19.1 C
Bhubaneswar
Monday, February 2, 2026
Homeଓଡିଶା୭୭ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ: ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ

୭୭ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ: ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ।ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ସକାଳ ୮.୨୮ ରେ ମହାତ୍ମାଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ୱା. ବି. ଖୁରାନିଆ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମୋଡର ବିକ୍ରମ ସିଂହ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ । ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ୮.୩୦ ମିନିଟ୍‌ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେଡ୍‌ କମାଣ୍ଡାଣ୍ଟ ଶ୍ରୀ ରାକେଶ କୁମାର ସାହୁ, ଏସ୍‌ଡିପିଓ, ଆର୍‌. ଉଦୟଗିରି ପ୍ୟାରେଡ୍‌ ପରିଚାଳନା କରିଥିଲେ । ଦ୍ୱିତୀୟ ପରିଚାଳକ ଭାବେ ଡେପୁଟି କମାଣ୍ଡାଣ୍ଟ ଶ୍ରୀ ଶରତ ଜାନି, ଆଡ୍‌ଜୁଟାଣ୍ଟ ଭାବେ ଶ୍ରୀ ଶେଖର ମହାପାତ୍ର ଏବଂ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ପରମେଶ୍ୱର ହାଂସଦା ପ୍ୟାରେଡ୍‌ ପରିଚାଳନାରେ ସହାୟତା କରିଥିଲେ ।

ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ ପରେ ୧୭ଟି ସାମରିକ ବାହିନୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ୨୯ଟି ବେସାମରିକ ଦଳ ସମୁଦାୟ ୪୬ଟି ଦଳ ମିଳିତ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିଲେ । ସମ୍ମିଳିତ ପ୍ୟାରେଡ୍‌ ଅନୁଷ୍ଠିତ ହେବା ପରେ ପରେ ବିଭିନ୍ନ ସାଂସ୍କୃତିକ ଦଳ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ରଙ୍ଗଶାଳା, ପୁରୀର କଳାକାରମାନେ ‘ସାହିଯାତ’ ପରିବେଷଣ କରିଥିବାବେଳେ ବିଚିତ୍ର ବର୍ଣ୍ଣାଳି ନାଟ୍ୟ ପରିଷଦ, ଗଞ୍ଜାମ ପକ୍ଷରୁ ‘ପଶୁମୁଖା’, ବୈଦେହୀ କଳା ପରିଷଦ, ପୁରୀ ପକ୍ଷରୁ ‘ବଡ଼ ଘୋଡ଼ା’, ସଂକୀର୍ତ୍ତନ କଳାକାର ଉନ୍ନୟନ ପରିଷଦ, କଟକ ପକ୍ଷରୁ ‘ଦୋଳଯାତ ପଟୁଆର’ ଓ ଶରଣ ମାର୍ଶାଲ କଲଚରାଲ୍‌ ସଂଘ, ମୟୂରଭଞ୍ଜ ପକ୍ଷରୁ ‘ସାନ୍ତାଳୀ’ ନୃତ୍ୟ ପରିବେଷିତ ହୋଇ ଉତ୍ସବକୁ ମନୋମୁଗ୍ଧକର କରିଥିଲା ।

ଏହା ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସହ ସଚେତନତାର ବାର୍ତ୍ତା ବହନ କରୁଥିବା ପ୍ରଜ୍ଞାପନ ମେଢ଼ଗୁଡ଼ିକ ଅଭିବାଦନ ମଞ୍ଚ ଅତିକ୍ରମ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ (ଶ୍ରୀଅନ୍ନ ଅଭିଯାନ, ଅମୃତ ଅନ୍ନ କାର୍ଯ୍ୟକ୍ରମ), ବାଣିଜ୍ୟ ଓ ପରିବହନ ବିଭାଗ (ଆମେ ସୁବାହକ, ଆଶା ଯୋଜନା), ଶକ୍ତି ବିଭାଗ (ପି.ଏମ୍‌. ସୂର୍ଯ୍ୟଘର), ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗ (ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା), ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ (ରେଶମ ଓଡ଼ିଶା), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ (ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା), ସ୍ୱରାଷ୍ଟ୍ର ବିଭାଗ (ଉପକୂଳ ସୁରକ୍ଷା ଶାଖା, ଓଡ଼ିଶା ପୋଲିସ), ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ (ସମୃଦ୍ଧ ସହର, ବିକଶିତ ଓଡ଼ିଶା), ମିଶନ ଶକ୍ତି ବିଭାଗ (ଆତ୍ମନିର୍ଭର ମହିଳା-ବିକଶିତ ଭାରତ), ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ (ଭିବି-ଜି ରାମ ଜି, ସଭିଙ୍କ ପାଇଁ ପକ୍କାଘର), ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (ପି.ଏମ୍‌.ଶ୍ରୀ) ବିଦ୍ୟାଳୟ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ (ଦକ୍ଷ ଯୁବଶକ୍ତି-ଦେଶର ପ୍ରଗତି), ପର୍ଯ୍ୟଟନ ବିଭାଗ (ପର୍ଯ୍ୟଟନ ସ୍ଥଳୀ ଉନ୍ନତିକରଣ) ଓ ପୂର୍ତ୍ତ ବିଭାଗ (ନ୍ୟାୟିକ ପରିସର, ଭୁବନେଶ୍ୱର)ର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା ।

ଏହି ଭବ୍ୟ ସମାରୋହରେ ମାନ୍ୟବର ରାଜ୍ୟପାଳଙ୍କ ସହଧର୍ମିଣୀ ତଥା ରାଜ୍ୟର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମ୍‌ପାଟି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀ ଶ୍ରୀମତୀ ପ୍ରିୟଙ୍କା ମାର୍ଣ୍ଡି ଉପସ୍ଥିତ ଥିଲେ । ବିଭିନ୍ନ ବିଭାଗର ଅତିରିକ୍ତ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବ, ବରିଷ୍ଠ ପୋଲିସ ଅଧିକାରୀ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଗୁର୍‌ବୀର୍‌ ସିଂ ପ୍ରମୁଖଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀବୃନ୍ଦ, ସାଧାରଣତନ୍ତ୍ର ଦିବସ ଉତ୍ସବରେ ଉପସ୍ଥିତ ଥିଲେ ।ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପି୍ରୟଦର୍ଶିନୀ, ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ରୋଜାଲିନ୍‌ ସାହୁ ଓ ଶ୍ରୀ ବିନାୟକ ମିଶ୍ର ରାଜ୍ୟସ୍ତରୀୟ ପ୍ୟାରେଡ୍‌ କାର୍ଯ୍ୟକ୍ରମରେ ଧାରାବିବରଣୀ ପ୍ରଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking