16.1 C
Bhubaneswar
Saturday, December 27, 2025
Homeଓଡିଶାସରୋଗାସି ମାଧ୍ୟମରେ ମାତୃତ୍ୱ ଲାଭ କରିଥିବା ମହିଳା କର୍ମଚାରୀଙ୍କୁ ମିଳିବ ପ୍ରସବକାଳୀନ ଛୁଟି

ସରୋଗାସି ମାଧ୍ୟମରେ ମାତୃତ୍ୱ ଲାଭ କରିଥିବା ମହିଳା କର୍ମଚାରୀଙ୍କୁ ମିଳିବ ପ୍ରସବକାଳୀନ ଛୁଟି

କଟକ : ଜଣେ ମହିଳା କର୍ମଚାରୀ ଯଦି ସରୋଗାସି ମାଧ୍ୟମରେ ସନ୍ତାନ ଜନ୍ମ ଦିଅନ୍ତି, ତେବେ ବି ତାଙ୍କୁ ସାଧାରଣ ମହିଳା କର୍ମଚାରୀଙ୍କ ଭଳି ପ୍ରସବକାଳୀନ ଛୁଟି ମିଳିପାରିବ ବୋଲି ହାଇକୋର୍ଟ ଏକ ରାୟ ପ୍ରଦାନ କରିଛନ୍ତି। ଯଦି ସରକାର ପ୍ରାକୃତିକ ଉପାୟରେ ସନ୍ତାନ ପ୍ରସବ କରିଥିବା ମହିଳା କର୍ମଚାରୀଙ୍କୁ ପ୍ରସବକାଳୀନ ଛଟି ପ୍ରଦାନ କରୁଛନ୍ତି, ତେବେ ସରୋଗାସି ପ୍ରକ୍ରିୟା ଦ୍ୱାରା ସନ୍ତାନ ପ୍ରାପ୍ତି କରିଥିବା ମହିଳାଙ୍କୁ ଏହି ସୁବିଧା ପ୍ରଦାନରୁ ବଞ୍ଚିତ କରାଯିବା ଉଚିତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଜନୈକା ମହିଳା କର୍ମଚାରୀଙ୍କ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ସରୋଗାସି ମାଧ୍ୟମରେ ମାତୃତ୍ୱ ଲାଭ କରିଥିବା ମହିଳା କର୍ମଚାରୀଙ୍କୁ ପ୍ରସବକାଳୀନ ଛୁଟି ପ୍ରଦାନରେ ପ୍ରତିବନ୍ଧକ ସାଜିଥିବା ଅର୍ଥ ବିଭାଗର ୨୦୧୯, ନଭେମ୍ବର ୧୫ର ଚିଠି ଓ ସାଧାରଣ ପ୍ରଶାସନ ବିଭାଗର ୨୦୨୦, ଜୁଲାଇ ୬ର ଚିଠିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ସମ୍ବିଧାନର ଧାରା ୨୧ ମାତୃତ୍ୱ ଅଧିକାର ସହିତ ସବୁ ଶିଶୁଙ୍କ ପୂର୍ଣ୍ଣାଙ୍ଗ ବିକାଶ ସମ୍ପର୍କିତ ଅଧିକାର ପ୍ରଦାନ କରିଛି। ଶିଶୁ ଜନ୍ମ ପରେ ଯତ୍ନ ଓ ପାଳନପୋଷଣ ପାଇଁ ପ୍ରାରମ୍ଭିକ ଦିନଗୁଡ଼ିକ ମା’ ପାଇଁ ବହୁତ ଜଟିଳ ହୋଇଥାଏ। ଶିଶୁର ବିକାଶ ପାଇଁ ଏହି ସମୟର ବହୁତ ଗୁରୁତ୍ୱ ରହିଛି। ଚିକିତ୍ସା ବିଜ୍ଞାନର ଅଗ୍ରଗତିକୁ ଦୃଷ୍ଟିରେ ରଖି ବଳବତ୍ତର ଥିବା ଏ ସଂପର୍କିତ ନିୟମ କାନୁନର ଅର୍ଥ ନିରୂପଣ କରାଯିବା ଉଚିତ। ଏଭଳି ସ୍ଥିତିରେ ସରୋଗାସି ମାଧ୍ୟମରେ ମାତୃତ୍ୱ ଲାଭ କରିଥିବା ଆବେଦନକାରୀଙ୍କୁ ୧୮୦ଦିନର ପ୍ରସବକାଳୀନ ଛୁଟି ମଞ୍ଜୁର ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking