ଭୁବନେଶ୍ୱର : ସମ୍ବଲପୁର ଓ କେନ୍ଦୁଝରରେ ରେ ଦୁର୍ଘଟଣାରେ ମୃତ ୩ ଛାତ୍ରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମ୍ବଲପୁର ଧନୁପାଲିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ଅୟୁଷ୍ମାନ ବେହେରା ପାଠପଢ଼ି ସାରି ଘରକୁ ଫେରୁଥିବା ବେଳେ ସାମ୍ନାପଟୁ ଏକ ଟ୍ରାକ୍ଟର୍ (ଓଡି-୧୫ ଡବ୍ଲୁୁ୍ୟ ୮୧୧୫) ତାଙ୍କୁ ଧକ୍କା ଦେଇଥିଲା। ସେଠାରେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଆୟୁଷ୍ମାନ ବେହେରାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହା ଅତ୍ୟନ୍ତ ଦୁଃଖର ବିଷୟ। ତେଣୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରବର୍ଗଙ୍କ ନିମନ୍ତେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିଛନ୍ତି। ଶୋକସନ୍ତପ୍ତ ପରିବାରକୁ ଭଗବାନ ଦୁଃଖ ସମୟରେ ସହାୟ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ସେହିପରି କେନ୍ଦୁଝରଠାରେ ଦୁଇ ଛାତ୍ର ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।