32.1 C
Bhubaneswar
Wednesday, October 30, 2024
Homeଦେଶ ବିଦେଶ୨୩ରେ ପୂର୍ଣ୍ଣାଙ୍ଗ ବଜେଟ୍‌: ମଧ୍ୟବିତ୍ତ, ଗରିବ ଆଶାବାଦୀ; ବିଶେଷଜ୍ଞଙ୍କ ସହ ବୈଠକ କଲେ ମୋଦୀ

୨୩ରେ ପୂର୍ଣ୍ଣାଙ୍ଗ ବଜେଟ୍‌: ମଧ୍ୟବିତ୍ତ, ଗରିବ ଆଶାବାଦୀ; ବିଶେଷଜ୍ଞଙ୍କ ସହ ବୈଠକ କଲେ ମୋଦୀ

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରୁ ସଂସଦୀୟ ବଜେଟ୍ ଅଧିବେଶନ ଆରମ୍ଭ ହେବ ଏବଂ ଅଗଷ୍ଟ ୧୨ ତାରିଖ ଯାଏ ଅଧିବେଶନ ଚାଲିବ । ୨୩ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୪-୨୫ ଅର୍ଥବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ତେବେ ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆଜି ଅର୍ଥନୀତି ବିଶେଷଜ୍ଞଙ୍କ ସହ ପ୍ରାକ୍ ବଜେଟ୍ ବୈଠକ ଆରମ୍ଭ କରିଥିବା ସୂଚନା ମିଳିଛି । ବୈଠକରେ ଅର୍ଥମ୍ରନ୍ତୀ ନିର୍ମଳା ସୀତାରମଣଙ୍କ ସହ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ୍ ବେରୀ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି.ଅନନ୍ତ ନାଗେଶ୍ୱରନ୍‌, ବରିଷ୍ଠ ଅର୍ଥଶାସ୍ତ୍ରୀ ସୁରଜିତ୍ ଭଲ୍ଲା, ଅଶୋକ ଗୁଲାଟି ଏବଂ ଅନୁଭବୀ ବ୍ୟାଙ୍କର କେଭି କାମାଥ୍‌ଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ତଥା ଅର୍ଥବିଶେଷଜ୍ଞମାନେ ଉପସ୍ଥିତ ରହିଥିଲେ । ପ୍ରକାଶ, ଏହା ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ହେବାକୁ ଯାଉଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ୨.୦ ସରକାରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ କାମଚଳା ବଜେଟ୍ ଉପସ୍ଥାପନ କରିଥିଲେ । ଆଗାମୀ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନାକୁ ନେଇ ସୀତାରମଣ କ୍ରମାଗତ ୭ମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବାର ଏକ ବିରଳ ରେକର୍ଡ କରିବାକୁ ଯାଉଛନ୍ତି ।

ବଜେଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନୀତି ଆୟୋଗ ଏବଂ ଅର୍ଥନୀତିଜ୍ଞଙ୍କ ସହ ବୈଠକ ଆରମ୍ଭ କରିବା ଦେଶବାସୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଦେଇଛି । ବୈଠକରେ ପ୍ରଧାନମନ୍ତ୍ରୀ, ସଫଳ ଅର୍ଥନୀତିଜ୍ଞ ସହ ସମସ୍ତ କ୍ଷେତ୍ରର ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ ଏବଂ ଆଗାମୀ କେନ୍ଦ୍ର ବଜେଟ୍‌କୁ ଲୋକାଭିମୁଖୀ କରାଇବା ଉଦ୍ଦେଶ୍ୟରେ ସେ ସେମାନଙ୍କ ଠାରୁ ପରାମର୍ଶ ଗ୍ରହଣ କରିବା ସାଙ୍ଗକୁ ନିଜ ଆଭିମୁଖ୍ୟ ମଧ୍ୟ ସେମାନଙ୍କ ସମ୍ମୁଖରେ ରଖିବେ । ମିଳିଥିବା ତଥ୍ୟ ଅନୁସାରେ ଅର୍ଥନୀତିଜ୍ଞଙ୍କ ବ୍ୟତୀତ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ଏହି ବୈଠକରେ ଭାଗ ନେଉଛନ୍ତି । ସୂଚନାଯୋଗ୍ୟ ଗତ ୧୯ ଜୁନ୍‌ରୁ ୫ ଜୁଲାଇ ମଧ୍ୟରେ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ଅର୍ଥମନ୍ତ୍ରୀ ସୀତାରମଣ ମଧ୍ୟ ଇଣ୍ଡଷ୍ଟ୍ରି ଏବଂ ସୋସିଆଲ ନେଟ୍‌ୱାର୍କର ପ୍ରତିନିଧିମାନଙ୍କ ସହ ବିଭିନ୍ନ ଷ୍ଟେକ୍ ହୋଲ୍ଡରଙ୍କ ସହ ବଜେଟ୍‌କୁ ନେଇ ଆଲୋଚନା କରିସାରିଛନ୍ତି ଏବଂ ସେମାନଙ୍କ ପରାମର୍ଶ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ, ଗତ ମାସରେ, ଉଭୟ ସଂସଦର ମିଳିତ ବୈଠକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୫-୨୫ ବଜେଟ୍ ସମ୍ପର୍କରେ କହିଥିଲେ ଯେ, ଭବିଷ୍ୟତକୁ ଧ୍ୟାନରେ ରଖି ଏଥର ସରକାର ସୁଦୂର ପ୍ରସାରୀ ନୀତି ସହିତ ବଜେଟ୍ ଉପସ୍ଥାପନ କରିବେ ବୋଲି ସେ ଆଶାବାଦୀ । ଏଥିରେ ପ୍ରମୁଖ ଅର୍ଥନୈତିକ ଏବଂ ସାମାଜିକ ଚିନ୍ତାଧାରା ସହିତ ଅନେକ ଐତିହାସିକ ପଦକ୍ଷେପ ମଧ୍ୟ ଦେଖାଯିବ ।

ବଜେଟ୍‌କୁ ଆହୁରି ୧୧ ଦିନ ବାକି ଥିବା ବେଳେ ଏହାପୂର୍ବରୁ ଦେଶବାସୀଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ, ଆଗ୍ରହ, ଉତ୍କଣ୍ଠା ଦେଖିବାକୁ ମିଳିଛି । ବିଶେଷକରି ମଧ୍ୟବିତ୍ତ ଏବଂ ଗରିବ ବର୍ଗ ସାଙ୍ଗକୁ ନିଯୁକ୍ତି ଆଶାୟୀ ଅଧିକ ଉତ୍ସାହିତ ରହିଛନ୍ତି । ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହା ୩ୟ ଥର ପାଇଁ ସରକାର ହୋଇଥିବାରୁ ମୋଦୀ ସରକାର ଏଥର ବଜେଟ୍‌ରେ ଗରିବ ଓ ମଧ୍ୟବିତ୍ତଙ୍କ ଉଦ୍ଦେଶ୍ୟରେ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଏକ ଆଶା ସଂଚାରିତ ହୋଇଛି । ଟିକସ ଦାତାଙ୍କୁ ଖୁସି କରିବା ପାଇଁ ଟିକସ ସ୍ଲାବ୍‌ରେ କାଣ୍ଟଛାଣ୍ଟ କରିବା ଠାରୁ ଆରମ୍ଭ କରି ବେରୋଜଗାରଙ୍କ ପାଇଁ ନିଯୁକ୍ତି ସୁଯୋଗ, କୃଷକଙ୍କ ପାଇଁ କିଛି ବଡ଼ ଘୋଷଣା ସାଙ୍ଗକୁ ଦରଦାମ୍ ହ୍ରାସ ଉପରେ ମୋଦୀ ସରକାର ପ୍ରାଥମିକତା ଦେବେ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking