ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ହେମନ୍ତଙ୍କ ଜାମିନ ଆଦେଶରେ ହସ୍ତକ୍ଷେପ କରିବାକୁ ମନାକରିବା ସହ ଇଡି ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ହାଇକୋର୍ଟଙ୍କ ଦ୍ୱାରା ହେମନ୍ତଙ୍କୁ ଦିଆଯାଇଥିବା ଜାମିନ ବିରୋଧରେ ଇଡି ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ଇଡି ଆବେଦନ ଉପରେ ସୁପ୍ରିମକୋର୍ଟ କହିଛନ୍ତି, ହାଇକୋର୍ଟଙ୍କ ଆଦେଶ ଏକ ଭଲ ନିଷ୍ପତ୍ତି । ବିଚାରପତି ଏକ ଯୁକ୍ତିଯୁକ୍ତ ରାୟ ଦେଇଛନ୍ତି । ଆମେ ଏଥିରେ ହସ୍ତକ୍ଷେପ କରିବା ଉଚିତ୍ ହେବନି । ତେବେ ହାଇକୋର୍ଟଙ୍କ ମନ୍ତବ୍ୟର ଶୁଣାଣି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ମଧ୍ୟ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ପ୍ରକାଶ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ମୁୂଖ୍ୟ ହେମନ୍ତ ସୋରେନଙ୍କୁ ଜାନୁଆରୀ ୩୧ରେ ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ କରାଯାଇଥିଲା । ତେବେ ଦୀର୍ଗ ସମୟ ଜେଲ୍ରେ ରହି ଜାମିନ୍ରେ ଫେରିବା ପରେ ଜୁଲାଇ ୪ରେ ପୁଣିଥରେ ସିଏମ ଭାବରେ ଶପଥ ଗ୍ରହଣ କରିଥିଲେ ।