ୍ରାମର ରାମଚନ୍ଦ୍ର ସେଠୀ ଜଣେ ଅସହାୟ ଗରିବ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ସଂସାର କହିଲେ ପତ୍ନୀ ଲକ୍ଷ୍ମୀପ୍ରିୟା, ଦୁଇକନ୍ୟା ନିହାରିକା ଓ ସାଗରିକାକୁ ନେଇ ଦୁଃଖକଷ୍ଟରେ ଚାଲିଯାଏ। ଦିନେ କାମକୁ ନଗଲେ ତାଙ୍କର ହାଣ୍ଡି ଚୁଲିକୁ ଯାଏ ନାହିଁ। ଏପରିସ୍ଥଳେ ରାମଚନ୍ଦ୍ର ଆକସ୍ମିକ ଭାବେ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁମୁଖରେ ପଡ଼ିଥିଲେ। ବିଧବା ପତ୍ନୀ ଲକ୍ଷ୍ମୀପ୍ରିୟା ସ୍ଥାନୀୟ ଅଞ୍ଚଳରେ ଦୁଇ ପାଇଟି କରି ଓ ଗ୍ରାମର ବଦାନ୍ୟ ବ୍ୟକ୍ତିମାନଙ୍କ ସହାୟତାରେ ଦୁଇ କନ୍ୟାଙ୍କ ପେଟକୁ ଗଣ୍ଡେ ଦାନା ଓ ଦେହକୁ ଖଣ୍ଡେ କନା ଯୋଗାଇ ପାରୁଥିଲେ। ମାତ୍ର ବିଧିର ବିଧାନ ବିଚିତ୍ର ଥିଲା। ବିଧବା ଲକ୍ଷ୍ମୀପ୍ରିୟା ଆକସ୍ମିକ ଭାବେ ଏକାଧିକ ଜରାଗ୍ରସ୍ତ ବ୍ୟାଧିରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇପଡ଼ିଛନ୍ତି। ତାଙ୍କର ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ପଥି ଖାଇବା ନିମନ୍ତେ ପାଖରେ ଟଙ୍କାର ଅଭାବ ଦେଖାଦେଇଛି।
ଏପରିସ୍ଥଳେ ତାଙ୍କୁ ବିଧବା ଭତ୍ତା ଓ ଆବାସ ଯୋଜନାରେ ଗୋଟିଏ ଗୃହ ଯୋଗାଇଦେବା ନିମନ୍ତେ ଲକ୍ଷ୍ମୀପ୍ରିୟା ବାରମ୍ବାର ଗାଁ ସରପଞ୍ଚଙ୍କ ଠାରୁ ଆରମ୍ଭକରି ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ ସର୍ବୋପରି କଟକ ସଦରର ତତ୍କାଳୀନ ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କ ନିକଟରେ ଏକାଧିକ ବାର ଗୁହାରୀ କରିଥିଲେ ମଧ୍ୟ ଏଥିପ୍ରତି କେହିହେଲେ କର୍ଣ୍ଣପାତ କରିନଥିଲେ। ବରଂ ତାଙ୍କର ଆପତ୍ତି ଅଭିଯୋଗ ପ୍ରଶାସନର ନାଲି ଫାଇଲ ତଳେ ରହିଯାଇଥିଲା। ତେବେ ନିର୍ବାଚନ ଅଳ୍ପଦିନ ଥିଲା ବେଳେ ପ୍ରଶାସନ ତରଫରୁ ତାଙ୍କୁ ବିଧବାର ଦୁଇବର୍ଷ ପରେ ଭତ୍ତା ଯୋଗାଇ ଦିଆଯାଇଥିଲା। ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ମାସିକ ୧୦୦୦ଟଙ୍କା ଭତ୍ତା ଅର୍ଥ ଓ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯାଉଥିବା ୧୫କିଗ୍ରା ଚାଉଳରେ ୩ପ୍ରାଣୀ ଗଣ୍ଡେ ଖାଇ ଦଣ୍ଡେ ବଞ୍ଚୁଥିଲେ। ଆର୍ôଥକ ଅନାଟନ ହେତୁ ଲକ୍ଷ୍ମୀପ୍ରିୟା ମୁଣ୍ଡ ଗୁଞ୍ଜିବା ନିମନ୍ତେ ଗୋଟିଏ ପକ୍କାଘର ନିର୍ମାଣ କରିପାରି ନଥିଲେ। ଏକ ଭଙ୍ଗା କୁଡ଼ିଆରେ ଲକ୍ଷ୍ମୀପ୍ରିୟା ଦୁଇ ବଢିଲା ଝିଅଙ୍କୁ ନେଇ ଅତ୍ୟନ୍ତ ଦୟନୀୟ ଭାବେ କାଳାତିପାତ କରୁଥିବାର ଦେଖିବାକୁ ମିଳିଛି। ତାଙ୍କର ଘରେ ଦିନରେ ଖରା ଓ ରାତିରେ ତାରା ଦେଖିବାକୁ ମିଳୁଛି।
ଟିକିଏ ବର୍ଷା ହେଲେ ଘରେ ପାଣି ଲହଡ଼ି ଖେଳୁଛି। ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଲକ୍ଷ୍ମୀପ୍ରିୟା ବହୁ କଷ୍ଟରେ ଘର ଉପରେ ଚିରା ଜରି ପକାଇ ଅତ୍ୟନ୍ତ କଷ୍ଟରେ ଜୀବନ ବିତାଉଥିବାର ଅଭିଯୋଗ ହୋଇଛି। ଏହି ଗ୍ରାମପଞ୍ଚାୟତରେ ବହୁ ଥିଲାବାଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ହାତେଇଥିବାର ନଜିର ଥିଲାବେଳେ ଏହି ଦଳିତ ପରିବାର ପାଇଁ ଆବାସଯୋଜନା ସତେ ଯେପରି ସାତସପନ ପାଲଟିଛି। କେତେବେଳେ ଏହି ଭଙ୍ଗା କୁଡିଆ ଭୁଶୁଡ଼ି ୩ ପ୍ରାଣୀଙ୍କ ଜୀବନ ଦୀପ ଲିଭାଇଦେବ ତାହା ନେଇ ଆଶଙ୍କା ପ୍ରକାଶ ପାଇଛି। ଲକ୍ଷ୍ମୀପ୍ରିୟାଙ୍କ ବଡ଼ଝିଅ ନିହାରିକା(୧୫) ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କର ସାନଝିଅ ସାଗରିକା(୧୩) ସ୍ଥାନୀୟ ଦେମାଣ୍ଡୋ ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀରେ ପଢ଼ୁଛନ୍ତି। ଆର୍ôଥକ ଅନାଟନ ହେତୁ ଏହି ଦୁଇଭଉଣୀଙ୍କ ପାଠପଢ଼ାରେ ଡୋରି ବନ୍ଧାହେବା ନେଇ ଆଶଙ୍କା ପ୍ରକାଶପାଇଛି। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟର ବିଭିନ୍ନ ସ୍ତରରୁ ତାଙ୍କ ପରିବାର ପ୍ରତି ସହାୟତାର ହାତ ବଢ଼ାଯାଇଥିଲା। ଅପରପକ୍ଷରେ ଏହି ଘଟଣା ସମ୍ପର୍କରେ ଜାଣିବା ନିମନ୍ତେ ସ୍ଥାନୀୟ ଗ୍ରାମର ସାମାଜିକ କର୍ମୀ ବିନୟ କୁମାର ନାୟକ ଜନଶୁଣାଣି ପୋର୍ଟାଲରେ ଅଭିଯୋଗ କରିଥିଲେ।
ଏହି ଅଭିଯୋଗ ଉପରେ ବ୍ଲକ୍ ପ୍ରଶାସନ ତରଫରୁ ଚିଠି ମାଧ୍ୟମରେ ସମ୍ପୃକ୍ତ ପରିବାର ନାମରେ ଗତ ୨୦୧୦-୧୧ ଆର୍ôଥକ ବର୍ଷରେ ଆବାସ ଯୋଜନାରେ କାର୍ଯ୍ୟାଦେଶ ଦିଆଯାଇଥିବା ଦର୍ଶାଯାଇଛି। କିନ୍ତୁ ଗୃହ କାର୍ଯ୍ୟ ନ କରିବାରୁ ତାଙ୍କୁ ଆଉ କୌଣସି କିସ୍ତି ପ୍ରଦାନ କରାଯାଇ ନଥିଲା। ଅପରପକ୍ଷରେ ଗତ ଫନି ବାତ୍ୟାରେ ଏହି ପରିବାରର ଘର ଭାଙ୍ଗିଯାଇଥିବାରୁ ୯୫ହଜାର ଟଙ୍କାର ଆର୍ôଥକ ସହାୟତା ଯୋଗାଇ ଦିଆଯାଇଥିବା ସଫେଇ ଦିଆଯାଇଛି। ହେଲେ ସୂଚନା ଅଧିକାରରେ ମଗାଯାଇଥିବା ତଥ୍ୟରୁ ସମ୍ପୃକ୍ତ ପରିବାରକୁ ଫନି ବାତ୍ୟାରେ କୌଣସି ସହାୟତା ରାଶି ଯୋଗାଇ ଦିଆଯାଇ ନଥିବା ଜଣାଯାଇଛି। ଏଠାରେ ପ୍ରଶ୍ନ ଉଠେ ଯେ ଗୋଟିଏ ପରିବାର ଫନି ବାତ୍ୟାରେ ଅନୁକମ୍ପାମୂଳକ ସରକାରୀ ସହାୟତା ପାଇନଥିଲା ବେଳେ ବ୍ଲକ୍ ପ୍ରଶାସନ ତରପରୁ ନିଜର ଭୁଲ୍କୁ ଲୁଚାଇବା ନିମନ୍ତେ କିପରି ଏଭଳି ଚିଠି କରାଗଲା ତାହା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଆମ ପ୍ରତିନିଧି ମଣ୍ଡଳ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ବେହେରାଙ୍କୁ ପଚାରିବାରୁ ସେ ଏହାର ତଦନ୍ତକରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।










