ବାଲେଶ୍ବର: ଘରେ ପଶି ଆକ୍ରମଣ କରିବା ଅଭିଯୋଗରେ ୫ ଅପରାଧୀଙ୍କୁ ଗିରଫ କଲା ପୁଲିସ। ଅଭିଯୁକ୍ତମାନେ ଖଣ୍ଡା ଭୁଜାଲିରେ ନିର୍ମମ ଭାବେ ଦୀପାବଳି ରାତିରେ ଏପରି କାଣ୍ଡ ଭିଆଇ ଥିଲେ। ଧରାପଡ଼ିଥିବା ଅଭିଯୁକ୍ତମାନଙ୍କ ପରିଚୟ ହେଲା ଚାନ୍ଦିପୁର ଥାନା ତୁଳସୀପଦାର ମୂରଲୀ ଦଳେଇ (୨୦), ଟାଉନ ଥାନା ଅନ୍ତର୍ଗତ ଧତେଇ ସାହିର ଯୋଗନ୍ଦ୍ରେ ମାଝୀ (୧୯) ଓରଫ୍ ନାଲୁ ଓ ଦେବେନ୍ଦ୍ର ମାଝୀ (୨୧) ଓରଫ ତନୁ, ସୁନହଟ ଅଞ୍ଚଳର ପ୍ରସଞ୍ଜିତ ବେହେରା(୧୯) ଓରଫ ଟେରୁ ଏବଂ ଚାନ୍ଦିପୁର ଥାନା ସାହାଦା ଗାଁ କାର୍ତିକ କୁମାର ଦାସ (୧୯) ଓରଫ ଜଗା। ଏନେଇ ଜିଲା ପୁଲିସ କାର୍ଯ୍ୟାଳୟରେ ଅତିରିକ୍ତ ଏସପି ପରେଶ ଚନ୍ଦ୍ର ରାଉତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଟାଉନ ଥାନାଧିକାରୀ ବିଜୟ କୁମାର ଦାସ ମଧ୍ୟ ଏଥିରେ ଉପସ୍ଥିତ ଥିଲେ।ସୂଚନା ଅନୁସାରେ, ଗତ ଦୀପାବଳିରେ ପୂର୍ବ ଶତୃତାକୁ କେନ୍ଦ୍ର କରି ରାତିରେ ଅଭିଯୁକ୍ତମାନେ ପାତ୍ର ପଡ଼ାର ମିନତି ମାଝିଙ୍କ ଘରେ ପଶି ତାଙ୍କ ପୁଅ ଉମେଶ ମାଝିଙ୍କୁ ଖଣ୍ଡା ଓ କାତିରେ ସଂଘବଦ୍ଧ ଆକ୍ରମଣ କରିଥିଲେ।
ଏଥିରେ ପ୍ରତିବାଦ କରିବାରୁ ସେମାନେ ଉମେଶଙ୍କ ସ୍ତ୍ରୀ କବିତା ବେହେରାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ସେମାନେ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ସଙ୍କଟାପନ୍ନ ଅବସ୍ଥାରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି। ଏନେଇ ମିନତି ମାଝି ଟାଉନ ଥାନାରେ ଅଭିଯୋଗ କରିଥିଲେ।ତାଙ୍କ ବିରୋଧରେ ବିଏନଏସର ଧାରା ୨୯୬, ୧୨୬(୨), ୧୧୮(୨), ୧୦୯ (୧), ୩୩୩, ୭୪, ୭୬, ୩୫୧(୩), ୩(୫) ଏବଂ ଆର୍ମ ଆକ୍ଟର ଧାରା ୨୫ ଓ ୨୭ ମୂଳେ ୩୭୪ ନମ୍ବର ମାମଲା ରୁଜୁ କରିବା ସହିତ ତଦନ୍ତ କରି ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ଦୁଇଟି ଖଣ୍ଡା ଜବତ ହୋଇଛି। ସେମାନଙ୍କ ନାଁରେ ଟାଉନ ଥାନାରେ ବହୁ ଅପରାଧିକ ମାମଲା ଥିବା ସହିତ ସମସ୍ତେ ଅଭ୍ୟାସ ଗତ ଅପରାଧୀ ବୋଲି ପୁଲିସ କହିଛି।










