25.1 C
Bhubaneswar
Monday, January 12, 2026
Homeଓଡିଶା୬.୯୪ ଲକ୍ଷ ମୃତକଙ୍କ କଟିଛି ରାସନ କାର୍ଡ଼: ମନ୍ତ୍ରୀ

୬.୯୪ ଲକ୍ଷ ମୃତକଙ୍କ କଟିଛି ରାସନ କାର୍ଡ଼: ମନ୍ତ୍ରୀ

ଭୁବନେଶ୍ୱର: ଇ-କେୱାଇସି ପରେ ଏବେ ସର୍ଭେ ଆଳରେ ଲୋକଙ୍କ ରାସନ କାର୍ଡ଼ କାଟୁଛନ୍ତି ରାଜ୍ୟ ସରକାର। ହିତାଧିକାରୀ ଏବେ ହନ୍ତସନ୍ତ। କହିଲେ କେହି ଶୁଣିବାକୁ ନାରାଜ। ଜାଣିଶୁଣି ଏପରି କରାଯାଉଛି। ଏଭଳି ଅଭିଯୋଗ କରି ଶନିବାର ବିଧାନସଭାରେ ବିରୋଧୀ ସଭ୍ୟମାନେ ଗର୍ଜିଥିଲେ। ହେଲେ ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ ବୋଲି କହିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ସମୟରେ ଅଦ୍ୟାବଧି ୬ ଲକ୍ଷ ୯୪ ହଜାର ୬୮୧ ଜଣ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ରାସନ କାର୍ଡ଼ ତଥ୍ୟାବଳୀରୁ ବାଦ ଦିଆଯାଇଛି। ସେହିପରି ୩୩ ହଜାର ୧୮୨ ଜଣ ଅଯୋଗ୍ୟ ରାସନ କାର୍ଡ଼ ଧାରୀ ଯାହାଙ୍କର ପରିବାର ସଦସ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୩୬୧ ଚିହ୍ନଟ କରାଯାଇ ରାସନ କାର୍ଡ଼ ତଥ୍ୟାବଳୀରୁ ବାଦ ଦିଆଯାଇଛି। ତେବେ ଏହାକୁ ନେଇ ଗୃହ ସର୍‌ଗରମ ହୋଇଥିଲା। ଶନିବାର ବିରୋଧୀ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଦ୍ୱାରା ଆଗତ ହୋଇଥିଲା ମୁଲତବି ପ୍ରସ୍ତାବ। ଏହି ଆଲୋଚନାରେ ଉଭୟ ବିଜେଡି ଓ କଂଗ୍ରେସ ସଭ୍ୟମାନେ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲାବେଳେ ଶାସକ ସଭ୍ୟ ସବୁ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ। ଶେଷରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ମୁଲତବି ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ କହିଥିଲେ ଯେ ଇ-କେୱାଇସି ବା ଅନ୍ୟ କୌଣସି ସର୍ଭେ ଆଳରେ ରାଜ୍ୟ ସରକାର ଗତ ଜୁନ ୨୦୨୪ ଠାରୁ ଅଦ୍ୟାବଧି ଯୋଗ୍ୟ ହିତାଧୁକାରୀଙ୍କ ରାସନ କାର୍ଡ଼ କାଟିନାହାନ୍ତି। ଗତ ଜୁନ ୨୦୨୪ ଠାରୁ ଅଦ୍ୟାବଧି ରାଜ୍ୟ ସରକାର ପ୍ରତ୍ୟେକ ଆବଣ୍ଟନ ମାସରେ, ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ୨୦୧୩ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ହାରାହାରି ୯୯ ଲକ୍ଷ ୫୨ ହଜାର ୧୫୩ ପରିବାରର ୩ କୋଟି ୨୭ ଲକ୍ଷ ୮୩ ହଜାର ୬୭୩ ସଦସ୍ୟଙ୍କୁ ତାଙ୍କ ମାସିକ ଖାଦ୍ୟଶସ୍ୟ କୋଟା ବଣ୍ଟନ କରିଆସୁଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ରାସନ କାର୍ଡ଼ ତଥ୍ୟାବଳୀର ସର୍ଭେ ଏବଂ ଅଯୋଗ୍ୟ କାର୍ଡ଼ଧାରୀଙ୍କ ଚିହ୍ନଟ ପ୍ରକ୍ରିୟାଟି ନୂଆ ନୁହଁ। ନୂଆ ସରକାର ଆସିବା ପୂର୍ବରୁ ପ୍ରାୟ ୧୦.୫୪ ଲକ୍ଷ ପରିବାରର ୩୦.୬୯ ଲକ୍ଷ ସଦସ୍ୟଙ୍କୁ ବିଭିନ୍ନ ସର୍ଭେର ଆଳ ଦେଖାଇ ଓ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ହୋଇ ରାସନ କାର୍ଡ଼ କଟାଯାଇଥିଲା। ପୂର୍ବ ସରକାର ବର୍ଷ ବର୍ଷ ଧରି ରାସନ କାର୍ଡ଼ ପୋର୍ଟାଲ ବନ୍ଦ୍ ରଖିବାର ନିତିଗତ ନିଷ୍ପତ୍ତି ନେଇଥିଲେ, ଯାହାକୁ ଆମ ସରକାର ଦଢ଼ ନିନ୍ଦା କରୁଛୁ। ମନ୍ତ୍ରୀ କହିଛନ୍ତି ଯେ ସର୍ବୋଚ୍ଚ ନ୍ୟାୟଳୟଙ୍କ ତତ୍ତ୍ୱାବଧାନରେ ରାସନ କାର୍ଡ଼ ତଥ୍ୟାବଳୀକୁ ସ୍ୱଚ୍ଛ ଏବଂ ପାରଦର୍ଶୀ କରିବା ତଥା ମୃତ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କୁ ବାଦ ଦେଇ ଯୋଗ୍ୟ ଆବେଦନକାରୀଙ୍କୁ ଏହି ସ୍ଥାନରେ ସାମିଲ କରିବା ଉଦ୍ଦେଶ୍ୟରେ ଇ-କେୱାଇସି ପ୍ରକ୍ରିୟାଟି ଗତ ଜୁଲାଇ ୨୦୨୪ ଠାରୁ ଆରମ୍ଭ କରଯାଇଥିଲା। ବର୍ତ୍ତମାନ ସୁଦ୍ଧା, ୩ କୋଟି ୧୨ ଲକ୍ଷ ୪୩ ହଜାର ୨୧୯ (ପ୍ରାୟ ୯୬%) ହିତାକାରୀଙ୍କ ଇ-କେୱାଇସି ସଫଳତାର ସହ ସମ୍ପାଦନ ହୋଇସାରିଛି। ଇତିମଧ୍ୟରେ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟାର ସମୟସୀମାଟିକୁ ଆସନ୍ତା ୩୧ ଡିସେମ୍ବର୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେଣୁ ଇ-କେୱାଇସି ପରେ ଏବେ ସର୍ଭେ ଆଳରେ ଲୋକଙ୍କ କାର୍ଡ଼ କାଟିବା କଥା ସଂପୂର୍ଣ୍ଣ ମିଛ। ଆଗତ ମୁଲତବୀ ପ୍ରସ୍ତାବ ତଥ୍ୟ ଉପରେ ଆଧାରିତ ନୁହେଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଥିଲେ। ପରେ ବାଚସ୍ପତି ସୁରମା ପାଢ଼ୀ ଏହାକୁ କାଟ୍ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking