ଭୁବନେଶ୍ୱର : ରାଜ୍ୟର ମୋଟ୍ ୫୬୩୩ଟି ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରାଯାଇଛି । ଏଥି ମଧ୍ୟରେ ଝାରସୁଗୁଡା ଜିଲ୍ଲାର ୭୦ଟି ବିଦ୍ୟାଳୟ ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବିଦ୍ୟାଳୟ ବନ୍ଦ ହୋଇଯିବା ସଂକ୍ରାନ୍ତରେ ବିଧାୟକ ଶ୍ରୀ ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ୨୦୨୦ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ବିଦ୍ୟାଳୟଗୁଡିକୁ ନିକଟସ୍ଥ ବିଦ୍ୟାଳୟ ସହିତ ମିଶ୍ରଣ କରାଯାଇଛି ।
ରାଜ୍ୟରେ ମିଶ୍ରଣ ହୋଇଥିବା ମୋଟ୍ ୫୬୩୩ ବିଦ୍ୟାଳୟ ମଧ୍ୟରେ ଝାରସୁଗୁଡା ଜିଲ୍ଲାର ୭୦ଟି ଥିବାବେଳେ ମୟୁରଭଞ୍ଜର ୪୫୭, କଟକର ୪୫୨, ଗଜପତିର ୪୨୬, ଗଞ୍ଜାମର ୩୩୪, ଯାଜପୁରର ୩୧୦, କନ୍ଧମାଳର ୨୭୮, ବରଗଡର ୨୫୦ ଓ କେନ୍ଦ୍ରାପଡା ଜିଲ୍ଲାର ୨୦୩ଟି ବିଦ୍ୟାଳୟ ରହିଛି । ସବୁଠାରୁ କମ୍ ୬୮ଟି ବିଦ୍ୟାଳୟ ସୋନପୁର ଜିଲ୍ଲାରେ ମିଶ୍ରଣ ହୋଇଥିବାବେଳେ ପୁରୀ ଜିଲ୍ଲାରେ ଗୋଟିଏ ହେଲେ ବିଦ୍ୟାଳୟ ଏହି ମିଶ୍ରଣ ତାଲିକାରେ ନାହିଁ । ମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ଯେ ମିଶ୍ରଣ ହୋଇଥିବା ବିଦ୍ୟାଳୟକୁ ପୁନଃ ଖୋଲିବା ସମ୍ବନ୍ଧୀୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ହୋଇଥିବା ଆବେତନ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ବିଚାରାଧିନ ରହିଛି । ଅଦାଲତଙ୍କ ଆଦେଶ ଅନୁଯାୟୀ ଏ ଦିଗରେ ପଦକ୍ଷେପ ନିଆଯିବ ।









