27.1 C
Bhubaneswar
Friday, April 3, 2026
Homeଦେଶ ବିଦେଶଅଟ୍ଟାରୀ ଦେଇ ଫେରିଲେଣି ୫୩୭ ପାକିସ୍ତାନୀ

ଅଟ୍ଟାରୀ ଦେଇ ଫେରିଲେଣି ୫୩୭ ପାକିସ୍ତାନୀ

ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନୀମାନଙ୍କୁ ଭାରତ ଛାଡ଼ି ଚାଲିଯିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ତଦନୁଯାୟୀ ୨୪ରୁ ଅଦ୍ୟାବଧି ଅଟ୍ଟାରୀ-ୱାଘା ସୀମା ଦେଇ ୫୩୭ ପାକିସ୍ତାନୀ ନାଗରିକ ଭାରତ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୯ ଜଣ କୂଟନୀତିଜ୍ଞ ମଧ୍ୟ ସାମିଲ ରହିଛନ୍ତି। ମା’ଙ୍କୁ ଛାଡ଼ି ପିଲାଙ୍କୁ ପାକିସ୍ତାନ ଫେରିଯିବାକୁ ହେଉଥିବାରୁ ସୀମାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅଟ୍ଟାରୀ-ୱାଘା ସୀମା ଦେଇ ୨୫ ତାରିଖରେ ୧୯୧ ଜଣ ଏବଂ ୨୬ରେ ୮୧ ଜଣ ପାକିସ୍ତାନୀ ଭାରତ ଛାଡ଼ିଛନ୍ତି।

ସେହିପରି ବର୍ତ୍ତମାନ ସୁଦ୍ଧା ପାକିସ୍ତାନରୁ ୧୪ ଜଣ କୂଟନୀତିଜ୍ଞ ଓ ଅଫିସରଙ୍କ ସମେତ ୮୫୦ ଜଣ ଭାରତୀୟ ଅନ୍ତର୍ଜାତୀୟ ସୀମା ଦେଇ ପାକିସ୍ତାନରୁ ପଳାଇଆସିଲେଣି। ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବା ବେଳେ ଭାରତରେ ରହିଥିବା ପାକିସ୍ତାନୀଙ୍କ ଭିସା ରଦ୍ଦ କରାଯାଇଥିଲା। ସାର୍କ ଭିସାଧାରୀଙ୍କ ପାଇଁ ସମୟସୀମା ଏପ୍ରିଲ ୨୬ ରଖାଯାଇଥିଲା ବେଳେ ମେଡିକାଲ ଭିସାଧାରୀଙ୍କ ପାଇଁ ଏହା ଏପ୍ରିଲ ୨୯ ରହିଛି। ୧୨ ପ୍ରକାରର ସ୍ୱଳ୍ପମିଆଦୀ ଭିସାଧାରୀଙ୍କୁ ରବିବାର ସୁଦ୍ଧା ଦେଶ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହା ପରେ ଯେଉଁମାନେ ରହିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରତ ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି। ତେବେ ଯେଉଁମାନେ ଦୀର୍ଘମିଆଦୀ (ଏଲ୍‌ଟିଭି) କିମ୍ବା କୂଟନୈତିକ ଭିସା ପାଇଛନ୍ତି, ସେମାନଙ୍କୁ ‘ଭାରତ ଛାଡ଼’ ନିର୍ଦ୍ଦେଶନାମାରୁ ବାଦ୍ ଦିଆଯାଇଛି। ଅର୍ଥାତ୍ ସେମାନେ ଭାରତରେ ରହିପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking