26.1 C
Bhubaneswar
Sunday, October 6, 2024
Homeଓଡିଶାଛୋଟ ପରିବର୍ତ୍ତନ ପ୍ରଶସ୍ତ କରେ ବଡ଼ ପରିବର୍ତ୍ତନର ମାର୍ଗ : ରାଷ୍ଟ୍ରପତି

ଛୋଟ ପରିବର୍ତ୍ତନ ପ୍ରଶସ୍ତ କରେ ବଡ଼ ପରିବର୍ତ୍ତନର ମାର୍ଗ : ରାଷ୍ଟ୍ରପତି

ଭୁବନେଶ୍ୱର: ଆମ ଦୈନନ୍ଦିନ ଜୀବନରେ ଛୋଟ ଛୋଟ ପରିବର୍ତ୍ତନ ସମାଜରେ ବଡ଼ ପରିବର୍ତ୍ତନ ପାଇଁ ମାର୍ଗ ପ୍ରଶସ୍ତ କରେ । ପ୍ରାକୃତିକ ସମ୍ପଦର ସର୍ବନିମ୍ନ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ଆମକୁ ଆମ ଅଭ୍ୟାସ ପରିବର୍ତ୍ତନ କରିବାକୁ ପଡ଼ିବ । ଅନେକ ସମୟରେ ଟ୍ୟାପ୍ ଖୋଲା ରହୁଥିବାରୁ ପିଇବା ପାଣି ନଷ୍ଟ ହୋଇଯାଏ । ଦିନରେ ମଧ୍ୟ ଲାଇଟ୍ ଜଳୁଥାଏ । ସେହିଭଳି ଘରେ ହେଉ କି ଅଫିସ୍‌, ଫ୍ୟାନ୍ କିମ୍ବା ଲାଇଟ୍ ବନ୍ଦ୍ କରିବା ଉପରେ ଆମେ ଧ୍ୟାନ ଦେଉନାହୁଁ । ପ୍ଲେଟ୍‌ରେ କିଛି ଖାଦ୍ୟ ଛାଡ଼ିବାର ଅଭ୍ୟାସରୁ ଆମେ ନିଜକୁ ମୁକ୍ତ କରିପାରିନାହୁଁ । କେବଳ ପ୍ରକୃତି ଅନୁକୂଳ ଜୀବନଶୈଳୀ ବିଷୟରେ ଆଲୋଚନା କରିବା ଯଥେଷ୍ଟ ନୁହେଁ, ଏହାକୁ ଆମର ଦୈନନ୍ଦିନ ଜୀବନର ଏକ ଅଂଶ କରିବାକୁ ପଡ଼ିବ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସୋମବାର ଭୁବନେଶ୍ୱର ଉପକଣ୍ଠ ହରିଡ଼ାମଡ଼ା ଗ୍ରାମରେ ବ୍ରହ୍ମକୁମାରୀଙ୍କ ଦିବ୍ୟ ରିଟ୍ରିଟ୍ କେନ୍ଦ୍ର ଉଦ୍‌ଘାଟନ କରିବା ସହ ‘ସ୍ଥାୟିତ୍ୱ ପାଇଁ ଜୀବନଶୈଳୀ’ର ଜାତୀୟ ଅଭିଯାନକୁ ଶୁଭାରମ୍ଭ କରି ରାଷ୍ଟ୍ରପତି କହିଛନ୍ତି ଯେ ପ୍ରକୃତି ମାତା ଆମକୁ ଦେଇଥିବା ପରିପୂର୍ଣ୍ଣ ସମ୍ପଦ ଯଥା- ଜଙ୍ଗଲ, ପର୍ବତ, ନଦୀ, ହ୍ରଦ, ସମୁଦ୍ର, ବର୍ଷା, ବାୟୁ- ଏସବୁ ଜୀବଜନ୍ତୁଙ୍କ ବଞ୍ଚିବା ପାଇଁ ଜରୁରୀ । ଲୋଭ ପାଇଁ ନୁହେଁ, ପ୍ରକୃତିର ପ୍ରଚୁରତାକୁ ନିଜର ଆବଶ୍ୟକତା ପାଇଁ ମଣିଷ ଉପଯୋଗ କରିବା ଉଚିତ । ହେଲେ ଏବେ ମଣିଷ ନିଜ ନିଜ ଭୋଗ ପାଇଁ ପ୍ରକୃତିକୁ ଶୋଷଣ କରୁଛି । ଏପରି କରି ପ୍ରକୃତିର କ୍ରୋଧର ଶିକାର ହେଉଛି । ପ୍ରକୃତି ସହ ସମନ୍ୱୟ ସ୍ଥାପନ ଏବଂ ପ୍ରକୃତି ଅନୁକୂଳ ଜୀବନ ବଞ୍ଚିବା ସମୟର ଆବଶ୍ୟକତା ।

ରାଷ୍ଟ୍ରପତି କହିଛନ୍ତି ଯେ ଭାରତୀୟ ସଂସ୍କୃତି ସର୍ବଦା ପ୍ରକୃତି ସହ ସୁସଙ୍ଗତ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେଇ ଆସିଛି । ଆମ ଦର୍ଶନରେ ପୃଥିବୀକୁ ମା’ ଓ ଆକାଶକୁ ପିତା କୁହାଯାଏ । ନଦୀକୁ ମଧ୍ୟ ମା’ ଉପାଧି ଦିଆଯାଇଛି । ଜଳକୁ ଜୀବନ କୁହାଯାଏ । ବର୍ଷାକୁ ଆମେ ଭଗବାନ ଇନ୍ଦ୍ର ଏବଂ ସମୁଦ୍ରକୁ ଭଗବାନ ବରୁଣ ଭାବରେ ପୂଜା କରିଥାଉ । ଆମ କାହାଣୀରେ ପର୍ବତ ଓ ଗଛ ବିଷୟରେ ବର୍ଣ୍ଣନା କରାଯାଇଛି । ପ୍ରାଣୀମାନେ ମଧ୍ୟ ପରସ୍ପର ସହ କଥାବାର୍ତ୍ତା କରୁଥିବାର କୁହାଯାଇଛି । ଅର୍ଥାତ୍ ପ୍ରକୃତି ନିଷ୍କ୍ରିୟ ନୁହେଁ, ଏହା ଭିତରେ ଚେତନାର ଶକ୍ତି ପୂରି ରହିଛି । ପ୍ରକୃତିର ସୁରକ୍ଷା ପାଇଁ ଏସବୁ ଭାରତୀୟ ଦାର୍ଶନିକମାନଙ୍କର ସୁନ୍ଦର ବିଚାରରେ ପ୍ରକଟ ହୋଇଛି । ଜଳବାୟୁ ପରିବର୍ତ୍ତନ, ବିଶ୍ୱ ଉତ୍ତାପନ ଓ ପାଣିପାଗର ଅନିଶ୍ଚିତତା ଆଜି ବିଶ୍ୱ ସମ୍ମୁଖୀନ ହେଉଥିବା ଏକ ବଡ଼ ଆହ୍ୱାନ । ବନ୍ୟା, ଭୂସ୍ଖଳନ, ହିମସ୍ଖଳନ, ଭୂମିକମ୍ପ, ଜଙ୍ଗଲରେ ନିଆଁ, ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆଉ କେବେ କେବେ ହେଉନାହିଁ । ଏବେ ଏଭଳି ଘଟଣା ବାରମ୍ବାର ଘଟୁଛି । ତେଣୁ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ଏହାକୁ ବଞ୍ଚାଇବାର ଅଭ୍ୟାସ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ତେବେ ‘ସ୍ଥାୟିତ୍ୱ ପାଇଁ ଜୀବନଶୈଳୀ’ର ଜାତୀୟ ଅଭିଯାନ ସହ ଜଡ଼ିତ ସମସ୍ତଙ୍କୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି ଯେ, ପ୍ରକୃତି ସହ ଲୋକଙ୍କୁ ଯୋଡ଼ିବା ଦିଗରେ ଏହା ଏକ ପ୍ରଶଂସନୀୟ ପଦକ୍ଷେପ । ଏହି ଅଭିଯାନ କେବଳ ବୈଠକ, କମିଟି କିମ୍ବା ସମ୍ମିଳନୀରେ ସୀମିତ ରହିବା ଉଚିତ ନୁହେଁ । ଏହି ଅଭିଯାନ ସହ ଜଡ଼ିତ ସମସ୍ତଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ, ବିଶେଷ କରି ଗ୍ରାମାଞ୍ଚଳବାସୀଙ୍କୁ ପରିବେଶ ସମ୍ପର୍କରେ ସଚେତନ କରିବାକୁ ରାଷ୍ଟ୍ରପତି ଅନୁରୋଧ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ପ୍ରକୃତି ଓ ମଣିଷ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ବୋଲି କହିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଂପ୍ରତିକ ବିଶ୍ୱ ପରିବେଶର ଦ୍ରୁତ ଅବକ୍ଷୟ ତଥା ପ୍ରାକୃତିକ ସମ୍ପଦର ଅକଳ୍ପନୀୟ ଦୋହନ ଦ୍ୱାରା ଯେଉଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେଉଛି, ସେଥିପାଇଁ ସଚେତନତା ଓ କାର୍ଯ୍ୟକ୍ରମ ପାଇଁ ଏହି ରାଷ୍ଟ୍ରୀୟ ଅଭିଯାନ ‘ସ୍ଥାୟୀତ୍ୱ ପାଇଁ ଜୀବନ ଶୈଳୀ’ ଉଦ୍ଦିଷ୍ଟ ବୋଲି ମତ ରଖିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଧ୍ୟାତ୍ମିକତା ସହିତ ପ୍ରକୃତିର ସମ୍ପର୍କ ଅଙ୍ଗାଙ୍ଗିଭାବେ ଜଡ଼ିତ । ପ୍ରକୃତି ଉପରେ ଆମ ଚେତନା ଶକ୍ତିର ପ୍ରଭାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପରମାତ୍ମା ନିଜର ଚେତନା ଶକ୍ତି ବଳରେ ପ୍ରକୃତିକୁ ନିୟନ୍ତ୍ରଣ କରିଥାନ୍ତି । ସେଥିପାଇଁ ମନୁଷ୍ୟର ଚେତନା ଶକ୍ତି ମଧ୍ୟ ପ୍ରକୃତିକୁ ପ୍ରଭାବିତ କରିଥାଏ । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଏପରି ଅନେକ ବିଷୟ ଓ କିମ୍ବଦନ୍ତୀ ଉଲ୍ଲେଖ ଅଛି, ଯେଉଁଠି ମଣିଷ ଓ ପ୍ରକୃତି ଚିରନ୍ତନ ଭାବେ ସହାବସ୍ଥାନ କରୁଥିଲେ । ଭାରତୀୟ ସଂସ୍କୃତି ଓ ପରମ୍ପରା ଏକମାତ୍ର ପ୍ରାଚୀନ ସଭ୍ୟତା; ଯେଉଁଠି କି ମଣିଷ ସହିତ ଜୀବଜନ୍ତୁ, ବୃକ୍ଷଲତା ମଧ୍ୟ ପୂଜା ପାଉଥିଲେ ଏବଂ ଆଜି ମଧ୍ୟ ଏହି ପରମ୍ପରାର ଛାପ ଦେଖିବାକୁ ମିଳୁଛି । ଭାରତ ଏକମାତ୍ର ଦେଶ ଯେଉଁଠି ଗାଈକୁ ଗୋମାତା ଭାବେ ପୂଜା କରାଯାଏ, ଯେଉଁଠି ନଦୀକୁ ମା’ ଭାବେ ବନ୍ଦନା କରାଯାଏ ।

ଏ ଦେଶର ସଂସ୍କୃତି ଯେଉଁଠି ବର ଗଛକୁ ବଟବୃକ୍ଷ ଏବଂ ତୁଲସୀକୁ ଦେବୀ ଭାବେ ପୂଜନ କରାଯାଏ । ଏଥିରୁ ସ୍ପଷ୍ଟ ଭାବେ ଆପଣ ଜାଣିପାରୁଥିବେ ଯେ ମାନବ ସମାଜକୁ ଚିରନ୍ତନ ଭାବେ ବଞ୍ଚିବାକୁ ହେଲେ, ଯାହାକୁ ଆମେ ‘ସ୍ଥାୟିତ୍ୱ ପାଇଁ ଜୀବନ ଶୈଳିୀ’ ଭାବେ ଜାଣିଥାଉ, ପ୍ରକୃତି ଓ ପରିବେଶକୁ ସମ୍ମାନ ଦେବାକୁ ହେବ । କିନ୍ତୁ, ଆଜିର ବିକାଶନ୍ମୁଖି ସମାଜରେ ମନେହୁଏ ଯେ ଏହି ବାର୍ତ୍ତା ନିଶ୍ଚିତ ଭାବେ ପଛରେ ପଡ଼ିଯାଇଛି । ବିକାଶ ଏବଂ ପରିବେଶ ଅନୁପୂରକ ନୁହେଁ, ହେବା ଉଚିତ ମଧ୍ୟ ନୁହେଁ । ପରିବେଶ ସୁରକ୍ଷା ସହିତ ଆମେ ବିକାଶର ନୂତନ ଶିଖରକୁ ଛୁଇଁ ପାରିବା । ଏହା ଉପରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବିତର୍କ ଓ କାର୍ଯ୍ୟକ୍ରମ ଚାଲିଛି । ଭାବାବେଗ ସହିତ ପରିବେଶ ସୁରକ୍ଷା ଯୋଡ଼ିହୋଇଗଲେ ପ୍ରକୃତି ଓ ମାନବ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ନୂତନ ଦିଗନ୍ତ ସୃଷ୍ଟି ହେବ । ଆଉ ଏହାହିଁ ସ୍ଥାୟୀତ୍ୱ ପାଇଁ ଜୀବନ ଶୈଳୀର ଚିନ୍ତାଧାରା ଏବଂ କାର୍ଯ୍ୟକ୍ରମ ବୋଲି ସେ ମତ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ସାରା ଦେଶରୁ ପ୍ରଜାପିତା ବ୍ରହ୍ମକୁମାରୀର ବହୁ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking