24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଭାରତରେ ୫୨ ପ୍ରତିଶତ ନଗଦମୁକ୍ତ ଡିଜିଟାଲ୍ ନେଣଦେଣ ବୃଦ୍ଧି

ଭାରତରେ ୫୨ ପ୍ରତିଶତ ନଗଦମୁକ୍ତ ଡିଜିଟାଲ୍ ନେଣଦେଣ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ନଗଦମୁକ୍ତ ଡିଜିଟାଲ ନେଣଦେଣ ବ୍ୟାପକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ୱାର୍ଲ୍ଡଲାଇନ୍ ଇଣ୍ଡିଆର ଡିଜିଟାଲ ପେମେଣ୍ଟ ରିପୋର୍ଟରେ ଏ ସମ୍ପର୍କରେ ପ୍ରକାଶ ପାଇଛି। ଚଳିତ ବର୍ଷର ପ୍ରଥମାର୍ଦ୍ଧ ବା ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ ଦେଶର ଦ୍ରୁତ ବିକଶିତ ଡିଜିଟାଲ ଅର୍ଥ ପଇଠ ପରିଦୃଶ୍ୟକୁ ନେଇ ପ୍ରସ୍ତୁତ ଏହି ରିପୋର୍ଟରେ ଡିଜିଟାଲ୍ ଅର୍ଥ ନେଣଦେଣ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି ଓ ବିକାଶଧାରା ଉପରେ ଆଲୋକପାତ କରାଯାଇଛି। ବିଶେଷ କରି ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ଜରିଆରେ ଡିଜିଟାଲ ନେଣଦେଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଡିଜିଟାଲ ଗ୍ରହଣୀୟତାକୁ ପ୍ରତିଫଳିତ କରି କ୍ୟାସଲେସ୍ ବା ନଗଦମୁକ୍ତ ନେଣଦେଣ ଦିଗରେ ଏକ ରୂପାନ୍ତରଣକାରୀ ପରିବର୍ତ୍ତନ ଉପରେ ରିପୋର୍ଟରେ ଦର୍ଶାଯାଇଛି। ସବୁଠୁ ଅଧିକ ଡିଜିଟାଲ ଅର୍ଥ ନେଣଦେଣ ୟୁପିଆଇ ଜରିଆରେ ହୋଇଛି। ଏଥିରେ ୭ହଜାର ୮୦୦ କୋଟିରୁ ଅଧିକ କାରବାର ହୋଇଛି ଯାହାକି ପୂର୍ବ ବର୍ଷ ତୁଳନାରେ ୫୨% ଅଧିକ।

ସେହିପରି କ୍ରେଡିଟ୍ କାର୍ଡ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି, ଯାହା ଉପଭୋକ୍ତାଙ୍କ ଆଚରଣରେ ପରିବର୍ତ୍ତନକୁ ସୂଚାଉଛି। ଏହାବ୍ୟତୀତ ଏହି ରିପୋର୍ଟରେ ପେମେଣ୍ଟ ଭିତ୍ତିଭୂମିର ସମ୍ପ୍ରସାରଣ, ପଏଣ୍ଟ ଅଫ୍ ସେଲ୍ (ପିଓଏସ୍‌) ଟର୍ମିନାଲରେ ଉଲ୍ଲେଖନୀୟ ବୃଦ୍ଧି ଏବଂ ଋଣ ଉପଲବ୍ଧତା ବୃଦ୍ଧି ପାଇଁ ୟୁନିଫାଇଡ୍ ଲେଣ୍ଡିଂ ଇଣ୍ଟରଫେସ୍ (ୟୁଏଲଆଇ)ର ପ୍ରଚଳନ ବିଷୟରେ ଉଲ୍ଲେଖ କରାଯାଇଛି। ମୋବାଇଲ୍ ପେମେଣ୍ଟ୍‌, ନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ମଧ୍ୟ ଯଥେଷ୍ଟ ଅଭିବୃଦ୍ଧି ପ୍ରଦର୍ଶନ କରୁଛି ଯାହା କ୍ରମଶଃ ଏକ ସମାବେଶୀ ଆର୍ôଥକ ଇକୋସିଷ୍ଟମକୁ ପ୍ରଦର୍ଶିତ କରିଥାଏ। ଗ୍ରାହକଙ୍କଠାରୁ ବ୍ୟବସାୟୀଙ୍କ ନିକଟକୁ ଡିଜିଟାଲ କାରବାର ବୃଦ୍ଧି ପାଇବା ସହିତ ଅଧିକ ପରିମାଣରେ ଅର୍ଥ ହସ୍ତାନ୍ତର ମଧ୍ୟ ଦେଖିବାକୁ ମିଳିଛି। ରିପୋର୍ଟରେ ଅର୍ଥପଇଠ ଭିତ୍ତିଭୂମି ସମ୍ପ୍ରସାରଣ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ସମୟ ମଧ୍ୟରେ ୮୯ ଲକ୍ଷରୁ ଅଧିକ ପିଓଏସ ଟର୍ମିନାଲ ସ୍ଥାପନ କରାଯାଇଛି ଏବଂ ୟୁପିଆଇ କ୍ୟୁଆର୍ କୋଡ୍ ସଂଖ୍ୟା ମଧ୍ୟ ବଢ଼ିଛି। ଏବେ ଡିଜିଟାଲ କାରବାରକୁ ନେଇ ବ୍ୟବସାୟୀମାନେ ଅଧିକ ପ୍ରସ୍ତୁତ ରହିଛନ୍ତି।

୧୦ଟି ବ୍ୟାଙ୍କ ୯୫% ପିଓଏସ ଟର୍ମିନାଲ କାର୍ଯ୍ୟକାରୀ କରିଛନ୍ତି। ସମସ୍ତ ଡିଜିଟାଲ ପେମେଣ୍ଟକୁ ତୁଳନା କଲେ ୟୁପିଆଇ ମାଧ୍ୟମରେ ସବୁଠୁ ଅଧିକ କାରବାର ହୋଇଥିବା ରିପୋର୍ଟ ଦର୍ଶାଇଛି। ଷ୍ଟୋର୍ ମାଧ୍ୟମରେ କାରବାର କରାଯାଉଥିବା ବ୍ୟବସାୟୀ ବର୍ଗଗୁଡ଼ିକ ମଧ୍ୟରେ ତେଜରାତି ଦୋକାନ, ରେସ୍ତୋରାଁ, ସର୍ଭିସ୍ ଷ୍ଟେସନ୍‌, ପୋଷାକ ଷ୍ଟୋର୍‌, ସରକାରୀ ସେବା, ଔଷଧ ଦୋକାନ ଏବଂ ଡାକ୍ତରଖାନା ସବୁଠୁ ଅଧିକ ଡିଜିଟାଲ କାରବାର ହୋଇଛି। ଏହିସବୁ କ୍ଷେତ୍ରରେ ମୋଟ ଡିଜିଟାଲ ନେଣଦେଣ ପରିମାଣର ପ୍ରାୟ ୬୮% ଏବଂ ମୋଟ ନେଣଦେଣ ମୂଲ୍ୟର ପାଖାପାଖି ୫୩% ଡିଜିଟାଲ କାରବାର ହୋଇଛି। ଅନଲାଇନ୍‌, ଇ-କମର୍ସ, ଗେମିଂ, ୟୁଟିଲିଟି, ସରକାରୀ ଏବଂ ଆର୍ôଥକ ସେବା କ୍ଷେତ୍ରର ମଧ୍ୟ ପ୍ରାଧାନ୍ୟ ରହିଛି, ଯାହାକି ମୋଟ ନେଣଦେଣ ପରିମାଣର ପ୍ରାୟ ୮୧% ଏବଂ ନେଣଦେଣ ମୂଲ୍ୟର ୭୪% ପ୍ରତିନିଧିତ୍ୱ କରେ। ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ଣ୍ଣାଟକ, ଦିଲ୍ଲୀ, ତେଲଙ୍ଗାନା, ଉତ୍ତରପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଡିଜିଟାଲ ଅର୍ଥ କାରବାର କ୍ଷେତ୍ରରେ ଶୀର୍ଷ ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ପାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking