26.1 C
Bhubaneswar
Monday, April 14, 2025
Homeଦେଶ ବିଦେଶଆତ୍ମସମର୍ପଣ କଲେ ୮୬ ମାଓବାଦୀ

ଆତ୍ମସମର୍ପଣ କଲେ ୮୬ ମାଓବାଦୀ

ହାଇଦ୍ରାବାଦ୍‌: କେନ୍ଦ୍ର ସରକାରଙ୍କ ନକ୍ସଲବାଦ ବିରୋଧୀ ଅଭିଯାନ ଦିଗରେ ଶନିବାର ଏକ ବଡ଼ ସଫଳତା ମିଳିଛି। ରିପୋର୍ଟ ଅନୁସାରେ ତେଲେଙ୍ଗାନାରେ ପ୍ରାୟ ମୋଟ୍ ୮୬ ନକ୍ସଲ ଏକକାଳୀନ ଅସ୍ତ୍ର ଛାଡି ଆତ୍ମସମର୍ପଣ କରିଛନ୍ତି। ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାରେ ୮୧ ନକ୍ସଲମାନେ ସଶସ୍ତ୍ର ଆତ୍ମସମର୍ପଣ କରିଥିବା ବେଳେ ମୁଲୁଗୁ ଜିଲ୍ଲାରେ ଅନ୍ୟ ୫ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ତେବେ ଏହି ୮୬ ନକ୍ସଲଙ୍କ ମଧ୍ୟରେ ୨୦ ମହିଳା ଓ ୬୬ ଜଣ ପୁରୁଷ ଅଛନ୍ତି। ସେହିପରି ଏମାନଙ୍କ ମଧ୍ୟରୁ ୪ଜଣ ଏରିଆ କମିଟି ସଦସ୍ୟ (ଏସିଏମ୍‌) ରହିଥିବା ବେଳେ ୪ ଜଣ ପାର୍ଟି ମେମ୍ବର, ମିଲିସିଆ ସଦସ୍ୟ ୨୮ ଜଣ, କମିଟି ସଦସ୍ୟ ୮ ଜଣ, ଡିଏକେଏମଏସ ସଦସ୍ୟ ୨୦ ଜଣ,ସିଏନ୍‌ଏମ୍ ସଦସ୍ୟ ୧୩ ଜଣ ଏବଂ ଜିଆରଡି ସଦସ୍ୟ ୯ ଜଣ ସାମିଲ ଅଛନ୍ତି। ତେବେ ସମସ୍ତ ନକ୍ସଲ ଛତିଶଗଡ଼ ବିଜାପୁର ଏବଂ ସୁକମା ଅଞ୍ଚଳର ତଥା ନିଷିଦ୍ଧ ସିପିଆଇ (ମାଓବାଦୀ) ଗୋଷ୍ଠୀର ବୋଲି ପୋଲିସ୍ ସ୍ପଷ୍ଟ କରିଛି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ପୋଲିସ୍ ପ୍ରଶାସନ ପକ୍ଷରୁ ୨୫ହଜାର ଲେଖାଏ ଆର୍ଥିକ ସହାୟତା ଏବଂ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ତଥା ଆତ୍ମନିର୍ଭରଶୀଳ ହେବା ପାଇଁ ଆବଶ୍ୟକ ଅନ୍ୟାନ୍ୟ ସୁବିଧାସବୁ ଯୋଗାଇଦିଆଯିବାର ପ୍ରତିଶ୍ରୁତି ଦିଆଯାଇଛି। ସେହିପରି ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ସାମିଲ ଥିବା ତଥା ଏତେ ସଂଖ୍ୟକ ନକ୍ସଲଙ୍କୁ ଆତ୍ମସମର୍ପଣ ପାଇଁ ପ୍ରବର୍ତ୍ତାଇଥିବା ୪ଟି କ୍ଷେତ୍ର କମିଟି ସଦସ୍ୟ (ଏସିଏମ୍‌)ମାନେ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଗ୍ରହଣ କରିଛନ୍ତି। ଏହି ନକ୍ସଲମାନେ ଦୀର୍ଘ ଦିନରୁ ଛତିଶଗଡ ବିଜାପୁର, ସୁକମା ଓ ଦାନ୍ତେୱାଡାରେ ନକ୍ସଲ ଅପରେସନରେ ସକ୍ରିୟ ଥିଲେ।

ଏହି ୮୬ ନକ୍ସଲ, ନକ୍ସଲବାଦର ହିଂସାତ୍ମକ ପଥ ପରିତ୍ୟାଗ କରି ପରିବାର ସହିତ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ସେମାନେ ପୋଲିସ ମହାନିରୀକ୍ଷକ (ଆଇଜିପି) ମଲ୍ଟି ଜୋନ୍ -୧, ଏସ୍ ଚନ୍ଦ୍ରଶେଖର ରେଡ୍ଡୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ। ଶନିବାର ଆତ୍ମସମର୍ପଣ କରିଥିବା ୮୬ ନକ୍ସଲ୍‌ଙ୍କୁ ମିଶାଇ ଚଳିତ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ବିଭିନ୍ନ କ୍ୟାଡରର ପ୍ରାୟ ୨୨୪ ନକ୍ସଲ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। କିଛି ଦିନ ପୂର୍ବେ ବିଜାପୁର ଜେଲ୍‌ରେ ୫୦ରୁ ଅଧିକ ନକ୍ସଲ ମଧ୍ୟ ଆତ୍ମସମର୍ପଣ କରିଥିଲେ। ପ୍ରକାଶ, ପୋଲିସ୍‌ର ‘ଅପରେସନ୍ ଚେୟୁଥା’ କାର୍ଯ୍ୟକ୍ରମ ଅଧୀନରେ ନକ୍ସଲମାନଙ୍କୁ ସରକାରଙ୍କ କଲ୍ୟାଣକାରୀ ପଦକ୍ଷେପ ଏବଂ ଆଦିବାସୀ ସମ୍ପ୍ରଦାୟ ପାଇଁ ବିକାଶ ଏବଂ କଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯିବା ପରେ ନକ୍ସଲମାନେ ଏବେ ଆତ୍ମସମର୍ପଣ କରିବାକୁ ଶ୍ରେୟସ୍କର ମଣୁଛନ୍ତି। ସରକାରୀ ତଥ୍ୟ ଅନୁସାରେ ଗତ ୪ ମାସ ଭିତରେ ତେଲେଙ୍ଗାନା ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାରେ ପୋଲିସ ପାଖରେ ମୋଟ୍ ୨୦୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ୬୬ ଜଣଙ୍କୁ ଗିରଫ କରାଯାଇଛି। ଏବେ ବି ହିଂସାର ମାର୍ଗରେ ଥିବା ସମସ୍ତ ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହୋଇ ଭାରତକୁ ନକ୍ସଲ ମୁକ୍ତ କରିବାକୁ ଆହ୍ୱାନ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking