ମୁମ୍ବାଇ: ଏୟାର ଇଣ୍ଡିଆକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ମଝି ଆକାଶରେ ଅସୁସ୍ଥ ହେଲେ ଯାତ୍ରୀ । ବିମାନର କ୍ର୍ୟିୁ ମେମ୍ବରଙ୍କ ସମେତ ଯାତ୍ରୀ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ଲଣ୍ଡନରୁ ମୁମ୍ବାଇ ଆସୁଥିବା ବିମାନରେ ଘଟିଛି ଏହି ଅଭାବନୀୟ ଘଟଣା । ୨ କ୍ର୍ୟୁ ମେମ୍ବର ଏବଂ ୫ ଜଣ ଯାତ୍ରୀଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହେବା ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ । ତେବେ ଲଣ୍ଡନରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଥିବା ଏୟାର ଇଣ୍ଡିଆ ବିମାନ ଏଆଇ-୧୩୦ ମୁମ୍ବାଇ ଆସୁଥିବା ବେଳେ ହଠାତ କିଛି ଯାତ୍ରୀଙ୍କ ସମେତ କ୍ର୍ୟୁ ସଦସ୍ୟଙ୍କର ମୁଣ୍ଡ ବୁଲାଇଥିଲା ଏବଂ ପରେ ପରେ ବାନ୍ତି ମଧ୍ୟ ହୋଇଥିଲା ।
ମେଡିକାଲ ଟିମ ସେମାନଙ୍କ ପ୍ରାଥମିକ ଚିକିତ୍ସା କରିଥିବା ବେଳେ ବିମାନଟି ଯାତ୍ରା ଜାରି ରଖିଥିଲା । ଆଉ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ ପରେ ୨ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମେଡିକାଲ ରୁମରେ ଭର୍ତ୍ତି କରାଯାଇଥିଲେ ହେଁ ସୁସ୍ଥ ଅନୁଭବ କରିବା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଛି । ତେବେ ହଠାତ ଚଳନ୍ତା ବିମାନରେ ଏଭଳି ଘଟିବାର କାରଣ ଏପର୍ଯାନ୍ତ ଜଣାପଡିନାହିଁ । ବିଷାକ୍ତ ଖାଦ୍ୟ ପାଇଁ କିମ୍ବା ବିମାନରେ ଅମ୍ଳଜାନର ଅଭାବ ଯୋଗୁଁ ଏଭଳି ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି ।