29.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଟ୍ରମ୍ପ୍‌ଙ୍କ ନିଷ୍ପତ୍ତିକୁ ନେଇ ଚିନ୍ତାରେ ୫୪ଲକ୍ଷ ପ୍ରବାସୀ ଭାରତୀୟ

ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିକୁ ନେଇ ଚିନ୍ତାରେ ୫୪ଲକ୍ଷ ପ୍ରବାସୀ ଭାରତୀୟ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଇନିଂସ ଆରମ୍ଭ କରିବା ମାତ୍ରେ ଅର୍ଥାତ୍ ନିଜର ପ୍ରଥମ କାର୍ଯ୍ୟ ଦିବସରେ ଡୋନାଲ୍ଡ ଟ୍ରମ୍ପ୍‌୍ ‘ବର୍ଥରାଇଟ୍ ସିଟିଜେନସିପ୍ ବା ଜନ୍ମଗତ ନାଗରିକତ୍ୱ ଅଧିକାର’ ଆଇନରେ ସଂଶୋଧନ କରିଥିଲେ। ଏହି ସଂଶୋଧିତ ଆଇନ୍ ଅନ୍ତର୍ଗତ ଏଣିକି ଫେବ୍ରୁଆରୀ ୨୦ ପରେ ଆମେରିକାରେ ଜନ୍ମିତ ଶିଶୁଙ୍କୁ ଆମେରିକାର ନାଗରିକତ୍ୱ ମିଳିବନାହିଁ। ଟ୍ରମ୍ପ୍‌ଙ୍କ ଏହି ନିଷ୍ପତ୍ତି ପରେ, ଆମେରିକାରେ ବସବାସ କରୁଥିବା ବିଭିନ୍ନ ଦେଶର ପ୍ରବାସୀ ନାଗରିକଙ୍କ ସମେତ ପ୍ରବାସୀ ଭାରତୀୟମାନେ ମଧ୍ୟ ଆଶଙ୍କା ଭିତରକୁ ଠେଲି ହୋଇଯାଇଛନ୍ତି। ଆମେରିକାରେ ମୋଟ୍ ୫୪ଲକ୍ଷ ପ୍ରବାସୀ ଭାରତୀୟ (ଆମେରିକାର ମୋଟ୍ ଜନସଂଖ୍ୟାର ୧.୪୭%) ରହୁଥିବା ବେଳେ ଏମାନେ ଏଠାରେ ସନ୍ତାନ ଜନ୍ମ କରିବା, ଏହିଠାରେ ଲାଳନପାଳନ ଓ ପାଠପଢ଼ା ସାଙ୍ଗକୁ ନିଯୁକ୍ତି ଏବଂ ସର୍ବୋପରି ନିଜ ସନ୍ତାନକୁ ଆମେରିକୀୟ ନାଗରିକତା ମିଳିବା ଭଳି ଯେଉଁ ସ୍ୱପ୍ନ ଦେଖୁଥିଲେ ସେସବୁ ଏବେ ବିଫଳ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଥିପାଇଁ ପ୍ରବାସୀ ଦମ୍ପତି ଧାର୍ଯ୍ୟ ପ୍ରସବ ସମୟ ପୂର୍ବରୁ ହିଁ ନିଜ ଗର୍ଭସ୍ଥ ସନ୍ତାନକୁ ଜନ୍ମଦେବାକୁ ଆଗଭର ହୋଇଛନ୍ତି, ଯାହାଦ୍ୱାରା ଏବେ ଆମେରିକାନ୍ ହସ୍ପିଟାଲଗୁଡ଼ିକରେ ପ୍ରବାସୀ ପ୍ରସୂତୀଙ୍କ ଭିଡ ପରିଲକ୍ଷିତ ହେଉଛି। ଟ୍ରମ୍ପ୍‌ଙ୍କ ଦ୍ୱାରା ପ୍ରଦତ୍ତ ଡେଡ୍‌ଲାଇନ୍ (ଫେବ୍ରୁଆରୀ ୨୦) ପୂର୍ବରୁ ହିଁ ସେମାନେ ନିଜ ପିଲାଙ୍କୁ ଜନ୍ମଦେବାକୁ ଚାହୁଁଛନ୍ତି।

ଟ୍ରମ୍ପ୍‌ଙ୍କ ଦ୍ୱାରା ସଂଶୋଧିତ ନୂଆ ନିୟମ ଲାଗୁହେଲେ ଆମେରିକାରେ ରହୁଥିବା ଏହି ପ୍ରବାସୀ ଭାରତୀୟ (ବର୍ତ୍ତମାନ ସୁଦ୍ଧା ଆମେରିକାର ନାଗରିକତା ହାସଲ କରିନଥିବା)ଙ୍କ ନବଜାତକ ଶିଶୁକୁ ମଧ୍ୟ ଆମେରିକୀୟ ନାଗରିକତା ମିଳିବ ନାହିଁ। ଅର୍ଥାତ୍ ନୂଆ ନିୟମ ଲାଗୁ ହେଲେ, ନବଜାତ ଶିଶୁକୁ ଆମେରିକୀୟ ନାଗରିକତ୍ୱ ମିଳିବା ପାଇଁ ବାପା ମାଆଙ୍କ ମଧ୍ୟରୁ ଅତିକମ୍‌ରେ ଜଣେ ଆମେରିକାର ସ୍ଥାୟୀ ନାଗରିକ ହୋଇଥିବା ଦରକାର। କିନ୍ତୁ ପୂର୍ବରୁ ଆମେରିକାରେ ପ୍ରଚଳିତ ବର୍ଥରାଇଟ୍ ସିଟିଜେନ୍‌ସିପି ବା ଜନ୍ମଗତ ନାଗରିକତା ଅଧିକାର ଆଇନ୍ ଅନ୍ତର୍ଗତ ‘ରାଇଟ୍ ଅଫ୍ ସଏଲ୍‌’ ଆଧାରରେ ନାଗରିକତ୍ୱ ମିଳିଯାଉଥିଲା। ଅର୍ଥାତ ବାପା ମା’ ଯେଉଁଦେଶର ହୋଇଥିଲେ ମଧ୍ୟ ଏଠାରେ ଜନ୍ମଗ୍ରହଣ କରୁଥିବା ନବଜାତକକୁ ଆମେରିକାର ନାଗରିକତା ମିଳୁଥିଲା। କିନ୍ତୁ ଟ୍ରମ୍ପ୍ ଏବେ ଏହି ନିୟମକୁ ସଂଶୋଧନ କରିଛନ୍ତି। ଏହି ସଂଶୋଧିତ ନିୟମ ଅନୁସାରେ ଆମେରିକାରେ ରହୁଥିବା ପ୍ରବାସୀ ନାଗରିକଙ୍କ ମଧ୍ୟରେ ଭାରତୀୟ ଏବଂ ମେକ୍ସିକୋ ନାଗରିକ ସର୍ବାଧିକ ପ୍ରଭାବିତ ହେବେ।

ସିଧା ଅର୍ଥରେ କହିଲେ ଟ୍ରମ୍ପ୍‌ଙ୍କ ଏହି ସଂଶୋଧିତ ଆଇନ୍ ଦ୍ୱାରା ଏଚ୍‌-୧ବି ଭିସା କିମ୍ବା ଏଚ୍‌-୪ ଭିସା ଭଳି ଅସ୍ଥାୟୀ ଭିସାରେ ରହୁଥିବା ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ପ୍ରଭାବିତ କରିବ। ଯଦିଓ ଟ୍ରମ୍ପଙ୍କ ଏହି ବିବାଦୀୟ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଘୋଷଣା କରିବା ସହ ଏହା ଉପରେ ଆମେରିକାର ଏକ ଜିଲ୍ଲା କୋର୍ଟ ଅସ୍ଥାୟୀ ଭାବେ (୧୪ ଦିନିଆ ରହିତାଦେଶ) ରୋକ୍ ଲଗାଇଛନ୍ତି, କିନ୍ତୁ ଏହା ବାତିଲ ହେବା ସମ୍ଭାବନା କ୍ଷୀଣ ରହିଛି। କାରଣ ଟ୍ରମ୍ପ୍ ଏହି ଜିଲ୍ଲା କୋର୍ଟଙ୍କ ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ୍ କରିବେ ବୋଲି ସୂଚନା ମିଳିଛି। ପ୍ରକାଶ, ଆମେରିକାର ୨୨ଟି ରାଜ୍ୟ, ଏକାଧିକ ଆଟର୍ଣ୍ଣି ଜେନେରାଲ୍ ଓ ବହୁ ସାମାଜିକ ସଂଗଠନ ଟ୍ରମ୍ପଙ୍କ ସଂଶୋଧିତ ଆଇନ୍ ଲାଗୁ କରାଯିବା ନିର୍ଦ୍ଦେଶ ବିରୋଧରେ ୬ଟି ମାମଲା ଦାୟର କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking