ରାଏବରେଲୀ: ଉତ୍ତରପ୍ରଦେଶର ରାଏବରେଲି ଜିଲ୍ଲାରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି । ଅସ୍ଥି ବିସର୍ଜନ କରିବାକୁ ଗଙ୍ଗାଘାଟକୁ ଆସିଥିବା ଏକ ପରିବାର ସହ ଏକ ବଡ଼ ଟ୍ରାଜେଡି ଘଟିଯାଇଛି । ଅସ୍ଥି ବିସଜର୍ନ ସମୟରେ ଗଙ୍ଗା ନଦୀରେ ପରିବାରର ୩ଜଣ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି । ସେହିପରି ପରିବାରର ବାକି ୬ଜଣଙ୍କୁ ସୁରକ୍ଷିତ ଭାବେ ନଦୀରୁ ଉଦ୍ଧାର କରାଯିବାରୁ ସେମାନେ ଜୀବିତ ରହିପାରିଛନ୍ତି । ସାମାନ୍ୟ ବିଳମ୍ବ ହୋଇଥିଲେ ମୃତକଙ୍କ ସଂଖ୍ୟା ଆହୁରି ଅଧିକ ବଢ଼ିଯାଇଥାଆନ୍ତା ବୋଲି କୁହାଯାଉଛି ।
ଏସବୁ ମଧ୍ୟରେ ସବୁଠୁ ବଡ଼କଥା ହେଉଛି ତିନି ମୃତକଙ୍କ ମଧ୍ୟରେ ବାପା-ପୁଅ ସାମିଲ ରହିଛନ୍ତି । ରିପୋର୍ଟ ଅନୁସାରେ ଆମେଠି ଜିଲ୍ଲାର ଗୌରୀଗଞ୍ଜ ଥାନା ଅନ୍ତର୍ଗତ ପାଲପୁର ଗ୍ରାମର ରାମକିଶୋର କୌଶଲ ନାମକ ଜଣେ ବ୍ୟକ୍ତିଙ୍କ ଦେହାନ୍ତ ପରେ ଅସ୍ଥି ବିସର୍ଜନ ପାଇଁ ତାଙ୍କ ପରିବାର ଏଠାରେ ପ୍ରବାହିତ ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ କରିବାକୁ ଡଲମଉର ଭିଆଇପି ଘାଟ ଆସିଥିଲେ । କିନ୍ତୁ ନଦୀରେ ଅସ୍ଥି ବିସର୍ଜନ କରୁଥିବା ସମୟରେ ପରିବାରର ଜଣେ ୧୨ବର୍ଷର ନାବାଳକ ଗୋଡ ଖସିଯିବାରୁ ନଦୀରେ ବୁଡ଼ି ଯାଇଥିଲା । ଉକ୍ତ ପିଲାଟିକୁ ବଞ୍ଚାଇବା ପାଇଁ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଜଣକ ପରେ ଜଣେ ନଦୀକୁ ଡେଇଁ ପଡ଼ିଥିଲେ ।
ବାଳକକୁ ଉଦ୍ଧାର କରିବା ସମୟରେ ରାମକିଶୋରଙ୍କ ପରିବାର ୯ଜଣ ସଦସ୍ୟ ଗଙ୍ଗା ନଦୀରେ ବୁଡ଼ି ଯାଉଥିଲେ । ତେବେ ଘାଟରେ ଉପସ୍ଥିତ ଥିବା ନାବିକମାନେ ଏସବୁ ଦେଖି ତୁରନ୍ତ ନଦୀକୁ ଡେଇଁ ପଡ଼ି ବୁଡ଼ିଯାଉଥିବା ଲୋକଙ୍କୁ ବଞ୍ଚାଇବା ଆରମ୍ଭ କରିଥିଲେ । ଏହି ସମୟରେ ସୌଭାଗ୍ୟବଶତଃ ଛଅଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ମୃତକମାନେ ହେଲେ ଆର୍ଯ୍ୟନ୍ (୧୨), ତାଙ୍କ ବାପା ବାଲଚନ୍ଦ୍ର କୌଶଲ (୪୭) ଏବଂ ଚନ୍ଦ୍ର କୁମାର । ପୁଲିସ ମୃତଦେହଗୁଡ଼ିକୁ ଜବତ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଘାଟରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଗଭୀର ଦୁଃଖ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସହାନୁଭୂତି ବ୍ୟକ୍ତ କରିଛନ୍ତି ।










