ନୂଆଦିଲ୍ଲୀ : ଆମେରିକା ଓ ଦକ୍ଷିଣ କୋରିଆର ବିରାଟ ମିଲିଟାରୀ ଡ୍ରିଲ। କିମ ଜୋଙ୍ଗ ଉନଙ୍କୁ ଜବାବ ଦେବାକୁ ମିଲିଟାରୀ ଡ୍ରିଲ। ଉତ୍ତର କୋରିଆର ପରମାଣୁ ଆକ୍ରମଣ ଭୟ ମଧ୍ୟରେ ଆରମ୍ଭ ହୋଇଛି ‘ଉଲଚି ଫ୍ରିଡମ୍ ସିଲ୍ଡ’ ମିଲିଟାରୀ ଡ୍ରିଲ। ଦୀର୍ଘ ବର୍ଷ ଭିତରେ ଏହା ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ସବୁଠୁ ବଡ଼ ମିଳିତ ସମରାଭ୍ୟାସ। ଆକାଶରେ ଗର୍ଜୁଛି ଦୁଇ ଦେଶର ଘାତକ ବିମାନ। ଏୟାରକ୍ରାଫ୍ଟ, ଓ୍ଵାର୍ ସିପ୍, ଟ୍ୟାଙ୍କ ଓ ୧୦ ହଜାରରୁ ଅଧିକ ସୈନ୍ୟଙ୍କୁ ନେଇ ଚାଲିଛି ସମରାଭ୍ୟାସ। ଡ୍ରୋନ୍ ଆକ୍ରମଣ, ୟୁକ୍ରେନ୍ ଉପରେ ରୁଷ ଆକ୍ରମଣର ନୂଆ ରଣକୌଶଳ ଓ ଏୟାରପୋର୍ଟ, ବନ୍ଦର ଓ ଶିଳ୍ପାଞ୍ଚଳରେ ଆକ୍ରମଣର କିପରି ସାମ୍ନା କରାଯିବ ଏହାର ଅଭ୍ୟାସ କରୁଛନ୍ତି ଦୁଇ ଦେଶର ସେନା। ଅଗଷ୍ଟ ୨୨ରୁ ଆରମ୍ଭ ହୋଇଥିବା ଏହି ସମରାଭ୍ୟାସ ୧ ସେପ୍ଟେମ୍ବର ଯାଏ ଚାଲିବ। ୨୦୧୯ ମସିହାରେ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉନ୍ ଓ ଆମେରିକା ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିତୀୟ ବୈଠକ ବାତିଲ ହେବାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି।