ଭୁବନେଶ୍ୱର : ୨୦୨୦ ମସିହା ଠାରୁ ଓଡିଶା ଉପକୂଳରେ ୫ଟି ବାତ୍ୟା ଆସିଛି । ଦୁଇଟି ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ର ସରକାର ୧୦୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଓଡିଶା ଉପକୂଳରେ ଆସିଥିବା ବାତ୍ୟା ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚାଇଛନ୍ତି ଯେ ୨୦୨୦ ମସିହାରେ ଓଡିଶା ଉପକୂଳରେ ବାତ୍ୟା ଅମ୍ଫାନ ଆସିଥିଲା । ଏହି ବାତ୍ୟାରେ ୨୩୬.୬୮ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବାବେଳେ ଏହାର ଭରଣା ପାଇଁ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୫୦୦ କୋଟି ଟଙ୍କା ଯୋଗାଇଦେଇଥିଲେ । ସେହଭଳି ୨୦୨୧ ରେ ୩ଟି ବାତ୍ୟା ୟାସ୍, ଗୁଲାବ ଓ ଜୱାଦ ଆସିଥିଲା । ବାତ୍ୟା ୟାସରେ ୮୨୩.୪୯ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବାବେଳେ ବାତ୍ୟା ଗୁଲା ପ୍ରଭାବରେ ୩୪.୨୧ କୋଟି ଟଙକା ଓ ବାତ୍ୟା ଜୱାଦ ପ୍ରଭାବରେ ୩୭୬.୬୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା । ତେବେ କେନ୍ଦ୍ର ସରକାର ୟାସ୍ର କ୍ଷୟକ୍ଷତି ଭରଣା ପାଇଁ ୫୦୦ କୋଟି ଟଙ୍କା ଯୋଗାଇ ଦେଇଥିବାବେଳେ ଆଉ ଦୁଇଟି ବାତ୍ୟା କ୍ଷୟକ୍ଷତି ଭରଣା ପାଇଁ କୌଣସି ଅର୍ଥ ଦେଇ ନାହାନ୍ତି ।
୨୦୨୩ ମସିହାରେ ଓଡିଶା ଉପକୂଳରେ ଦେଖା ଦେଇଥିଲା ବାତ୍ୟା ମିଗଜୋମ୍ । ଏହି ବାତ୍ୟା ପ୍ରଭାବରେ ୧୩.୭୨ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା । ବାତ୍ୟା ପ୍ରଭାବିତଙ୍କ ପାଇଁ ରାଜ୍ୟରେ ୮୬୨ ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇଛି । ଏହାର ପରିଚାଳନା ଓ ରକ୍ଷଣା ବେକ୍ଷଣ ଦାୟିତ୍ୱ ଗୋଷ୍ଠି ସ୍ତରୀୟ କମିଟିଗୁଡିକୁ ପ୍ରଦାନ କରାଯାଇଛି । ଗାଁ ଗହଳର ସ୍ୱେଚ୍ଛାସେବୀମାନଙ୍କୁ ତାଲିମ ଦିଆଯାଇ ଲୋକଙ୍କୁ ସଚେତନ କରାଯାଉଛି । ଆଗୁଆ ସୂଚନା ପ୍ରଦାନ ବ୍ୟବସ୍ଥାକୁ ୨୪ ଘଣ୍ଟିଆ କରାଯାଇଥିବାବେଳେ ପାରାଦୀପ୍ ଓ ଗୋପାଳପୁର ଠାରେ ଡୋପଲାର ରାଡାର ସ୍ଥାପନ ହୋଇଛି । ଏହାଛଡା ବାଲେଶ୍ୱର ଓ ସମ୍ବଲପୁର ଠାରେ ଡୋପଲାର ରାଡାର ଷ୍ଟେସନ ନିର୍ମାଣ କାର୍ଯ୍ୟ ଜାରି ରହିଛି ।










